
ନୂଆଦିଲ୍ଲୀ: ଦୀର୍ଘ ଦିନର ଲକ୍ଡାଉନ୍ ପରେ ଆରମ୍ଭ ହେବ ରେଳ ସେବା। ମେ ୧୨ ତାରିଖରୁ ରେଳ ସେବା ଆରମ୍ଭ କରିବା ନେଇ ଯୋଜନା କରୁଛି ଭାରତୀୟ ରେଳବାଇ। ଏନେଇ କାଲିଠୁ ଟିକେଟ୍ ବୁକିଂ ଆରମ୍ଭ ହେବ।
ପ୍ରଥମ ପର୍ଯ୍ୟାୟରେ ୧୫ ଯୋଡ଼ା ଟ୍ରେନ୍ ଚାଲିବା ନେଇ ରେଳବାଇ ଯୋଜନା କରୁଥିବା ବେଳେ କାଲି ଅପରାହ୍ନ ୪ଟାରୁ ଟିକେଟ୍ ବୁକିଂ ସୁବିଧା ଉପଲବ୍ଧ ହେବ।
ତେବେ କେବଳ IRCTC ୱେବ୍ସାଇଟ୍ରେ ଟିକେଟ୍ ବୁକିଂ ସୁବିଧା ଉପଲବ୍ଧ ହେବ। ଏଥିପାଇଁ ଟିକେଟ୍ କାଉଣ୍ଟର ଖୋଲିବ ନାହିଁ କି ସେଠାରେ ଟିକେଟ୍ ମଧ୍ୟ ମିଳିବନି। ପ୍ରତ୍ୟେକ୍ ପ୍ଲାଟ୍ଫର୍ମରେ ଟିକେଟ୍ କାଉଣ୍ଟର ବନ୍ଦ ରହିବ। ପ୍ଲାଟ୍ଫର୍ମ ଟିକେଟ୍ ନେବାକୁ ହେଲେ ମଧ୍ୟ IRCTC ୱେବ୍ସାଇଟ୍ରୁ ନେବାକୁ ପଡ଼ିବ।
କରୋନା ଭାଇରସ୍ ଲକ୍ଡାଉନ୍ ପାଇଁ ପ୍ୟାସେଞ୍ଜର୍ ଟ୍ରେନ୍ ଚଳାଚଳ ବନ୍ଦ ରହିଥିଲା। ତେବେ ପୁଣିଥରେ ଏହା ଆରମ୍ଭ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ୩୦ ପାସେଞ୍ଜର ଟ୍ରେନ୍ ଚାଲିବ। ଏହି ଟ୍ରେନ୍ଗୁଡ଼ିକ ନୂଆଦିଲ୍ଲୀରେ ରେଳ ଷ୍ଟେସନରୁ ଦେଶର ଅନ୍ୟ ପ୍ରଦେଶ ଆସାମ, ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼ ଗୁଜରାଟ, ଜମ୍ମୁ, ଝାରଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଓଡ଼ିଶା, ତାମିଲନାଡୁ, ତେଲେଙ୍ଗାନା ଓ ତ୍ରିପୁରାର ବିଭିନ୍ନ ସହରକୁ ଯୋଡ଼ିବ।
ତେବେ ଯାତ୍ରୀ ପ୍ଲାଟଫର୍ମରେ ପହଞ୍ଚିବା ପୂର୍ବରୁ ଉଚିତ୍ ଟିକେଟ୍ ସହିତ ଫେସ୍ ମାସ୍କ ଲଗାଇବା ନିହାତି ଦରକାର ବୋଲି ରେଳବାଇ ସୂଚାଇ ଦେଇଛି। ଏହାଛଡ଼ା ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂ ଟେଷ୍ଟ କରାଯିବ।