
ଭୁବନେଶ୍ୱର : ଆଜି ରାଜ୍ୟରେ ଆଉ ୨୩ ଜଣ କରୋନା ପଜିଟିଭ ଚିହ୍ନଟ୍ ହୋଇଛି। ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩୭କୁ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍ ରେ ସୂଚନା ପ୍ରଦାନ କରାଯାଇଛି।
ଆଜି ଚିହ୍ନଟ ହୋଇଥିବା ୨୩ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମ ଓ ଯାଜପୁର ଜିଲ୍ଲାରୁ ୩ ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୁରୀ ଓ ବୌଦ୍ଧ ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ବାଲେଶ୍ବର ଜିଲ୍ଲାରେ ସଂକ୍ରମିତ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଜିଲ୍ଲାରେ ୪୬ଟି ଆକ୍ଟିଭ କେସ୍ ଥିବା ବେଳେ ୧୧ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲାରେ ୩ଜଣ ଆକ୍ରାନ୍ତଙ୍କ ଚିହ୍ନଟ ହେବା ପରେ ୧୫୭କୁ ଛୁଇଁଛି ସଂକ୍ରମିତ ସଂଖ୍ୟା ଓ ଜଣଙ୍କର ମୃତ୍ୟୁ ହୋଇଛି। ଯାଜପୁର ଜିଲ୍ଲାରେ ୩ କରୋନା ପଜିଟିଭ ଚିହ୍ନଟ ହେବା ପରେ ସଂକ୍ରମିତଙ୍କ ସଂଖ୍ୟା ୬୪କୁ ବୃଦ୍ଧି ପାଇଛି। ଏଥି ମଧ୍ୟରୁ ୨ଜଣ ସୁସ୍ଥ ହୋଇଥିବା ବେଳେ ୬୨ଟି ଆକ୍ଟିଭ କେସ୍ ରହିଛି।
ପୁରୀ ଜିଲ୍ଳାରେ ଆଜି ଜଣେ ଆକ୍ରାନ୍ତ ଚିହ୍ନଟ୍ ହେବା ପରେ ସଂକ୍ରମିତଙ୍କ ସଂଖ୍ୟା ୪ ପହଞ୍ଚିଛି ଜଣେ ସୁସ୍ଥ ହୋଇଛନ୍ତି। ବୌଦ୍ଧରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ସମସ୍ତ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ସୋମବାର ବିଭିନ୍ନ ସ୍ଥାନରୁ ୩୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ସୋମବାର ଚିହ୍ନଟ ହୋଇଥିବା ୩୭ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୨୯ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ଜଣେ, ଯାଜପୁର ଜିଲ୍ଲାରୁ ଜଣେ, ବୌଦ୍ଧରୁ ଜଣେ ଏବଂ ମୟୁରଭଞ୍ଜ ଜିଲ୍ଲାରୁ ଜଣେ ରହିଥିଲେ ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୩୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୪୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୮୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।