
ନୂଆଦିଲ୍ଲୀ (ଏଜେନ୍ସି): ଆପ୍ ସାଂସଦ ରାଘବ ଚଡ୍ଡାଙ୍କୁ ମିଳିଲା ନୂଆ ଦାୟିତ୍ୱ । ତାଙ୍କୁ ଆମ ଆଦମୀ ପାର୍ଟିର ରାଜ୍ୟସଭା ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ସଞ୍ଜୟ ସିଂହଙ୍କ ଅନୁପସ୍ଥିତିରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ।
ଏହାପୂର୍ବରୁ ସଞ୍ଜୟ ସିଂହ ରାଜ୍ୟସଭାରେ ଆମ୍ ଆଦମୀ ପାର୍ଟିର ନେତା ଥିଲେ। କିନ୍ତୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସଞ୍ଜୟ ସିଂହ ଏବେ ଜେଲରେ ଅଛନ୍ତି । ତେଣୁ ତାଙ୍କ ସ୍ଥାନରେ ଆପ୍ ରାଘବ ଚଡ୍ଡାଙ୍କୁ ଦାୟିତ୍ୱ ଦେଇଛି। ଏନେଇ ରାଜ୍ୟସଭା ସଚିବଙ୍କୁ ଚିଠି ଲେଖି ଅବଗତ କରାଯାଇଛି ।
କହିରଖୁ ଯେ, ରାଜ୍ୟସଭାରେ ଏବେ ଆମ ଆଦମୀ ପାର୍ଟିର ମୋଟ ୧୦ ଜଣ ସାଂସଦ ଅଛନ୍ତି । ସେଥିମଧ୍ୟରୁ ଚଡ୍ଡା ହେଉଛନ୍ତି ସବୁଠାରୁ ଯୁବ ରାଜ୍ୟସଭା ସଦସ୍ୟ। ବିଜେପି, କଂଗ୍ରେସ ଓ ଟିଏମ୍ସି ପରେ ଆପ୍ ହେଉଛି ରାଜ୍ୟସଭାର ଚତୁର୍ଥ ସର୍ବବୃହତ୍ତ ଦଳ ।
ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବେ ରାଘବ ଚଡ୍ଡାଙ୍କ ସଂସଦରେ ସଦସ୍ୟତାକୁ ରଦ୍ଦ କରାଯାଇଥିଲା । ଏହାକୁ ନେଇ ଜୋରଦାର ହଙ୍ଗାମା ହୋଇଥିଲା । ୧୧୫ ଦିନ ପରେ ସେ ତାଙ୍କ ସଦସ୍ୟତା ଫେରିପାଇଥିଲେ। ନିଲମ୍ବନ ହଟିବା ପରେ ରାଘବ ଚଡ୍ଡା ଏକ ଭିଡିଓ ଜାରି କରି ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ ।
ସେ ଭିଡିଓରେ କହିଥିଲେ, ‘୧୧୫ ଦିନ ଯାଏ ମୁଁ ଲୋକଙ୍କ ସ୍ୱରକୁ ସଂସଦରେ ରଖି ପାରିଲିନାହିଁ । ଅଗଷ୍ଟ ୧୧ ତାରିଖରେ ମୋତେ ସଂସଦରୁ ନିଲମ୍ବିତ କରି ଦିଆଯାଇଥିଲା । ମୋ ନିଲମ୍ବନ ରଦ୍ଦ କରିବା ପାଇଁ ମୁଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲି । ନ୍ୟାୟର ମନ୍ଦିରକୁ ଯାଇ ନ୍ୟାୟ ପାଇଁ ଗୁହାରି କରିବାକୁ ପଡିଥିଲା ।’