
ଭୁବନେଶ୍ବର (ଓଡ଼ିଶା ଟୁଡେ): ସାଲିଆସାହିରେ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ବ ହେବ ଆଦିବାସୀ ଏବଂ ପାରମ୍ପରିକ ଜଙ୍ଗଲ ଅଧିବାସୀମାନେ ବସବାସ କରି ଆସୁଅଛନ୍ତି । ସରକାର ଏହି ସମୟ ଭିତରରେ ଭରତପୁର, ଶିଖରଚଣ୍ଡୀ, ନୀଳାଦ୍ରୀ ବିହାର ପ୍ରମୁଖ ଜାଗାରେ ଜମିପଟ୍ଟା ଦେଇ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିଛନ୍ତି । ଏହାପରେ ବାଲ୍ମିକୀ ଆମ୍ବେଦକର ଯୋଜନା, ଧରାଭୀ ମଡେଲ, ଜବାହରଲାଲ ନେହେରୁ ସହରାଞ୍ଚଳ ନବୀକରଣ ଯୋଜନା, ରାଜୀବ ଆବାସ ଯୋଜନା ଜାଗା ନାମରେ ଗଣ୍ଡା ଗଣ୍ଡା ଯୋଜନା କରାଯାଇଥିଲେ ମଧ୍ୟ ସାଲିଆସାହିରେ କୌଣସି ଯୋଜନା କାର୍ଯ୍ୟକାରୀ କରାଗଲା ନାହିଁ। କେବଳ ଭୋଟ ହାତେଇବା ପାଇଁ ଭୋଟ ବେଳେ ହିଁ ନୂଆ ନୂଆ ଲୋଭନୀୟ ପ୍ରତିଶୃତି ଦିଆଯାଏ । ବାସ୍ତବରେ ଏହା କାର୍ଯ୍ୟକାରୀ ହୁଏ ନାହିଁ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଜାଗା ମିଶନ କାର୍ଯ୍ୟକାରୀ କରିବା ନାମରେ ମିଛ ଡ୍ରୋନ ଉଡାଇ ଜାଗା ମିଶନରେ ଜମିପଟ୍ଟା ଦିଆଯିବ ବୋଲି ଗୁଜବ ସୃଷ୍ଟି କରାଗଲା । ବାସ୍ତବରେ ସାଲିଆସାହି ଜଙ୍ଗଲ ଜମିରେ ରହିଥିବା ହେତୁ କୌଣସି ଯୋଜନାରେ ଥଇଥାନ କରାଯାଇ ପାରିବ ନାହିଁ ବୋଲି ଭୁବନେଶ୍ବର ମେୟର ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ସାଲିଆସାହି ଆଞ୍ଚଳିକ କମିଟି ତରଫରୁ ସ୍ଥାନୀୟ ଆଦିବାସୀ ଗାଁ ଫୁଟବଲ ପଡିଆ ଠାରେ ଜଙ୍ଗଲ ଅଧିକାର ଆଇନ ତୁରନ୍ତ କାର୍ଯ୍ୟକାରୀ କରିବା, ୨୦୦ ଫୁଟିଆ ରାସ୍ତାର ୨୦୧୭ ବିଡିଏ ଦ୍ବାରା ମୋଡ଼ିଫିକେଶନ ନକ୍ସାକୁ ପରିବର୍ତ୍ତନ କରି ୨୦୧୦ର ଖଡଗପୁର ଆଇଆଇଟି ଦ୍ବାରା ପ୍ରସ୍ତୁତ ଭିଜନ ୨୦୩୦ର ପୂର୍ବ ପ୍ରସ୍ତାବିତ ନକ୍ସା ଅନୁସାରେ ଏକାମ୍ର କାନନ ଭିତରେ ସୁଗମ ରାସ୍ତା ନିର୍ମାଣ କରି ସରକାରୀ ଅର୍ଥ ଅପବ୍ୟୟ ରୋକିବା, ସାଲିଆସାହିର ନେତୃବୃନ୍ଦଙ୍କ ବିରୁଦ୍ଧରେ ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର କରିବା ପ୍ରମୁଖ ଦାବିରେ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଛି ।
ନବୀନ ବାବୁଙ୍କ ବିଜେଡି ସରକାର ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଦେବା ପାଇଁ ଜାଗା ମିଶନ ତିଆରି କରି ବସ୍ତିରେ କୋଟି କୋଟି ଟଙ୍କାର ହୋଡିଂ ଲଗାଇବା, ଭୋଜିଭାତ କରି ସରକାରୀ ଅର୍ଥ ବରବାଦ କରୁଥିବା ବେଳେ ଲୋକଙ୍କ ଠାରୁ ଜବରଦସ୍ତ୍ ଟଙ୍କା ଆଦାୟ କରି ପାରା ଭାଡ଼ିକୁ ଠେଲିଦେବା, ପୋଲିସ ବଳ ଲଗାଇ ଗରିବ ଲୋକଙ୍କ ଘର ଭାଙ୍ଗିବା ବସ୍ତି ଥଇଥାନରେ ଚରମ ବିଫଳତା ଏବଂ ବସ୍ତି ବାସିନ୍ଦାଙ୍କୁ ଭୂଆଁ ବୁଲାଇ ବଡ଼ ବଢିଆଙ୍କୁ ଜମି ଦେବା ପାଇଁ ଷଡଯନ୍ତ୍ର ପଦାରେ ପଡ଼ି ଯାଇଛି । ସାଲିଆସାହିକୁ ଜଙ୍ଗଲ ଜମି କହି ଥଇଥାନରୁ ବାଦ ଦିଆଯାଇଥିବା ବେଳେ ଜଙ୍ଗଲ ଅଧିକାର ଆଇନ ଲାଗୁ କରି ଜମି ଅଧିକାର ଦେବା ପାଇଁ ସରକାରଙ୍କ ପଛଘୁଞ୍ଚା କାହିଁକି? ସାଲିଆସାହି ଆଞ୍ଚଳିକ କମିଟି ନିରବଚ୍ଛିନ୍ନ ଭାବରେ ଜମିର ଅଧିକାର ପାଇଁ ଦାବି କରିଆସୁଛି । ଦୀର୍ଘ ୧୫ ମାସରୁ ଅଧିକ ଦିନ ଧରି ଗଣଧାରଣା, କୋର୍ଟ କଚେରୀର ଲଢେଇ ଫଳରେ ନିକଟରେ ରାଜ୍ୟ ସରକାର ଏବଂ ଜିଲ୍ଲାପାଳ ଖୋର୍ଦ୍ଧା ସାଲିଆସାହିର ଆଦିବାସୀଗାଁରେ ଜଙ୍ଗଲ ଅଧିକାର ଆଇନ ଲାଗୁ କରି ଜଙ୍ଗଲ ଅଧିକାର କମିଟି ଗଠନ କରିବା ପାଇଁ ଭୁବନେଶ୍ବର ମହାନଗର ନିଗମକୁ ଚିଠି ଲେଖିଛନ୍ତି । ତାହାକୁ ବିଏମସି ବିଡିଏ ଆର ଏଣ୍ଡ ବି ଡିଭିଜନ ୩ ଅସ୍ବୀକାର କରି ଆସୁଅଛନ୍ତି । ବସ୍ତି ଉଚ୍ଛେଦ ଏବଂ ରାସ୍ତା ନିର୍ମାଣ କାମ ଜାରୀ ରଖିଛନ୍ତି ।
ଆଖପାଖରେ ଥିବା ଜଙ୍ଗଲ ଜମିକୁ ଜବର ଦଖଲ କରି ଲୋକଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ପାଚେରୀ ବୁଲାଇଛନ୍ତି । ଜଙ୍ଗଲ ଅଧିକାର ଆଇନର ଧାରା ୪(୫)ର ପ୍ରାବଧାନ ଅନୁସାରେ ଜଙ୍ଗଲ ଅଧିକାରରେ ବ୍ୟକ୍ତିଗତ ଏବଂ ଗୋଷ୍ଠୀଗତ ଅଧିକାର ତଥା ପାରମ୍ପରିକ ଗୋଷ୍ଠୀ ସମ୍ବଳ ପ୍ରଦାନ କାର୍ଯ୍ୟ ଶେଷ ନ ହେବା ପର୍ଯ୍ୟନ୍ତ ଆଦିବାସୀ ଏବଂ ପାରମ୍ପରିକ ଜଙ୍ଗଲ ଅଧିବାସୀଙ୍କୁ ଉଚ୍ଛେଦ କିମ୍ବା ବିତାଡିତ କରାଯାଇ ପାରିବ ନାହିଁ । ତାହା ମଧ୍ୟ ଅନୁସୂଚିତ ଜନଜାତି/ଅନୁସୂଚିତ ଜାତି ଅପରାଧ ନିବାରଣ ଆଇନର ଧାରା ୩-୧(ଜି) ଅନୁସାରେ ଦଣ୍ଡନୀୟ ଅପରାଧ ଅଟେ । ତେଣୁ ଜଙ୍ଗଲ ଅଧିକାର ଆଇନକୁ ସମ୍ମାନ ଜଣାଇ ସମସ୍ତ ଉଚ୍ଛେଦ କାର୍ଯ୍ୟ ଏବଂ ବେଆଇନ ନିର୍ମାଣକୁ ବନ୍ଦକରିବା ପାଇଁ ସାଲିଆସାହି ଆଞ୍ଚଳିକ କମିଟି ତରଫରୁ ଦାବି କରାଯାଇଛି । ଜଙ୍ଗଲ ଅଧିକାର ଆଇନ ଅନୁସାରେ ସାଲିଆସାହି ର ସମସ୍ତଙ୍କୁ ସେହି ଜମିରେ ସମସ୍ତ ଦଖଲ ଜମିର ପଟ୍ଟାଦିଆଯାଉ । ତାହା ନ ହେଲେ ଆଗାମୀ ଦିନରେ ଜୋରଦାର ଲଢେଇ କରାଯିବ । ଏବଂ ପରିଣାମ ପାଇଁ ସରକାର ହିଁ ଦାୟୀ ରହିବେ ବୋଲି ସଭାପତି ଜୟଦେବ ନାୟକ ଜଣାଇଛନ୍ତି ।