
ଭୁବନେଶ୍ୱର (ଓଡ଼ିଶା ଟୁଡେ): ଆସନ୍ତା ୨୪ ତାରିଖରୁ ହିଞ୍ଜିଳିରୁ ପ୍ରଚାର ଅନୁକୂଳ କରିବେ ବିଜେଡି ସଭାପତି ତଥା ତଥା ଦଳର ଶୀର୍ଷ ତାରକା ନବୀନ ପଟ୍ଟନାୟକ। ନିଜର ପାରମ୍ପରିକ ଆସନରୁ ଚଳିତ ନିର୍ବାଚନ ପାଇଁ ବିଧିବଦ୍ଧ ଭାବରେ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ। ତାଙ୍କ ସହ ଦଳର ବରିଷ୍ଠ ନେତା ତଥା ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ପ୍ରଚାର ପାଇଁ ହିଞ୍ଜିଳି ଗସ୍ତ କରିବେ ବୋଲି ସୂଚନା ମିଳିଛି। ୨୪ ତାରିଖ ସକାଳ ୧୦ଟା ୩୦ ମିନିଟରେ ହିଞ୍ଜିଳିରେ ଏକ ସମାବେଶକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ। ଏହାପରେ ସେ ୧୧ଟା ୩୦ ମିନିଟରେ ଶେରଗଡ଼ରେ ଏକ ଜନସଭାରେ ଉଦ୍ବୋଧନ ଦେବେ ।
ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଆସନ୍ତା ୩୦ ତାରିଖରେ ହିଞ୍ଜଳି ବିଧାନସଭା ଆସନ ନିମନ୍ତେ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ। ଏହା ପୂର୍ବରୁ ସେ ସେହିଦିନ ତାରାତାରିଣୀଙ୍କ ଦର୍ଶନ କରିବେ ଓ ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟକ୍ରମ ପରେ ଚିକିଟିରେ ଏକ ସମାବେଶକୁ ସମ୍ବୋଧନ କରିବେ। ସେହିପରି ୧ ତାରିଖରେ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ଖଲ୍ଲିକୋଟ, ଦିଗପହଣ୍ଡି, ଛତ୍ରପୁର ଓ ଆସ୍କା ଲୋକସଭା ଆସନ ଅନ୍ତର୍ଗତ କବିସୂର୍ଯ୍ୟନଗରରେ ନିର୍ବାଚନ ପ୍ରଚାର କରିବେ। ସେହିପରି ୩ ତାରିଖରେ କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ ଭଞ୍ଜନଗର, ଆସ୍କା ଲୋକସଭା ଆସନ ଅନ୍ତର୍ଗତ ପୋଲସରା, ସାନଖେମୁର୍ଡି ଓ ସୋରଡ଼ା, ୬ ତାରିଖରେ ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ଗୋପାଳ ଓ ଆସ୍କା ଲୋକସଭା ଆସନ ଅନ୍ତର୍ଗତ ଆସ୍କାରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବେ। ୭ ତାରିଖରେ ମୁଖ୍ୟମନ୍ତ୍ରୀ ଶେରଗଡ଼, ହିଞ୍ଜିଳି, ବ୍ରହ୍ମପୁରରେ ୩ଟି ରୋଡ଼୍ ଶୋ’ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ୯ ତାରିଖରେ ଗୋପାଳପୁରରେ ମଧ୍ୟ ଏକ ରୋଡ଼୍ ଶୋରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ବୋଲି ସୂଚନା ମିଳିଛି। ଏହି ସବୁ କାର୍ଯ୍ୟକ୍ରମଗୁଡ଼ିକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ‘ନବୀନ ଓଡ଼ିଶା’ ଓ ‘୫-ଟି’ ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଯୋଗ ଦେବେ ।