ନିର୍ବାଚନୀ ନିଆଁ ନିଷ୍ଠୁର

ବୈଶାଖ ମାସର ନିଆଁ ବର୍ଷା ଖରା ଆଜି ସମସ୍ତ ଙ୍କୁ ଅସ୍ତବ୍ୟସ୍ତ କରିବାରେ ସଫଳ ହୋଇଛି । କିଛି ବର୍ଷର ପୂର୍ବକୁ ଯଦି ଆମେ ଫେରିବା ସେହି ସମୟରେ ୩୩°C ଖରା ହେଲେ ସର୍ବ ସାଧାରଣରେ ଆଲୋଚନା ହୁଏ ପ୍ରବଳ ଖରା ହେଉଛି ବୋଲି, କିନ୍ତୁ ଆଜି ସେହି ଖରା ୪୫°C ରୁ ଟପି ସାରିଛି । ଆଜି କାଲିର ଖରା ଏକ ଭିନ୍ନ ଧରଣର ଖରା ଯାହାକି ନିଆଁ ବର୍ଷା ଠାରୁ କିଛି କମ ନୁହଁ । ତଥାପି ଏହି ଆଧୁନିକ ସମାଜର ସଭ୍ୟଜଗତ ଏଥିରୁ ମୁକ୍ତି ପାଇବା ପାଇଁ ନୂତନ ଜ୍ଞାନକୌଶଳକୁ ଆପଣାଇ ନେଇଛନ୍ତି । ଯେପରିକି ଫେନ, କୁଲର ଠାରୁ ଆରମ୍ଭ କରି ଏସି ପର୍ଯ୍ୟନ୍ତ । ଅସହ୍ୟ ତାତିରୁ ମୁକ୍ତିଲାଭ କରିବା ପାଇଁ ଆପଣାଇ ନେଇଛନ୍ତି ଧନୀ ଏବଂ ସମ୍ଭ୍ରାନ୍ତ ଶ୍ରେଣୀ ଗୋଷ୍ଠୀ । ସାଧାରଣ ଜୀବନ ଯାପନ ଅତିବାହିତ କରୁଥିବା ଗାଁର କିଛି ନିରିହ ବ୍ୟକ୍ତି ନିଜର ଭାଗ୍ୟକୁ ଆଦରି ଆଜି ସେମିତି ପ୍ରାଚୀନ ପ୍ରଥାକୁ ଅବଲମ୍ବନ କରି ବଞ୍ଚିବାରେ ଲାଗିଛି। ଦିନ ତମାମ କେତେବେଳେ କଇଁଫୁଲିଆ ବନ୍ଧର ସହାୟତା ନେଉଛିତ କେତେବେଳେ ଆମ୍ବ ତୋଟାର ଛାଇ ହିଁ ଭରସା ସାଜିଛି । ଦିନ ତମାମ ଅତିବାହିତ କଲା ପରେ ରାତ୍ର ସମୟରେ ପ୍ରକୃତିର ପ୍ରାକୃତିକ କୋହଲା ପବନକୁ ଅପେକ୍ଷା କରିଥାଏ । ବୈଶାଖର ତାଣ୍ଡବଲୀଳାରୁ ମୁକ୍ତି ପାଇବା ପାଇଁ ପ୍ରକୃତି ଉପରେ ନିର୍ଭରଶୀଳ ହୋଇ ପ୍ରାକୃତିକ ଶୋଭାରାଜିକୁ ଉପଭୋଗ କରେ । ବୈଶାଖର ତାଣ୍ଡବଲୀଳାରୁ ମୁକ୍ତି ପାଇବା ପାଇଁ ପ୍ରକୃତିର ଉପହାରକୁ ଉପଭୋଗ କରି ନିଜର ପରିବାର ଏବଂ ବନ୍ଧୁ ବର୍ଗଙ୍କ ସାଥୀରେ ସମୟ ଅତିବାହିତ କରେ । କିଛି ଦିନ ପୂର୍ବରୁ ନିର୍ବାଚନର ବିଗୁଲ ବାଜିବା ପରେ ଆଜି ଗାଁ ଗାଁ ରେ ବୈଶାଖର ନିଆଁ ବର୍ଷା ତାତି ଠାରୁ ନିର୍ବାଚନ ତାତି ଢେର୍ ଗୁଣ ବଢିଯାଇଛି । ନିର୍ବାଚନ ପାଇଁ ନିର୍ବାଚିତ ଆଶାୟୀ ପ୍ରାର୍ଥୀ ମାନେ ବାକ ଯୁଦ୍ଧରେ ନିଜର ପାରଦର୍ଶିତା ପ୍ରଦର୍ଶନ କରୁଛନ୍ତି । ପ୍ରତିପକ୍ଷ ଦଳର ନେତା ଏବଂ ନେତ୍ରୀ ମାନେ କଟୁ ମନ୍ତବ୍ୟ କଟୁ ସମାଲୋଚନା ମିଥ୍ୟା ପ୍ରତିଶୃତି ଦେବାକୁ ମଧ୍ୟ କୁଣ୍ଠାବୋଧ ପରିପ୍ରକାଶ କରନ୍ତି ନାହିଁ । ଉଭୟ ଆଶାୟୀ କାଦୁଅ ଫୋପାଡା ଫୋପାଡି ହେବା ବେଳେ ନିଜେ ନିଜର ସୀମାରେଖା ଉଲଂଘନ କରନ୍ତି । ଏହି ବଡ଼ ବଡ଼ ନେତା ନେତ୍ରୀ ମାନଙ୍କ ମଧ୍ୟରେ ଆସେ ଗାଁ ଗହଳିର ଭୋଟର କଥା । ଦିନ ମଜୁରିଆ, ଦାଦନ ଶ୍ରମିକ, ସାଧାରଣ ବର୍ଗ ର ବ୍ୟକ୍ତିମାନେ ମଧ୍ୟ ନିର୍ବାଚନ ନିଆଁରୁ ମୁକ୍ତି ପାଇପାରନ୍ତି ନାହଁ । ବୈଶାଖର ଅସହ୍ୟ ନିଆଁ ବର୍ଷାକୁ ପ୍ରାକୃତିକ ଉପାୟରେ ସହ୍ୟ କରିଯାନ୍ତି ସତ କିନ୍ତୁ ନିର୍ବାଚନୀ ନିଆଁ ଏତେ ପ୍ରଖର ସେଥିରୁ ମୁକ୍ତି ପାଇବା ଭାରି କଷ୍ଟ । ଏହି ନିର୍ବାଚନ ନିଆଁ ଏତେ ପ୍ରଖର ଯେ ସେଥିରେ ସମସ୍ତଙ୍କୁ ଦଗ୍ଧିଭୂତ ହେବାକୁ ପଡ଼େ । ଯେପରିକି ପୁଣି ନେତା ନେତ୍ରୀ ମାନଙ୍କର ସେହି ପୁରୁଣା ଖେଳ ଯାହା ଦୀର୍ଘବର୍ଷ ଧରି ଖେଳି ଆସୁଛନ୍ତି । ସ୍ଵଳ୍ପ ସମୟର ଭାଷଣରେ ଉନ୍ନତି ମୂଳକ କାର୍ଯ୍ୟକ୍ରମ ବିଷୟରେ ଖଳ ଖଳ କରି ଓଗାଳିପକାନ୍ତି ବାହାସ୍ପୋଟ ମାରି ଉଭେଇ ଯାନ୍ତି । ଏହା ପରେ ଆରମ୍ଭ ହୁଏ ଅସଲ ଖେଳ । ଗାଁ ଟାଉଟର ବା କିଛି ଜଣଙ୍କ ଭାଷାରେ କୁଜି ନେତା ସେମାନେ ଅସଲ ଖେଳ ଖେଳନ୍ତି ।ସାଧାରଣ ମଳି ମୁଣ୍ଡିଆ ଠାରୁ ଆରମ୍ଭ କରି ଦାଦନ ଖଟିଖିଆ ପଯ୍ୟନ୍ତ ସମସ୍ତଙ୍କ ଉପରେ ଦାଉ ସାଧନ୍ତି । ଆମେ ତୁମ ମାନଙ୍କ ପାଇଁଁ କଣ ନକରିଚୁ କହି ନିଶାନ କରନ୍ତି ଆଉ ବିଭିନ୍ନ ମିଛ ପ୍ରତିଶ୍ରୁତି ଦେଇ ନିଜ ଆଡକୁ ଆକର୍ଷଣ କରନ୍ତି । ସହର ଅପେକ୍ଷା ଆଜି କାଲି ଗାଁ ଗହଳିରେ ଦଳକନ୍ଦଳ ନିତୀରେ ଛନ୍ଦି ହେଇ ଯାଇଛନ୍ତି । ଏହି ଦଳଗତ ଛନ୍ଦା ଛନ୍ଦି ନିତିରୁ ତାପରେ ଆରମ୍ଭ ହୁଏ ତିକ୍ତତା । ପ୍ରତିପକ୍ଷ ବାକ ଯୁଦ୍ଧ ଠାରୁ ଆରମ୍ଭ କରି ଅସ୍ତ୍ର ଶସ୍ତ୍ର ଧରି ବାହାରିବା ପାଇଁ ମଧ୍ୟ କୁଣ୍ଠାବୋଧ ପରିପ୍ରକାଶ କରନ୍ତି ନାହିଁ । ଏହା ଫଳରେ ଆରମ୍ଭ ହୁଏ ପରିବାର ପରିବାର ମଧ୍ୟରେ ତିକ୍ତତା ଭାଇ ଭାଇ ମଧ୍ୟରେ ଶତ୍ରୁତା ବନ୍ଧୁ ବନ୍ଧୁ ମଧ୍ୟରେ ଧୃଷ୍ଟତା ।ଏହି ରାଜନୈତିକ ଛକା ପଞ୍ଜା ଖେଳର ନିର୍ବାଚନ ନିଆଁରେ କେତେଯେ କୋମଳ ମନ ଭବିଷ୍ୟତ ସ୍ବପ୍ନ ଝଡି ପଡିବ ତାର କଳନା କରିବା ଅସମ୍ଭବ । ଯେଉଁ ମାନେ ନିର୍ବାଚନର କେତୋଟି ପଦ ବୁଝନ୍ତି ସେହିମାନେ ନିଜର ମତ ଉପସ୍ଥାପନ କରିବାର ମଧ୍ୟ ସୁଯୋଗ ଦିଅନ୍ତି ନାହଁ । ଯଦିବା କେତେବେଳେ କେଉଁଠି କାହାକୁ ସୁଯୋଗ ଦିଆଯାଏ ତାଙ୍କର କଥାକୁ ଅଗ୍ରାଧିକାର ଦିଆଯାଏ ନାହିଁ । ଯେଉଁମାନେ ରାଜନୀତିକୁ ପେଷା କରି ପଡି ରହିଥାନ୍ତି, ସେହିମାନେ ହିଁ ଖେଳନ୍ତି ଅସଲ ଖେଳ । ସାଧାରଣ ଲୋକଟିର ଯେକୌଣସି କାର୍ଯ୍ୟରେ ଗାଁ ଟାଉଟର ବା ଗାଁର କୁଜି ନେତାମାନେ ହାତି ଛତି କରିବି କହି ପାଉଣା ନିଅନ୍ତି ଯାହାକି ଆଧୁନିକ ସମାଜରେ ପିସି କହନ୍ତି । ଏତେ ଘଟଣା ଘଟିଲା ପରେ ବି ସାଧାରଣ ନୀରିହ ଦାଦନ ଶ୍ରମିକଟିଏ ଭାବେ ସେ ମୋ ଗାଁ ଲୋକ ସେ ମୋ ପାଇଁ ମଙ୍ଗଳ କରିବ । ତା ପ୍ରତିଶ୍ରୁତି ଭୁଲିଯାଇ ବିଶ୍ଵାସ ଘାତକ କାର୍ଯ୍ୟ କରିଚାଲେ । ପୁଣି ନିର୍ବାଚନ ଆସିଲେ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାନ୍ତି ଯଥା-ମଦ, ମାଂସ ଠାରୁ ଆରମ୍ଭ କରି ଟଙ୍କା ପଯ୍ୟନ୍ତ ଏହି କାର୍ଯ୍ୟରେ ଯଦି କିଏ ସନ୍ତୁଷ୍ଟ ନ ହୁଅନ୍ତି ତାଙ୍କୁ ବାହୁବଳର ପ୍ରୟୋଗ ଖରିବା ପାଇଁ ପଶ୍ଚାତାପ କରନ୍ତି ନାହିଁ । ବିଭିନ୍ନ ଉପାୟ ଅବଲମ୍ବନ କରି ନିର୍ବାଚନ ବୈତରଣୀ ପାରି ହେବା ପାଇଁ ଆପ୍ରାଣ ଉଦ୍ୟମ କରିଚାଲିଛନ୍ତି । ଅର୍ଥବଳ ବାହୁ ବଳ ବୁଦ୍ଧିବଳ ପ୍ରୟୋଗ କରି ବିଜୟୀ ହେଲା ପରେ ପୁଣି ସେହି ପୁରୁଣା ଖେଳ ଖେଳନ୍ତି । ଘର କଲେ ପିସି, ବାର୍ଦ୍ଧକ୍ୟ ଭତ୍ତା ପାଇଁ ଗଲେ ପିସି, ଏପରିକି ହରିଶ୍ଚନ୍ଦ୍ର ଯୋଜନାରେ ପିସି ନ ଦେଲେ ପାଇବା ପାଇଁ ଯୋଗ୍ୟ ହେବେ ନାହିଁ ହିତାଧିକାରୀ ।ଏହି ଅବ୍ୟବସ୍ଥା ପାଇଁ ଦାୟୀ କିଏ? ତାର ଉତ୍ତର ହେଉଛି ଆମ୍ଭେ ନିଜେ । ଯେଉଁ ପଯ୍ୟନ୍ତ ନିର୍ବାଚନକୁ ମଦ, ମାଂସ, ଟଙ୍କା, ମଜଲିସର ପର୍ବ ଭାବୁଥିବା ସେହି ପଯ୍ୟନ୍ତ ଏହିପରି ଅବସ୍ଥା ହିଁ ଆମ୍ଭେ ଭୋଗୁଥିବା । ତେଣୁ ନିର୍ବାଚନକୁ ସାମ୍ବିଧାନିକ ଗଣତନ୍ତ୍ର ପର୍ବ ଭାବି ଶିକ୍ଷା, ଗୁଣ, ଚରିତ୍ର, ବ୍ୟବହାରକୁ ପାଥେୟ କରି ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କଲେ ସେହିମାନଙ୍କ ଠାରୁ କିଛି ସେବା ଆଶା କରାଯାଇ ପାରେ ।

Leave a Reply

Your email address will not be published. Required fields are marked *