୧୦ରେ ପୁଣି ଆସୁଛନ୍ତି ପ୍ରଧାନମନ୍ତ୍ରୀ: ମାଷ୍ଟରକ୍ୟାଣ୍ଟିନ୍‌ରୁ ବାଣୀବିହାର ରୋଡ୍‌ ସୋ’

ଭୁବନେଶ୍ବର (ଓଡ଼ିଶା ଟୁଡେ): ଆସନ୍ତା ୧୦ ତାରିଖରେ ପୁଣି ଭୁବନେଶ୍ବର ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏହି ଗସ୍ତ ଅବସରରେ ସେ ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ବାଣୀବିହାର ପର୍ଯ୍ୟନ୍ତ ଜନପଥରେ ରୋଡ୍‌ ସୋ’ କରିବେ। ପ୍ରଧାନମନ୍ତ୍ରୀଙ୍କ ଏହି ହାଇଭୋଲ୍‌ଟେଜ୍ ପ୍ରଚାର କାର୍ଯ୍ୟକ୍ରମ କମିସନରେଟ୍‌ ପୁଲିସ ପାଇଁ ଏକ ଆହ୍ବାନ ହୋଇଛି। ତେଣୁ ଏବେଠୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ସବୁପ୍ରକାର ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। କମିସନରେଟ୍‌ ପୁଲିସ ସହ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଏସ୍‌ପିଜି ଏହି ରୋଡ୍‌ ସୋ’ କାର୍ଯ୍ୟକ୍ରମ ସୁରକ୍ଷା ବ୍ୟବସ୍ଥାର ଘନଘନ ସମୀକ୍ଷା କରୁଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଏସ୍‌ପିଜି ଟିମ୍ ରୋଡ୍‌ ସୋ’ ସ୍ଥାନର କ୍ଷେତ୍ରସ୍ତରୀୟ ଯାଞ୍ଚ କରିଛି। ଏସ୍‌ପିଜି ଟିମ୍‌ ସହ କମିସନରେଟ୍‌ ପୁଲିସ, ଆର୍‌ ଆଣ୍ଡ ବି, ବିଏମ୍‌ସିର ଅଧିକାରୀମାନେ ରାମ ମନ୍ଦିର ଛକ ନିକଟରେ ପୂରା ପ୍ରସ୍ତୁତି ପ୍ରକ୍ରିୟାର ସମୀକ୍ଷା କରିଛନ୍ତି। ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ଯାଏ ରାସ୍ତାର ଉଭୟ ପାର୍ଶ୍ବରେ ଦୃଢ଼ ବ୍ୟାରିକେଡ୍‌ କରାଯିବ। ତେଣୁ ଜନପଥର ଉଭୟ ପାର୍ଶ୍ବସ୍ଥ ସମସ୍ତ ବଡ଼ବଡ଼ ବିଲ୍‌ଡିଂ ଓ ମାର୍କେଟ୍‌କୁ ଭଲ ଭାବେ ଯାଞ୍ଚ କରାଯାଉଛି ଏବଂ ସେସବୁକୁ ରୋଡ୍‌ ସୋ’ ସମୟରେ ସୁରକ୍ଷା ଘେରରେ ରଖାଯିବ। ଦୋକାନ ସମ୍ମୁଖରେ ପୁଲିସ କର୍ମଚାରୀ ରହିବାକୁ ଥିବା ବେଳେ ବଡ଼ବଡ଼ ମଲ୍‌ରେ ସୁରକ୍ଷାକର୍ମୀମାନେ ଜଗିରହିବେ। ମାର୍କେଟ୍‌ କମ୍ପ୍ଲେକ୍ସକୁ ପୁଲିସ ଛାଉଣୀରେ ରଖାଯିବ। କମିସନରେଟ୍‌ ପୁଲିସର ଟ୍ରାଫିକ୍‌ ଵିଙ୍ଗ୍‌, ସିକ୍ୟୁରିଟି ଵିଙ୍ଗ୍‌, ଇଣ୍ଟେଲିଜେନସ୍‌ ଵିଙ୍ଗ୍‌ ଓ କାରକେଡ୍‌ ସହ ରହିବାକୁ ଥିବା ବାଟାଲିୟନ୍‌ର ଅଫିସରମାନେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ବ୍ଲୁ-ପ୍ରିଣ୍ଟ ତିଆରି କରିଛନ୍ତି। ରୋଡ୍‌ ସୋ’ରେ ବହୁ ସଂଖ୍ୟକ ବିଜେପି କର୍ମୀ ଯୋଗ ଦେବେ। ତେଣୁ ଟ୍ରାଫିକ୍‌ ସମସ୍ୟା ଉପରେ ଗୁରୁତ୍ବ ଦିଆଯାଇଛି। ରୋଡ୍‌ ସୋ’ ବେଳେ ଜନପଥ ଯାତ୍ରୀଙ୍କ ପାଇଁ ରୁଟ୍‌ ଡାଇଭର୍ସନ‌୍ କରାଯିବ ଏବଂ ପୂର୍ବରୁ ଲୋକଙ୍କୁ ଜଣାଇଦିଆଯିବ। ଡିସିପି ପ୍ରତୀକ ସିଂଙ୍କ କହିବା କଥା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନେଇ ଗ୍ରାଉଣ୍ଡ ଜିରୋରୁ ଯାଞ୍ଚ କରାଯାଉଛି। ବ୍ଲୁ-ବୁକ୍ ସୁରକ୍ଷା ନେଇ ସମସ୍ତ ବନ୍ଦୋବସ୍ତ କରାଯାଉଛି। ପୂରା ରୋଡ୍‌ ସୋ’ ସିସିଟିଭି ନଜରରେ ରହିବ। ଉକ୍ତ ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍‌ ଭାବେ ଘୋଷଣା କରାଯିବ ।

Leave a Reply

Your email address will not be published. Required fields are marked *