ବନ୍ଦ ହେବନି ବିଏସକେୱାଇ, ଡାକ୍ତରଖାନା କର୍ତ୍ତୃପକ୍ଷ ରୋଗୀଙ୍କୁ ଫେରାଇ ପାରିବେନି; ମିଥ୍ୟା ଗୁଜବ କରୁଥିବା ବ୍ୟକ୍ତିଙ୍କୁ ଚେତାବନୀ

ଭୁବନେଶ୍ବର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ) ଚାଲୁ ରହିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଚିକିତ୍ସା ସୁବିଧାକୁ ବନ୍ଦ କରାଯାଇନାହିଁ। ଘରୋଇ ହସ୍ପିଟାଲ ସହ ଚୁକ୍ତିନାମା ବଳବତ୍ତର ରହିଛି। ଏନେଇ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସ୍ପଷ୍ଟୀକରଣ ଦେଇଛନ୍ତି । ବିଏସ୍‌କେୱାଇ କାର୍ଡ ବନ୍ଦ ହୋଇଯାଇଥିବା କହି କେତେକ ଘରୋଇ ହସ୍ପିଟାଲ ରୋଗୀଙ୍କୁ ଫେରାଇ ଦେଉଥିବା ଅଭିଯୋଗ ହେଉଛି। ସାମାଜିକ ଗଣମାଧ୍ୟମରେ ହସ୍ପିଟାଲମାନେ ରୋଗୀଙ୍କୁ ଫେରାଇ ଦେଉଥିବା ଅଭିଯୋଗ ଆସିବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଭଳି ସ୍ପଷ୍ଟୀକରଣ ଦିଆଯାଇଛି।
ଏଣେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହେବା ସହ ବାହାରେ ଥିବା ଦେଢ଼ କୋଟି ଓଡ଼ିଆଙ୍କ ପାଇଁ ମଧ୍ୟ ଏହି ଯୋଜନା ଲାଗୁ ହେବ। ବିଏସ୍‌କେୱାଇରେ ସୀମିତ ସୁବିଧା ରହିଛି ଓ ଲୋକଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରାଯିବ ବୋଲି କହିଥିଲେ। ଶ୍ରୀ ସାମଲ କହିଛନ୍ତି, ସାଧାରଣ ନିର୍ବାଚନର ଗତକାଲି ଫଳାଫଳ ପ୍ରକାଶ ପାଇବା ପରେ ବିଏସକେୱାଇକୁ ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସୁଛି। ରାଜ୍ୟର କିଛି ଘରୋଇ ହସ୍ପିଟାଲଗୁଡ଼ିକ ବିଏସକେୱାଇ କାର୍ଡ ବନ୍ଦ ହୋଇଗଲା କହି ଚିକିତ୍ସା ଯୋଗାଇ ନ ଦେଇ ରୋଗୀମାନଙ୍କୁ ଫେରାଇ ଦେଉଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟରେ ଅଭିଯୋଗ ଆସୁଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରୋଗୀ ଓ ରୋଗର କୌଣସି ଜାତି, ଧର୍ମ ଓ ଦଳ ନାହିଁ। ସାଧାରଣ ନାଗରିକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପ୍ରତ୍ୟେକ ସରକାରର ପ୍ରାଥମିକତା। ସରକାର ପରିବର୍ତ୍ତନ ଏକ ନିରନ୍ତର ପ୍ରକ୍ରିୟା। ଏହି ଆଳରେ ଲୋକଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି କରାଯାଇ ଚିକିତ୍ସା ସେବାରୁ ବଞ୍ଚିତ ରଖାଯିବା ହେଉଛି ଏକ ସାମାଜିକ ଓ ବୈଧାନିକ ଅପରାଧ। ଏଭଳି ସାମାଜିକ ଅପରାଧରୁ କ୍ଷାନ୍ତ ରହି ରୋଗୀମାନଙ୍କୁ ଉପଯୁକ୍ତ ଓ ଉନ୍ନତ ମାନର ସେବା ରାଜ୍ୟବାସୀଙ୍କୁ ଯୋଗାଇ ଦେବା ସହ ପ୍ରଶାସନ ଏଭଳି ମିଥ୍ୟା ଗୁଜବ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *