ରାଜଭବନ କର୍ମଚାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ଘଟଣାର ନୂଆ ମୋଡ, ଭୁଲ ମାଗିଲେ ଅଭିଯୁକ୍ତ

ଭୁବନେଶ୍ବର (ଓଡ଼ିଶା ଟୁଡେ): ରାଜଭବନ କର୍ମଚାରୀଙ୍କୁ ରାଜ୍ୟପାଳଙ୍କ ପୁଅଙ୍କ ମାଡ ଘଟଣା ଭିନ୍ନ ମୋଡ ନେଇଛି। ଆଜି ରାଜଭବନରେ ମାଡ ଖାଇଥିବା କର୍ମଚାରୀ ବୈକୁଣ୍ଠ ପ୍ରଧାନ ଏବଂ ତାଙ୍କ ଧର୍ମପତ୍ନୀଙ୍କୁ ରାଜ୍ୟପାଳଙ୍କ ପୁଅ ଭୁଲ ମାଗିଛନ୍ତି। ଏ ନେଇ ଉଭୟ ବୈକୁଣ୍ଠ ପ୍ରଧାନ ଏବଂ ତାଙ୍କ ଧର୍ମପତ୍ନୀ ଗଣମାଧ୍ୟମ ଆଗରେ କହିଛନ୍ତି। ତେବେ ରାଜ୍ୟପାଳ ଉଭୟଙ୍କୁ ଖୁବ ଶିଘ୍ର ନ୍ୟାୟ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ବୋଲି ଉଭୟ କହିଛନ୍ତି।

ସୂଚନା ଯୋଗ୍ୟ ଯେ, ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଲିତ କୁମାର, ରଥଯାତ୍ରା ସମୟରେ ପୁରୀ ରାଜଭବନରେ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଶନିବାର ଦିନ ଏ ନେଇ ପୁରୀ ସମୂଦ୍ରକୂଳ ଥାନାରେ ଏକ ଏତଲା ଦେଇଛନ୍ତି ବୈକୁଣ୍ଠ।

ବୈକୁଣ୍ଠ ପ୍ରଧାନଙ୍କ କହିବା ଅନୁଯାୟୀ, ରଥଯାତ୍ରା ରାତିରେ ପୁରୀ ରାଜଭବନରେ ଲଳିତ ଓ ଅନ୍ୟ ୫ ଜଣ ତାଙ୍କୁ ମାଡ଼ ମାରିଥିଲେ। ଏ ନେଇ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଅବଗତ କରିଥିଲେ ଏବଂ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗୁହାରି କରିଥିଲେ। କିନ୍ତୁ ଏ ଘଟଣାରେ ସେ ଚୁପ୍ ରହିଥିବାରୁ ବୁଧବାର ପୁଣିଥରେ ବୈକୁଣ୍ଠନାଥ ଲିଖିତ ଅଭିଯୋଗ କରିଥିଲେ।

ତେବେ ଏହାକୁ ନେଇ ଉଭୟ କଂଗ୍ରେସ ଓ ବିଜେଡି ତରଫରୁ ଉଦବେଗ ପ୍ରକାଶ କରାଯାଇଛି। ଆଜି ଯୁବ କଂଗ୍ରେସ ତରଫରୁ ରାଜଭବନ ସମ୍ମୁଖରେ ଘେରାଉ କରାଯାଇ ଥିଲା। ଏଥିରେ ଦୋଷୀକୁ ଦଣ୍ଡ ପ୍ରଦାନ କରାଯାଉ ବୋଲି ଦାବୀ କରାଯାଇଥିଲା।

ସେହିପରି ବିଜେଡି ତରଫରୁ ପ୍ରତାପ ଦେବ ମଧ୍ୟ ଏହି ଘଟଣାକୁ ନେଇ ବିଜେପି ସରକାରଙ୍କୁ ଘେରିଛନ୍ତି। ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଭିଯୋଗ ପ୍ରକୋଷ୍ଠ ଖୋଲିଛନ୍ତି। ଏହି କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ନ୍ୟାୟ ଦିଅନ୍ତୁ ବୋଲି ବିଜେଡି ଦାବୀ କରିଛି।

Leave a Reply

Your email address will not be published. Required fields are marked *