
ବ୍ରହ୍ମପୁର (ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଫାସିଗୁଡା ଗାଁରେ ଆଜି ଅପରାହ୍ନରେ ନାଟକ ପରିବେଷଣ ବେଳେ ବିଦ୍ୟୁତ୍ ସର୍ଟସର୍କିଟ୍ ଘଟି ୨୦ ଜଣ ଅସୁସ୍ଥ ହୋଇପଡିଛନ୍ତି। ଏମାନଙ୍କ ମଧ୍ୟରେ ୯ ଜଣ ନାବାଳକ ରହିଛନ୍ତି। ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ୧୧ ଜଣ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି।
ନାଟକ ମଞ୍ଚଟି ଷ୍ଟିଲ୍ ସାମଗ୍ରୀ ବ୍ୟବହାର କରି ତିଆରି କରାଯାଇଥିଲା। ତେବେ ରବିବାର ବର୍ଷା ହେବାରୁ ପୈ।ରାଣିକ ନାଟକ ପରିବେଷଣ ସ୍ଥଗିତ ରହିଥିଲା। କିନ୍ତୁ କିଛି ପିଲା ଓ ବୟସ୍କ ଲୋକ ମଞ୍ଚ ଉପରେ ତଥା ଅତି ନିକଟରେ ଠିଆ ହୋଇ ରହିଥିଲେ। ସେଠାରୁ କୈାଣସି ପ୍ରକାରେ ବିଦ୍ୟୁତ୍ ସର୍ଟସର୍କିଟ୍ ଘଟି ମଞ୍ଚରେ ପ୍ରବାହିତ ହୋଇଥିଲା। ସେମାନେ ବିଦ୍ୟୁତ୍ ଝଟକା ଖାଇ ଅସୁସ୍ଥ ହୋଇପଡିଥିଲେ। ତେବେ ଅପରେଟର୍ ତୁରନ୍ତ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଦେବାରୁ ଅଧିକ ଅଘଟଣକୁ ଟାଳି ଦିଆଯାଇ ଥିଲା। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଏମକେସିଜି ଯାଇ ଚିକିତ୍ସିତ ହେଉଥିବା ପିଲା ଓ ସେମାନଙ୍କ ଅଭିଭାବକଙ୍କୁ ଭେଟିଥିଲେ।