ସାବିତ୍ରୀ ମହିଳା ମହାବିଦ୍ୟାଳୟ ମୁଖ୍ୟ ତୋରଣରେ ପ୍ରତିଷ୍ଠାତା ସୋମନାଥ ରଥଙ୍କ ନାମ ପୁନଃ ସ୍ଥାନିତ

ଭଞ୍ଜନଗର (ଓଡ଼ିଶା ଟୁଡେ): ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର ପୁରୁଣା ପ୍ରବେଶ ତୋରଣକୁ କିଛିବର୍ଷ ପୂର୍ବେ ସୁରକ୍ଷା କାରଣ ଦର୍ଶାଇ ଭଙ୍ଗାଯାଇଥିଲା । ଏହାପରେ ତାହାକୁ ସବୁଦିନ ପାଇଁ ବନ୍ଦ କରି ଦିଆଯାଇ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ନୂତନ ତୋରଣ ନିର୍ମାଣ କରାଯାଇଥିଲା। ପୂର୍ବର ପ୍ରବେଶ ତୋରଣରେ କଲେଜ ପ୍ରତିଷ୍ଠାତା ପୂର୍ବତନ ବାଚସ୍ପତି ସ୍ବର୍ଗତ ସୋମନାଥ ରଥଙ୍କ ନାମ ଥିଲା । କିନ୍ତୁ ନୂତନ ପ୍ରବେଶ ତୋରଣରେ ପ୍ରତିଷ୍ଠାତାଙ୍କ ନାମକୁ ହଟାଇ ଦିଆଯାଇଥିଲା। ଏହାକୁ ନେଇ ସେ ସମୟରେ ବିରୋଧି ଦଳର ନେତାମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ ସମୟରେ ଶାସକଦଳ ପକ୍ଷରୁ ପ୍ରତିଷ୍ଠାତାଙ୍କ ଏକ ପ୍ରତିମୂର୍ତ୍ତି କଲେଜ ପରିସରରେ ସ୍ଥାପନ ପାଇଁ ଉଦ୍ୟମ ହୋଇଥିଲା । କିନ୍ତୁ ତାହା ଏବେ ସୁଦ୍ଧା ହୋଇପାରିନାହିଁ। ଏଭଳି ସ୍ଥିତିରେ ଭଞ୍ଜନଗର ନୂତନ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ କିଛିଦିନ ପୂର୍ବେ ସାବିତ୍ରୀ ମହିଳା ମହାବିଦ୍ୟାଳୟ ପରିଦର୍ଶନରେ ଯାଇଥିବା ବେଳେ କଲେଜ କର୍ତ୍ତୃପକ୍ଷଙ୍କୁ ପ୍ରତିଷ୍ଠାତାଙ୍କ ନାମକୁ ମୁଖ୍ୟ ତୋରଣରେ ଲେଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସୋମବାର ମୁଖ୍ୟ ଫାଟକରେ ପ୍ରତିଷ୍ଠାତା ସୋମନାଥ ରଥଙ୍କ ନାମ ଲେଖାଯାଇଛି ।

Leave a Reply

Your email address will not be published. Required fields are marked *