ଅଗଷ୍ଟ ୧୩ ରୁ “ହର ଘର ତ୍ରିରଙ୍ଗା” ଅଭିଯାନ, ସରକାରଙ୍କ ସମୀକ୍ଷା

ଭୁବନେଶ୍ବର (ଓଡ଼ିଶା ଟୁଡେ): ଆଜାଦୀ କା ଅମୃତ ମହୋତ୍ସବ ଅଧିନରେ “ହର ଘର ତ୍ରିରଙ୍ଗା” ଅଭିଯାନ ରାଜ୍ୟ ବ୍ୟାପି ଅନୁଷ୍ଠିତ ହେବ। ଆଗାମୀ ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱାଧୀନତାର ୭୭ ବର୍ଷ ପାଳନ ଅବସରରେ ଏହି ଅଭିଯାନ ଅଗଷ୍ଟ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପି ଅନୁଷ୍ଠିତ ହେବ। ପ୍ରତ୍ୟେକ ଘରେ ଘରେ ଜାତୀୟ ପତାକା ତ୍ରିରଙ୍ଗା ଉଡାଇ ଭାରତର ସ୍ୱାଧୀନତା ଉତ୍ସବ ପାଳିବାକୁ ଉତ୍ସାହିତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।

ଏ ସଂପର୍କରେ ଭାରତ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ତରଫରୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରେରିତ ପତ୍ର ଆଧାରରେ ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ “ହର ଘର ତିରଙ୍ଗା” ଅଭିଯାନ ଅନୁଷ୍ଠିତ ହେବ। ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା, ମିଶନ ଶକ୍ତି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା,ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଆଦିର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏହି ପରିପ୍ରେକ୍ଷୀରେ ରାଜ୍ୟ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସଂଧ୍ୟାରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଲୋଚନା ଅନୁସାରେ “ହର ଘର ତିରଙ୍ଗା” କାର୍ଯ୍ୟକ୍ରମ ପ୍ରତି ଜିଲ୍ଲା, ବ୍ଲକ ସମେତ ପଂଚାୟତ ସ୍ତରରେ ମଧ୍ୟ ଅନୁଷ୍ଠିତ ହେବ। ଗ୍ରାମ ପଂଚାୟତ ସ୍ତର କାର୍ଯ୍ୟକ୍ରମରେ ପଂଚାୟତିରାଜ ପ୍ରତିନିଧି, ସ୍ୱୟଂସହାୟକ ଗୋଷ୍ଠୀ, ଜିଳ୍ଲା ଜଳ ଓ ପରିମଳ କମିଟିଙ୍କ ସହ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେବେ।

ଏଥିପାଇଁ ପ୍ରସ୍ତୁତି ନିମନ୍ତେ ନିର୍ଦ୍ଦେଶନାମା ରାଜ୍ୟ ପଂଚାୟତିରାଜ ଓ ପାନୀୟଜଳ ବିଭାଗ ତରଫରୁ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରେରଣ କରାଯାଇ ନିର୍ଦ୍ଦେଶ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜାତୀୟ ପତାକା ସହ ସେଲଫି www.harghar tringa.com ରେ ଅପଲୋଡ କରିବାକୁ ଅନୁରୋଧ କରାଯାଇଛି । ୨୦୨୨ ରେ ଅନୁଷ୍ଠିତ “ହର ଘର ତିରଙ୍ଗା” ଅଭିଯାନରେ ଦେଶର ୨୩ କୋଟି ଜନତା ସାମିଲ ହେବା ସହ ୭ କୋଟି ଜନତା ସେଲଫି ଉଠାଇ ପୋର୍ଟାଲରେ ଅପଲୋଡ କରିଥିଲେ । ଅଗଷ୍ଟ ୨୦୨୩ ରେ ୧୦ କୋଟିରୁ ଊର୍ଦ୍ଧ୍ୱ ଜନ ସାଧାରଣ ସେଲଫି ୱେବସାଇଟ୍‌ରେ ପୋଷ୍ଟ କରିଥିଲେ ।

ଚଳିତ ବର୍ଷ “ହର ଘର ତିରଙ୍ଗା” ବ୍ୟାନରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବାକୁ ରାଜ୍ୟ ସରକାରଙ୍କ ତରଫରୁ ପଦକ୍ଷେପ ନିଆଯିବ । ଏହି ପରିପ୍ରେକ୍ଷୀରେ ତ୍ରିରଙ୍ଗା ଶପଥ ଓଡିଆ ଭାଷାରେ ନିଆଯିବ । ସ୍ଥାନୀୟ ନେତୃବୁନ୍ଦ, ବିଦ୍ୟାଳୟ, ମହା ବିଦ୍ୟାଳୟ, ବିଭିନ୍ନ ଅନୁଷ୍ଠାନ ଓ ଜନସାଧାରଣ ଜାତୀୟ ପତାକା ସହ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବେ। ରାଜ୍ୟ ସ୍ତରରେ, ସହରାଞ୍ଚଳରେ, ଜିଲ୍ଲା, ବ୍ଲକ୍‌ ଓ ପଂଚାୟତି ସ୍ତରରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେବ। ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ସଙ୍ଗୀତ ସମାରୋହ ଅନୁଷ୍ଠିତ ହେବ।

ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସେମାନଙ୍କ ପରିବାରଙ୍କୁ ଏଥିରେ ସାମିଲ କରାଯିବ । ରାଜ୍ୟସ୍ତରରେ ଏବଂ ଜିଲ୍ଲାସ୍ତରୀୟ ଉତ୍ସବର ତ୍ରିରଙ୍ଗା କାନଭାସ ରଖାଯିବ, ଯେଉଥିରେ ଜନସାଧାରଣ “ହର ଘର ତିରଙ୍ଗା” ଏବଂ “ଜୟ ହିନ୍ଦ” ଲେଖି ଅଭିଯାନରେ ସାମିଲ ହେବେ। ଜାତୀୟ ପତାକାର ସାଇଜ ୨:୩ ଅନୁପାତ ହେବା ସହ ଏହା କପଡାରେ ତିଆରି ହୋଇଥିବ । ମିଶନ ଶକ୍ତି ବିଭାଗ ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀ ସହଯୋଗରେ ଜାତୀୟ ପତାକା ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଅନୁମୋଦିତ ହର ଘର ତ୍ରିରଙ୍ଗା ଲୋଗୋ, ବ୍ୟାକଡ୍ରପ, ହୋର୍ଡିଂ ଆଦି ବ୍ୟବହାର ହେବ ।ଅନୁମୋଦିତ ବ୍ରାଣ୍ଡିଂ www.harghartriranga.com ଏବଂ www.indiaculture.gov.in ୱେବସାଇଟ୍‌ ରେ ଉପଲବ୍ଧ ରହିଛି । “ହର ଘର ତିରଙ୍ଗା” ବାର୍ତ୍ତା ଯେପରି ଘରେ ଘରେ ପହଞ୍ଚିବ, ସେଥିପାଇଁ ସମସ୍ତେ କାର୍ଯ୍ୟକ୍ରମରେ ସାମିଲ ହେବାକୁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ସମସ୍ତ ବିଭାଗର ସହଯୋଗ କାମନା କରିବା ସହ ଅନୁରୂପଭାବେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରାଯାଇ କାର୍ଯ୍ୟକ୍ରମର ସଫଳତା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି।

କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ, ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା, ବାଣିଜ୍ୟ ଓ ପରିବହନ , ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀ, ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ମିଶନ ଶକ୍ତି ବିଭାଗ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ବିଡିଏ ଉପାଧ୍ୟକ୍ଷ ଶ୍ରୀ ବଲଓ୍ୱନ୍ତ ସିଂଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *