
ଢାକା (ଏଜେନ୍ସି): ହିଂସାଗ୍ରସ୍ତ ବାଂଲାଦେଶରେ ଆଜି ନୂଆ ସରକାର ଗଠନ ହୋଇଛି। ନୋବେଲ ବିଜେତା ମହମ୍ମଦ ୟୁନୁସ ଏହି ଅନ୍ତରୀଣ ସରକାରର ନୂ୍ଆ ମୁଖ୍ୟ ହୋଇଛନ୍ତି। ସେ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ଭାବେ ଆଜି ଶପଥ ନେଇଛନ୍ତି। ବଙ୍ଗଭବନରେ ଆୟୋଜିତ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଆଜି ରାଷ୍ଟ୍ରପତି ମହମ୍ମଦ ସାହାବୁଦ୍ଦିନ ତାଙ୍କୁ ଶପଥ ପାଠ କରାଇଛନ୍ତି। ୟୁନୁସଙ୍କ ସହ ଆଜି ଅନ୍ୟ ୭ ଜଣ ନେତା ମଧ୍ୟ ଶପଥ ନେଇଛନ୍ତି। ବାଂଲାଦେଶ ଜାତୀୟ ସଂଗୀତ ସହ ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁନୁସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ବାଂଲାଦେଶରେ ଶାନ୍ତି ଓ ପ୍ରଗତି ପାଇଁ ମିଳିତ ଭାବେ କାମ କରିବାକୁ ଆଶ୍ବସ୍ତ କରିଛନ୍ତି ।