
ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ଚଳିତବର୍ଷ ନିର୍ବାଚନ ନ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଛାତ୍ର ସଙ୍ଗଠନ ପ୍ରତିବାଦ ଆରମ୍ଭ କରିଛନ୍ତି। ଛାତ୍ର କଂଗ୍ରେସ ପରେ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ନିର୍ବାଚନ ଦାବିରେ ଉତ୍କଳ ବିଶ୍ୱବିଦ୍ୟାଳୟ ଓ କମଳା ନେହେରୁ ମହିଳା ମହାବିଦ୍ୟାଳୟରୁ ଦସ୍ତଖତ ଅଭିଯାନ ହୋଇଛି। ଶୁକ୍ରବାର ସଂଗଠନ ରାଜ୍ୟର ଅନ୍ୟାନ୍ୟ କ୍ୟାମ୍ପସରେ ଅନୁରୂପ ପଦକ୍ଷେପ ନେବ। ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ନେତୃତ୍ବ ବିକାଶର ଏନ୍ତୁଡିଶାଳ ପାଲଟିଥିବା ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ର ସଂସଦ ନିର୍ବାଚନର ଆବଶ୍ୟକତା ରହିଛି। ଏହା ଦ୍ବାରା କଲେଜର ସାଧାରଣ ସମସ୍ୟା ସାମ୍ନାକୁ ଆସେ। ତାହାର ସମାଧାନ ମଧ୍ୟ ହୁଏ। ଛାତ୍ରଛାତ୍ରୀ ସେମାନଙ୍କ ଅଧିକାର ସାବ୍ୟସ୍ତ କରିବାକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ରାଜ୍ୟ ସରକାର ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ।