ସିମ୍ ବକ୍ସ ମାମଲା: ପୁଣି ଦୁଇଦିନଆ ରିମାଣ୍ଡରେ ଗଲା ଅଭିଯୁକ୍ତ ରାଜୁ ମଣ୍ଡଳ

ଭୁବନେଶ୍ବର: ସିମ୍ ବକ୍ସ ମାମଲାରେ ଅଭିଯୁକ୍ତ ରାଜୁ ମଣ୍ଡଳକୁ କମିସନରେଟ୍ ପୁଲସ୍ ଆଉ ଦୁଇଦିନିଆ ରିମାଣ୍ଡରେ ନେଇଛି। ତାକୁ ପୁଣି ପଚରାଉଚରା କରି ଅଧିକ ତଥ୍ୟ ଓଗାଳିବ ପୁଲିସ। ନିକଟରେ ରାଜୁକୁ ଝାରଖଣ୍ଡର ରାଞ୍ଚିକୁ ନେଇଥିଲା। ଭୁବନେଶ୍ୱର, କଟକ ପରେ ଝାରଖଣ୍ଡରେ ସିମ୍ ବକ୍ସ ରହିଛି ବୋଲି ତଦନ୍ତରୁ ଜଣାପଡ଼ିବା ପରେ ପୁଲିସ ତାକୁ ରାଞ୍ଚି ନେଇଥିଲା। ତଦନ୍ତକାରୀ ଟିମ୍ ସହିତ ଅଭିଯୁକ୍ତ ରାଜୁ ମଣ୍ଡଳକୁ ଝାରଖଣ୍ଡ ନିଆଯାଇଥିଲା। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଅସଦୁର ଜମାନକୁ ଗିରଫ କରିବା ପାଇଁ ଇଣ୍ଟରପୋଲର ସହାୟତା ନେଇଛି କମିସନରେଟ ପୁଲିସ ।
ଏଣେ ସିମ୍ ବକ୍ସ ମାମଲାରେ ରାଜୁ ମଣ୍ଡଳ ଗିରଫ ହେବା ଘଟଣାରେ ଆସିଥିଲା ନୂଆ ଟ୍ୱିଷ୍ଟ। ରାଜୁ ମଣ୍ଡଳ ନିଖୋଜ ହେବା ନେଇ ପରିବାର ଲୋକ ଥାନାରେ ଏତଲା ଦେଇଛନ୍ତି। ପଶ୍ଚିମବଙ୍ଗର ଏକ ଥାନାରେ ରାଜୁର ନିଖୋଜ ରିପୋର୍ଟ ଦେଲେ ଘର ଲୋକ। ମିସିଂ ରିପୋର୍ଟ ପାଇବା ପରେ ରାଜୁ ମଣ୍ଡଳ ମୋବାଇଲ ଫୋନ୍ ଟ୍ରାକ କରିଥିଲା ପଶ୍ଚିମବଙ୍ଗ ପୁଲିସ ।
ରାଜୁର ଲାଷ୍ଟ ଲୋକେଶନ୍ ଲକ୍ଷ୍ମୀସାଗର ଥାନା ସୋ କରିଥିଲା। ଲକ୍ଷ୍ମୀସାଗର ଥାନା ପୁଲିସ ସହ ପଶ୍ଚିମବଙ୍ଗ ପୁଲିସ କଥା ହେବା ପରେ ପରିବାର ଲୋକ ରାଜୁ ଗିରଫ ହେବା ନେଇ ସୂଚନା ପାଇଥିଲେ। ଗିରଫ ସୂଚନା ପାଇବା ପରେ ରାଜୁ ମଣ୍ଡଳ ପରିବାର ଲୋକ ଓକିଲ ସହ ଲକ୍ଷ୍ମୀସାଗର ଥାନା ଆସିଥିବା ବେଳେ ରାଜୁର ଗିରଫ ସମ୍ପର୍କୀୟ ସବୁ ତଥ୍ୟ ଲକ୍ଷ୍ମୀସାଗର ଥାନା ପୁଲିସକୁ ଦେଇଥିଲା। ଏଥି ସହ ପରିବାର ଲୋକଙ୍କୁ ମଧ୍ୟ ରାଜୁ ସମ୍ପର୍କରେ ଅଧିକ ପଚରଉଚରା କରିଥିଲା ଲକ୍ଷ୍ମୀସାଗର ଥାନା ପୁଲିସ ।

Leave a Reply

Your email address will not be published. Required fields are marked *