ଅନୁସୂଚିତ ଜାତି ଓ ଜନଜାତିଙ୍କ ବିରୋଧରେ ପ୍ରତ୍ୟେକ ଅପରାଧ ଏସସି/ଏସଟି ଆଇନ ପରିସରଭୁକ୍ତ ହେବନାହିଁ: ସୁପ୍ରିମକୋର୍ଟ

ଓଡ଼ିଶା ଟୁଡେ ଡିଜିଟାଲ ଡେସ୍କ: ଅନୁସୂଚିତ ଜାତି(ଏସସି) ଏବଂ ଅନୁସୂଚିତ ଜନଜାତି(ଏସଟି)ଙ୍କ ବିରୋଧରେ କେଉଁ ଅପରାଧ କ୍ଷେତ୍ରରେ ଏସସି/ଏସଟି ଆଇନ ଲାଗୁ ହେବ ତାହା ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ। ଯଦି କୌଣସି ବ୍ୟକ୍ତି ଏହି ସମ୍ପ୍ରଦାୟର ଲୋକଙ୍କୁ ସେମାନଙ୍କ ଜାତି, ସମ୍ପ୍ରଦାୟ ଏବଂ ଅସ୍ପୃଶ୍ୟତାକୁ ଆଧାର କରି ଅପମାନିତ କରିନାହାନ୍ତି, ତେବେ ସେ କ୍ଷେତ୍ରରେ କଠୋର ଏସସି/ଏସଟି ଆଇନ ଲାଗୁ ହୋଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଜାରି କରିଛନ୍ତି ।

ବିଚାରପତି ଜେ.ବି. ପାର୍ଦିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାଲାୟାଲମ ନ୍ୟୁଜ ଚ୍ୟାନେଲର ସମ୍ପାଦକ ଶାଜନ ସ୍କାରିଆଙ୍କୁ ଏକ ମାମଲାରେ ଆଗୁଆ ଜାମିନ ପ୍ରଦାନ କରିବା ଅବସରରେ ଏହା କହିଛନ୍ତି। ଶାଜନ ଅନୁସୂଚିତ ଜାତି ବର୍ଗର ସିପିଏମ ବିଧାୟକ ପି.ଭି. ଶ୍ରୀନିଜନଙ୍କୁ ‘ମାଫିଆ ଡନ୍‌’ କହିବାରୁ ତାଙ୍କ ନାମରେ ଏସସି/ଏସଟି ଆଇନ ବଳରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ତଳ କୋର୍ଟ ଏବଂ କେରଳ ହାଇକୋର୍ଟ ଶାଜନଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିବାରୁ ସେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଏସସି/ଏସଟି ସମ୍ପ୍ରଦାୟର ଲୋକଙ୍କ ପ୍ରତି କରାଯାଇଥିବା ପ୍ରତ୍ୟେକ ଉଦ୍ଦେଶ୍ୟମୂଳକ ଅପମାନଗୁଡ଼ିକୁ ଜାତିଭିତ୍ତିକ ଅପମାନ ବୋଲି ବିବେଚନା କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Leave a Reply

Your email address will not be published. Required fields are marked *