ଆଶିଷ ସିଂହ ଓ କୁଟ୍ଟେଙ୍କ ଅଡୁଆ ବଢ଼ିଲା, ୩୦ଦିନ ମଧ୍ୟରେ ପକ୍ଷ ରଖିବାକୁ ଗୃହ ବିଭାଗର ନିର୍ଦେଶ

 Share

ଭୁବନେଶ୍ୱର : ସାଧାରଣ ନିର୍ବାଚନ ସମୟରେ ବିଜେଡି ସରକାରଙ୍କ ପାଇଁ କାମ କରିବା ଅଭି​େଯୋଗ ଦୁଇ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଆଶିଷ ସିଂହ ଓ ଡି.ଏସ୍‌ କୁଟ୍ଟେଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି। ଏକ ମାସ ମଧ୍ୟରେ ନିଜ ପକ୍ଷ ରଖିବାକୁ ଗୃହ ବିଭାଗ ପକ୍ଷରୁ ଦୁଇ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ସନ୍ତୋଷଜନକ ଉତ୍ତର ନ ଦେଲେ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୃହ ବିଭାଗ ପକ୍ଷରୁ ସେମାନଙ୍କୁ ଦିଆଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ।
ନିର୍ବାଚନ ସମୟରେ ଆଇପିଏସ୍‌ ଅଫିସର ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବତନ୍ତ୍ର ସଚିବ ଥିବା ଶ୍ରୀ କୁଟ୍ଟେ ଖୋର୍ଦ୍ଧା ଜିଲାପାଳ ତଥା ରିଟର୍ଣ୍ଣିଂ ଅଫିସର ଚଞ୍ଚଳ ରଣାଙ୍କୁ ଜଣେ ବିଧାୟକ ପ୍ରାର୍ଥୀଙ୍କୁ ଗିରଫ କରିବାକୁ ନିର୍ଦେଶ ଦେଇଥିଲେ। ଏଥିସହିତ ଷ୍ଟେଟ ଲେଭଲ ମିଡ଼ିଆ ସାର୍ଟିଫିକେସନ ଆଣ୍ଡ ମନିଟରିଂ କମିଟି(ଏମ୍‌ସିଏମ୍‌ସି) ପକ୍ଷରୁ ଏକ ଖବରକାଗଜରେ ବିଜ୍ଞାପନ ପ୍ରକାଶ କରିବାକୁ ଠିକ୍‌ ନିର୍ବାଚନ ପୂର୍ବଦିନ ଅନୁମତି ମିଳିଥିଲା। ଏହି ଘଟଣାରେ ଶ୍ରୀ କୁଟ୍ଟେ ଅସନ୍ତୋଷ ପ୍ରକାଶ କରିବା ସହିତ ଉକ୍ତ ବିଜ୍ଞାପନ ବନ୍ଦ କରିବାକୁ କମିଟି ଅଧ୍ୟକ୍ଷଙ୍କୁ ପରାମର୍ଶ ଦେଇଥିଲେ। ତାଙ୍କ ପରାମର୍ଶରେ ଉକ୍ତ ବିଜ୍ଞାପନ ଖବରକାଗଜରେ ପ୍ରକାଶ ପାଇନଥିଲା। ଚାକିରି ନିୟମ ଉଲ୍ଲଙ୍ଘନ କରି ସେ ଏପରି ନିର୍ଦେଶ ଦେଇଥିବା ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ରାଜ୍ୟ ବିଜେପି ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରିବା ପରେ ତାଙ୍କୁ ନିଲମ୍ବନ କରିବାକୁ ନିର୍ବାଚନ କମିସନ ସରକାରଙ୍କୁ ନିର୍ଦେଶ ଦେଇଥିଲେ ।
ସରକାରୀ ଅଧିକାରୀ ଚାକିରି ସର୍ତ୍ତାବଳୀ ଅନୁଯାୟୀ କୌଣସି ରାଜନୈତିକ ଦଳ ସହିତ ପ୍ରତ୍ୟକ୍ଷଭାବେ ସଂଶ୍ଳିଷ୍ଟ ହୋଇପାରିବେ ନାହିଁ। ଶ୍ରୀ କୁଟ୍ଟେ ରାଜନୈତିକ ଦଳର ହାତବାରିସୀ ସାଜି ଜଣେ ବିଧାୟକଙ୍କକୁ ଗିରଫ ପାଇଁ ନିର୍ଦେଶ ଦେବା ଓ ବିଜ୍ଞାପନ ବନ୍ଦ କରିବା ଅଭିଯୋଗରେ ସତ୍ୟତା ରହିଥିବା କମିସନ ତଦନ୍ତ କରି ଜାଣିବା ପରେ ତାଙ୍କୁ ନିଲମ୍ବିତ କରିବାକୁ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ନିର୍ବାଚନ କମିସନଙ୍କ ନିର୍ଦେଶକ୍ରମେ ଶ୍ରୀ କୁଟ୍ଟେଙ୍କୁ ସରକାର ନିଲମ୍ବିତ କରିଥିଲେ ।
ସେହିପରି ଆଇପିଏସ୍‌ ଅଧିକାରୀ ଶ୍ରୀ ସିଂହ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ଥିବାବେଳେ ନିର୍ବାଚନ ସମୟରେ ଅସୁସ୍ଥତା ଦର୍ଶାଇ ଏକ ମାସ ଛୁଟିରେ ରହିଥିଲେ। ଛୁଟିରେ ରହି ସେ ନିର୍ଦିଷ୍ଟ ଏକ ରାଜନୈତିକ ଦଳ ପାଇଁ କାର୍ଯ୍ୟ କରୁଥିବା ନେଇ ବିଜେପି ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରିଥିଲା। ନିର୍ବାଚନ କମିସନ ଘଟଣାର ଗୁରୁତ୍ବ ଉପଲବ୍ଧି କରି ଭୁବନେଶ୍ବର ଏମ୍ସ ନିର୍ଦେଶକଙ୍କୁ ଏକ ଡାକ୍ତରୀ ଦଳ ଦ୍ବାରା ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ନିର୍ଦେଶ ଦେଇଥିଲେ। ତାଙ୍କର କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ନଥିବା ଏମ୍ସ ନିର୍ଦେଶକ ତାଙ୍କ ରିପୋର୍ଟରେ ନିର୍ବାଚନ କମିସନଙ୍କୁ ଜଣାଇଥିଲେ। କମିସନ ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ। ଶ୍ରୀ କୁଟ୍ଟେ ଓ ଶ୍ରୀ ସିଂହ ବର୍ତ୍ତମାନ ଗୃହ ବିଭାଗରେ ଓଏସ୍‌ଡିଭାବେ କାର୍ଯ୍ୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *