ଗୁରୁ ଦିବସରେ ଗଛ ହେଉ ଶ୍ରେଷ୍ଠ ଗୁରୁଦକ୍ଷିଣା: ସୁଦର୍ଶନ

ପୁରୀ: ‘‘ପରିବେଶ ସୁରକ୍ଷା, ବୃକ୍ଷରୋପଣ, ହେବ ଇଏ ଶ୍ରେଷ୍ଠ ଗୁରୁ ଦକ୍ଷିଣା।’’ ପବିତ୍ର ଗୁରୁ ଦିବସର ଅବ୍ୟବହିତ ପୂର୍ବରୁ ଆଜି ପୁରୀ ବେଳାଭୂମିରେ ବାଲୁକା କଳା ଜରିଆରେ ଏଭଳି ଆହ୍ବାନ ଦେଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପରିବେଶ ଓ ଭବିଷ୍ୟତ ପିଢ଼ିଙ୍କ ସୁରକ୍ଷାର ଚିନ୍ତନ କରି ଗୁରୁ ଦିବସ ଅବସରରେ ଗୁରୁ ଦକ୍ଷିଣାରେ ପେନ୍‌, ଚକୋଲେଟ୍ ଆଦି ଉପହାର ଦେବା ବଦଳରେ ଏକ ଗଛ ଉପହାର ଦେବାକୁ ସେ କହିଛନ୍ତି। ଏହା କେବଳ ଗୁରୁଙ୍କ ପାଇଁ ନୁହେଁ, ଜୀବଜଗତ ପାଇଁ ଶ୍ରେଷ୍ଠ ଉପହାର ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ସମ୍ବାଦ ଗ୍ରୁପ ପକ୍ଷରୁ ଆରମ୍ଭ ହୋଇଛି ଅଭିନବ କାର୍ଯ୍ୟକ୍ରମ ‘ପୁନଶ୍ଚ ପୃଥିବୀ’। ‘ପୁନଶ୍ଚ ପୃଥିବୀ’ର ଏ ବର୍ଷର ଆହ୍ବାନ ରହିଛି ‘କାଲି ପାଇଁ ଆଜି’। ଶ୍ରୀ ପଟ୍ଟନାୟକ କହିଛନ୍ତି, ସମ୍ବାଦ ଗ୍ରୁପ ପକ୍ଷରୁ ଆୟୋଜିତ ଏଭଳି କାର୍ଯ୍ୟକ୍ରମ ସ୍ବାଗତଯୋଗ୍ୟ। ଅନୁରୋଧ କରୁଛି, ଶିଷ୍ୟ-ଶିଷ୍ୟାମାନେ ଗୁରୁମାନଙ୍କୁ ଗଛଟିଏ ଉପହାର ଦେଇ ପରିବେଶ ସୁରକ୍ଷାର ସବୁଜବାହିନୀ ହୁଅନ୍ତୁ ।

ପ୍ଲାଷ୍ଟିକଠାରୁ ଆରମ୍ଭ କରି ଅନେକ ଜିନିଷ ପରିବେଶକୁ ନଷ୍ଟ କରୁଛି। ଏହାକୁ ଆମେ ଦୂରେଇ ଦେଇ ସବୁଜ ସହର, ସବୁଜ ଓଡ଼ିଶା, ସବୁଜ ଦେଶ ଗଠନ କରିବା। ‘କାଲି ପାଇଁ ଆଜି’ର ଆହ୍ବାନ ଅନେକ କିଛି ଗଭୀର କଥାକୁ ବହନ କରୁଛି। ଶ୍ରୀ ପଟ୍ଟନାୟକ କହିଛନ୍ତି, ଏହି ବାଲୁକା କଳା ପାଇଁ ୫ ଶହ ଟନ୍‌ ବାଲି ବ୍ୟବହାର ହୋଇଛି। ସେ ଓ ସୁଦର୍ଶନ ସ୍ୟାଣ୍ଡ୍‌ ଆର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ର ଛାତ୍ରଛାତ୍ରୀମାନେ ମିଶି ଏହି ବାଲୁକା କଳା କରିଛନ୍ତି ।

Leave a Reply

Your email address will not be published. Required fields are marked *