
ମାଲକାନଗିରି,୧୧/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ମାଓ ସଙ୍ଗଠନ ବର୍ତ୍ତମାନ ସମ୍ପୂର୍ଣ୍ଣ ଭୁଶୁଡି ପଡିବା ସହ ଅନ୍ତିମ ନିଶ୍ବାସ ନେଉଛି। ଏଭଳି ସ୍ଥିତିରେ ମାଓନେତାଙ୍କୁ ଘରକୁ ଫେରିବା ଆସିବା ପାଇଁ ନିବେଦନ କରିଛନ୍ତି ପରିବାର ସହ ଗ୍ରାମବାସୀ। ଏଭଳି ଚିତ୍ର ଆସିଛି ମାଲକାନଗିରି ଜିଲ୍ଲାରୁ । ଏକଦା ମାଓଗଡ ଭାବେ ପରିଚିତ ଏହି ଜିଲ୍ଲା ବର୍ତ୍ତମାନ ମାଓମୁକ୍ତ ହୋଇଛି। ଜିଲ୍ଲାରୁ ମାଓ ସଙ୍ଗଠନକୁ ଯାଇ କୁଖ୍ୟାତ ମାଓନେତା ଭାବେ ପରିଚୟ ପାଇଥିବା କୋଷା ସୋଡି ଓରଫ ଶୁକ୍ରୁଙ୍କୁ ଘରକୁ ଫେରି ସାଧାରଣ ଜୀବନ ବଞ୍ଚିବା ପାଇଁ ତାଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ଅନୁରୋଧ କରିଛନ୍ତି ।
ସୂଚନା ଅନୁଯାୟୀ ମାଓନେତା ଶୁକ୍ରୁ ଗତ ୩ ଦଶନ୍ଧି ହେଲା ମାଓ ସଙ୍ଗଠନରେ କାର୍ଯ୍ୟରତ ଅଛନ୍ତି । ବର୍ତ୍ତମାନ ସେ କନ୍ଧମାଳ ସଂଗଠନର ଏସଜେଡ୍ସି କ୍ୟାଡର ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ମୁଣ୍ଡ ଉପରେ ସରକାର ୬୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି । ଶୁକ୍ରୁଙ୍କ ଘର କାଲିମେଳା ବ୍ଲକ କୁରୁବ ଗାଁରେ । ସେ ମାଓ ସଙ୍ଗଠନରେ ରହି ଆନ୍ଧ୍ର, ଓଡିଶା, ଛତିଶଗଡର ବିଭିନ୍ନ ସ୍ଥାନରେ ଘଟିଥିବା ବଡ ହିଂସାକାଣ୍ଡରେ ଜଡିତ ଥିବା ଅଭିଯୋଗ ରହିଛି। ସଂଗଠନ ରେ ଥିବା ସମୟରେ ମାଓ ନେତ୍ରୀ ରୁକ୍ମିଣୀଙ୍କୁ ସେ ବିବାହ କରିଥିଲେ।
ଏକ ଏନକାଉଣ୍ଟରରେ ରୁକ୍ମଣୀଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି । ତାଙ୍କ ସାନଭାଇ ଋଷି ମଧ୍ୟ ପୂର୍ବରୁ ମାଓ ସଙ୍ଗଠନରେ ଏସିଏମ କ୍ୟାଡର ଭାବେ କାର୍ଯ୍ୟ କରୁଥିଲେ । ଦୀର୍ଘ ବର୍ଷ ପୂର୍ବରୁ ସେ ଆତ୍ମସମର୍ପଣ କରି ସାଧାରଣ ଜୀବନକୁ ଫେରିଛନ୍ତି । ବର୍ତ୍ତମାନ ବଡଭାଇ ଶୁକ୍ରୁଙ୍କୁ ମଧ୍ୟ ଆତ୍ମ ସମର୍ପଣ କରି ଘରକୁ ଫେରିବାକୁ ଅନୁରାଧ କରିଛନ୍ତି । ଶୁକ୍ରୁଙ୍କ ବାପା ଓ ମା’ ଆରପାରିରେ ଥିବା ବେଳେ ସମ୍ପର୍କୀୟମାନେ ଏବେ ମଧ୍ୟ ତାଙ୍କ ଫେରିବା ବାଟକୁ ଅପେକ୍ଷା କରି ରହିଛନ୍ତି । ଗୋଟିଏ ପଟେ ସରକାରଙ୍କ ପକ୍ଷରୁ ମାର୍ଚ୍ଚ ଶେଷ ତାରିଖ ସୁଦ୍ଧା ସଂଗଠନକୁ ସମୂଳେ ନାଶ କରିବାକୁ ଘୋଷଣା କରାଯାଇଥିବା ବେଳେ ପୁଲିସ ଓ ପରିବାର ଲୋକେ ଶୁକ୍ରୁଙ୍କୁ ଆତ୍ମସମର୍ପଣ କରିବାକୁ ଅପିଲ କରିଛନ୍ତି । ଘରକୁ ଫେରିଲେ ଶୁକ୍ରୁ ଙ୍କୁ ସମସ୍ତେ ଆଦରି ନେବେ, ମିଳିମିଶି ରହିବେ ବୋଲି ତାଙ୍କ ପିଲାଦିନର ସାଙ୍ଗସାଥୀମାନେ କହିଛନ୍ତି ।