
ଭୁବନେଶ୍ବର: ବଙ୍ଗୋପସାଗରରେ ବଳ ଗୋଟାଉଛି ଅବପାତ। ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଅବପାତ ଏବେ ଘଣ୍ଟା ପ୍ରତି ୭ କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ରାତି ପ୍ରାୟ ୮ଟା ସୁଦ୍ଧା ଏହା ପୁରୀଠାରୁ ୧୫୦ କିମି ଦୂର ଉତ୍ତର-ଉତ୍ତରପଶ୍ଚିମ ଦିଗରେ ରହିଥିବା ବେଳେ ଗୋପାଳପୁରଠାରୁ ୧୮୦ କିମି ପୂର୍ବ-ଦକ୍ଷିଣପୂର୍ବରେ କେନ୍ଦ୍ରୀଭୂତ ହୋଇଛି। ପାରାଦୀପଠାରୁ ଦକ୍ଷିଣକୁ ୧୯୦ କିମି, ଚାନ୍ଦବାଲିଠାରୁ ୨୫୦ କିମି, ଆନ୍ଧ୍ରପ୍ରଦେଶର କଳିଙ୍ଗପାଟଣମ୍ଠାରୁ ୨୪୦ କିମି ଓ ପଶ୍ଚିମବଙ୍ଗର ଦୀଘାଠାରୁ ୩୫୦ କିମି ଦୂରରେ ରହିଛି। ଆସନ୍ତା ୧୨ ଘଣ୍ଟା ଅର୍ଥାତ୍ ସୋମବାର ସକାଳ ସୁଦ୍ଧା ଏହା ଉତ୍ତର ପଶ୍ଚିମ ଦିଗରେ ଗତିକରି ଗଭୀର ଅବପାତରେ ପରିଣତ ହୋଇପାରେ। ଆସନ୍ତା ଦୁଇ ଦିନ ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଓ ଛତିଶଗଡ଼ ଉପରେ ରହିବ।
ପ୍ରଭାବରେ ୧୧ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗିରହିବ। ସୋମବାର ସକାଳ ସୁଦ୍ଧା ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ପରବର୍ତ୍ତୀ ୨୪ ଘଣ୍ଟାରେ ପୁରୀ, ଜଗତସିଂହପୁର, କଟକ, ଖୋର୍ଦ୍ଧା ଓ ଢେଙ୍କାନାଳ ଜିଲ୍ଲାରେ ଅତିରୁ ଅତିପ୍ରବଳ(୨୦୦ ମିଲିମିଟରରୁ ଅଧିକ) ବର୍ଷା ହୋଇପାରେ। ତାହାକୁ ନଜରରେ ରଖି ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ କେନ୍ଦ୍ରାପଡ଼ା, ଯାଜପୁର, ଅନୁଗୁଳ, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ଅନୁଗୁଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ(୧୨୦ରୁ ୨୦୦ ମିମି)ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ୧୦ ତାରିଖ ପୂର୍ବାହ୍ନଠାରୁ ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ କମିବ। ତେବେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଏବଂ ବରଗଡ଼, ସୋନପୁର, ବୌଦ୍ଧ, ଅନୁଗୁଳ, ଦେବଗଡ଼, କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
୫ ଜିଲ୍ଲାକୁ ରେଡ୍, ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ପାରାଦୀପ, ଧାମରାରେ ଏକ ନମ୍ବର ବିପଦସଙ୍କେତ
ମୁକାବିଲା ପାଇଁ ପ୍ରସ୍ତୁତ ରୁହ: ଏସ୍ଆର୍ସି
ଅବପାତ ପ୍ରଭାବରେ ଏବେ ସମୁଦ୍ର ଭିତରେ ଘଣ୍ଟାପ୍ରତି ୪୫ରୁ ୬୫ କିମି ବେଗରେ ପବନ ହେଉଛି। ସ୍ଥଳ ବିଶେଷରେ ପବନର ବେଗ ୬୫ କିମି ଛୁଇଁଛି। ଗଭୀର ଅବପାତରେ ପରିଣତ ହୋଇ ଓଡ଼ିଶା ଉପକୂଳ ନିକଟରେ ଗତି କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିମି ଏବଂ ସ୍ଥଳ ବିଶେଷରେ ୭୦ କିମି ଛୁଇଁପାରେ। ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟ ପବନର ବେଗ ଘଣ୍ଟା ପ୍ରତି ୫୫ରୁ ୬୫ କିମି ରହିବାକୁ ଥିବା ବେଳେ ୧୦ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପବନର ବେଗ ୫୦ରୁ ୬୦ କିମି ରହିବ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୋପାଳପୁର ଓ ପୁରୀ ବନ୍ଦରରେ ୩ ନମ୍ବର ଏବଂ ପାରାଦୀପ ଓ ଧମରା ବନ୍ଦରରେ ଏକ ନମ୍ବର ବିପଦ ସଙ୍କେତ ଜାରି ହୋଇଛି। ୧୧ ତାରିଖ ପର୍ଯ୍ୟନ୍ତ ଉତ୍ତରପଶ୍ଚିମ ଓ ସଂଲଗ୍ନ ଉତ୍ତରପୂର୍ବ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। ବରଗଡ଼, ବୌଦ୍ଧ, ଗଞ୍ଜାମ, ଜଗତ୍ସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ନୟାଗଡ଼, ପୁରୀ ଓ ରାୟଗଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ।
ରାତି ପ୍ରାୟ ୯ଟା ବେଳେ ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବପାତ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ପାହାଡିଆ ଅଞ୍ଚଳରେ ଭୂସ୍ଖଳନ, ଅଣ୍ଡରପାସ୍ ଓ ତଳିଆ ଅଞ୍ଚଳରେ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଭୀଷଣ ବର୍ଷା ହେବାକୁ ଥିବାରୁ ଦୃଶ୍ୟମାନ ହ୍ରାସ ପାଇବ। ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇପାରେ। କଚ୍ଚା ଘର ଓ ରାସ୍ତା ପ୍ରଭାବିତ, ପନିପରିବା ନଷ୍ଟ ହେବାର ଆଶଙ୍କା ରହିଥିବାରୁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତ ରହିବା ସହ କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ତୁରନ୍ତ ପଠାଇବାକୁ ଏସ୍ଆର୍ସିଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଇତିମଧ୍ୟରେ ଗତକାଲିଠାରୁ ଦକ୍ଷିଣ ଓଡ଼ିଶାରେ ଜାରି ରହିଥିବା ବର୍ଷା ପ୍ରଭାବରେ କୋରାପୁଟ ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଛି। ଘରଦ୍ବାର ଭାଙ୍ଗିବା ସହ ଚାଷ ଜମି ବୁଡ଼ିଯାଇଛି। ନଦୀରେ ବନ୍ୟା ଆସିବାରୁ ବୈପାରୀଗୁଡ଼ା, କୁନ୍ଦୁରା ଓ କୋଟପାଡ଼ ବ୍ଲକ ଉପରେ ସିଧାସଳଖ ପ୍ରଭାବ ପଡ଼ିଛି। କେତେକ ସ୍ଥାନରେ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଥିବା ସୂଚନା ମିଳିଛି।