ରାଜଧାନୀର ୨ ଗଣେଶ ପୂଜାମଣ୍ଡପରେ ଆତଙ୍କ: ଖଣ୍ଡା ବୁଲିଲା, ବୋମା ଫୁଟିଲା

ଭୁବନେଶ୍ବର: ଆଜି ରାଜଧାନୀର ୨ ଗଣେଶ ପୂଜାମଣ୍ଡପରେ ଭୟଙ୍କର ପରିବେଶ ସୃଷ୍ଟି ହୋଇଛି। ମଞ୍ଚେଶ୍ବର ସମେଇଗାଡ଼ିଆରେ ଖଣ୍ଡା ବୁଲିଥିବା ବେଳେ ନୂଆପଲ୍ଲୀରେ ବୋମା ଫୁଟିଛି। ଦୁଇ ମଣ୍ଡପରେ ଘଟିଥିବା ଗଣ୍ଡଗୋଳରେ କେହି ମୃତାହତ ହୋଇ ନଥିଲେ ହେଁ ଅଶାନ୍ତ ପରିବେଶ ଭୟ ଖେଳାଇଦେଇଛି। ସମେଇଗାଡ଼ିଆ ଗଣେଶ ପୂଜା ମଣ୍ଡପ ନିକଟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ମେଲୋଡି ଚାଲିଥିବା ବେଳେ ରାସ୍ତା ଅବରୋଧ କରି ଫଟୋ ଉଠାଇବା ଭଳି ସାମାନ୍ୟ କଥାକୁ କେନ୍ଦ୍ର ଆରମ୍ଭ ହୋଇଥିବା ଗଣ୍ଡଗୋଳ ପରେ ରଣକ୍ଷେତ୍ର ସୃଷ୍ଟି କରିଥିଲା। ଗୋଟିଏ ପକ୍ଷର କିଛି ଯୁବକ ଖଣ୍ଡା ବୁଲାଇ ଅପରପକ୍ଷକୁ ଗୋଡ଼ାଇବା ଅଭିଯୋଗ ହୋଇଛି। କିନ୍ତୁ ଖଣ୍ଡା ଆକ୍ରମଣରେ କେହି ଆହତ ହୋଇଥିବା ଜଣାପଡ଼ିଛି। ମାତ୍ର ହାତାହାତିରେ କିଛି ଯୁବକ ଆହତ ହୋଇଛନ୍ତି। ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲେ ହେଁ ଉତ୍ତେଜନା ଲାଗିରହିଛି। ସେହିଭଳି ନୂଆପଲ୍ଲୀରେ ଏକ ଆପାର୍ଟମେଣ୍ଟର କମ୍ୟୁନିଟି ହଲ୍‌ ପା‌ଚେରି କଡ଼ରେ ୨ଟି ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ବୋମାମାଡ଼ର କାରଣ ଜଣାପଡ଼ିନାହିଁ।

ସମେଇଗାଡ଼ିଆ ସୋମନାଥ ଯୁବ ପରିଷଦ ପରିସରରେ ଆଜି ଗଣେଶ ପୂଜା ଉପଲକ୍ଷେ ମେଲୋଡି ଚାଲିଥିଲା। ସମେଇଗାଡ଼ିଆ ବସ୍ତିର କିଛି ପିଲା ଲାଇଟ୍‌ ଗେଟ୍‌ ପାଖରେ ମୋବାଇଲ୍‌ରେ ଫୋଟ ଉଠାଉଥିଲେ। ରାସ୍ତାରେ ଠିଆ ହୋଇ ସେମାନେ ଫଟୋ ଉଠାଉଥିବାରୁ ଯିବାଆସିବାରେ ସମସ୍ୟା ହେଉଥିଲା। ତେଣୁ ସୋମନାଥ ଯୁବ ପରିଷଦର ଜଣେ ସଦସ୍ୟ ସେମାନଙ୍କୁ ରାସ୍ତାରୁ ହଟିବାକୁ କହିଥିଲେ। 
କିନ୍ତୁ ସେମାନେ ତାଙ୍କ କଥାକୁ କର୍ଣ୍ଣପାତ କରିନଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପାଟି ଶୁଣି ଉଭୟ ବସ୍ତିର କିଛି ଯୁବକ ଓ ଯୁବ ପରିଷଦର କିଛି ସଦସ୍ୟ ସେଠାରେ ପହଞ୍ଚିଯିବାରୁ ପାଟିତୁଣ୍ଡ ବଢ଼ିଥିଲା। ଏତିକିବେଳେ ବସ୍ତିର ଦୁଇଜଣ ଯୁବକ ଖଣ୍ଡା ଧରି ପଶି ଆସିଥିଲେ। ସେମାନଙ୍କ ହାତରେ ଖଣ୍ଡା ଦେଖି ସୋମନାଥ ଯୁବ ପରିଷଦର ସଦସ୍ୟମାନେ ପଛଘୁଞ୍ଚା ଦେଇଥିଲେ। ତେଣୁ ଖଣ୍ଡାଧାରୀ ୨ ଯୁବକ କ୍ଲବ୍‌ ଭିତରେ ପଶି ଖଣ୍ଡା ବୁଲାଇଥିଲେ। ବସ୍ତି ଯୁବକଙ୍କ ଅତର୍କିତ ଆକ୍ରମଣକୁ ମୁକାବିଲା ନ କରିପାରି ଯୁବ ପରିଷଦର ଯୁବକମାନେ ଗାଁ ଭିତରକୁ ଅସ୍ତ୍ରଶସ୍ତ୍ର ପାଇଁ ଧାଇଁଥିଲେ। ବସ୍ତିର ୨ ଖଣ୍ଡାଧାରୀ ଯୁବକ ସେମାନଙ୍କୁ କିଛି ବାଟ ଗୋଡ଼ାଇ ଫେରିଆସିଥିଲେ। ମଣ୍ଡପ ନିକଟରେ ଥିବା ପୁଲିସ କର୍ମଚାରୀମାନେ ଏଭଳି ଅତର୍କିତ ଘଟଣାରେ କେବଳ ଦେଖଣାହାରୀ ସାଜିଥିଲେ।

ସେପଟେ ମଞ୍ଚରେ ମେଲୋଡି ବନ୍ଦ ହୋଇଯାଇଥିଲା ଏବଂ ଦର୍ଶକମାନେ ପଡ଼ିଆରୁ ଜୀବନ ବିକଳରେ ଦୌଡ଼ିଥିଲେ। ସେହିଭଳି ନୂଆପଲ୍ଲୀ ଅଞ୍ଚଳର ଏକ ଆପାର୍ଟମେଣ୍ଟର କମ୍ୟୁନିଟି ସେଣ୍ଟରରେ ଗଣେଶ ପୂଜା ଚାଲିଛି। ରାତି ପ୍ରାୟ ୧୦ଟା ବେଳେ ୪ ଦୁର୍ବୃତ୍ତ ସେଠାରେ ପହଞ୍ଚି ହଠାତ୍ ୨ଟି ବୋମା ଫୋପାଡ଼ିଥିଲେ। ଦୁଇଟି ଯାକ ବୋମା ପାଚେରି ବାଜି ଫୁଟିଯାଇଥିଲା। ବୋମା ବିସ୍ଫୋରଣରେ ସମଗ୍ର ଅଞ୍ଚଳ ଥରିଉଠିଥିଲା। କଲୋନିର ଲୋକମାନେ ବିକଳରେ ମଣ୍ଡପ ଛାଡ଼ି ଦୌଡ଼ିଥିଲେ। କଲୋନିବାସୀ ପୁଲିସକୁ ଫୋନ୍‌ କରି ଜଣାଇବା ପୂର୍ବରୁ ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଥିଲେ ।

Leave a Reply

Your email address will not be published. Required fields are marked *