ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା ପୁଲିସ ଅଧିକାରୀ

୨୮ ବର୍ଷୀୟା ମନୀଷା ରୋପେଟା ହେଉଛନ୍ତି ପାକିସ୍ତାନ ଅନ୍ତର୍ଗତ ସିନ୍ଧ ପ୍ରଦେଶର ପ୍ରଥମ ହିନ୍ଦୁ ମହିଳା ଉପ ଆରକ୍ଷୀ ଅଧୀକ୍ଷକ (ଡିଏସ୍‌ପି)। ପାକିସ୍ତାନରେ ଜଣେ ସଂଖ୍ୟାଲଘୁ ମହିଳା ପୁଲିସ ବିଭାଗର ଉଚ୍ଚ ପଦରେ ଆସୀନ ହେବା ଅତ୍ୟନ୍ତ ବିରଳ ହୋଇଥିବାରୁ ମନୀଷା ଚର୍ଚ୍ଚିତ ବ୍ୟକ୍ତିତ୍ବ ପାଲଟିଛନ୍ତି। ସେ ୨୦୨୧ରେ ପ୍ରଶାସନିକ ସେବା ପରୀକ୍ଷା ଉତ୍ତୀର୍ଣ୍ଣ ହୋଇ ପୁଲିସରେ ଯୋଗ ଦେବା ପରେ କିଛି ବର୍ଷ ଭିତରେ କେତେକ ହାଇ-ପ୍ରୋଫାଇଲ୍‌ ମାମଲାର ଉତ୍ତମ ପରିଚାଳନା କରି ମଧ୍ୟ ବେଶ୍‌ ଖ୍ୟାତି ଅର୍ଜନ କରିଛନ୍ତି।

ଗତ ଜୁଲାଇ ମାସରେ ପାକିସ୍ତାନୀ ଅଭିନେତ୍ରୀ ନିମ୍ରା ଖାଁ କରାଚିରେ ଏକ ହୋଟେଲ ବାହାରେ ନିଜ କାର୍‌କୁ ଅପେକ୍ଷା କରିଥିବା ବେଳେ ତାଙ୍କୁ ଅପହରଣ କରିବାର ଉଦ୍ୟମ ହୋଇଥିଲା। ଡିଏସ୍‌ପି ମନୀଷାଙ୍କୁ ଏହି ମାମଲାର ତଦନ୍ତ ଦାୟିତ୍ବ ମିିଳିବା ପରେ ନିମ୍ରା ଆଶ୍ବସ୍ତି ପ୍ରକାଶ କରିଥିଲେ, କାରଣ ମନୀଷା ନିଜ କାର୍ଯ୍ୟ ମାଧ୍ୟମରେ ବିଶେଷ କରି ମହିଳାମାନଙ୍କ ବିଶ୍ବାସଭାଜନ ହେବାରେ ସଫଳ ହୋଇଛନ୍ତି। ତାଙ୍କ ଲାଗି ସିନ୍ଧ ପୁଲିସକୁ ନେଇ ଜନସାଧାରଣଙ୍କ ଧାରଣା ମଧ୍ୟ ବଦଳିଯାଇଛି।

ମନୀଷାଙ୍କ ପୁଲିସକୁ ଆସିବାର କାହାଣୀ କମ୍ ରୋଚକ ନୁହେଁ। ତାଙ୍କ ବାପା ଜାକୋବାବାଦର ଜଣେ ବ୍ୟବସାୟୀ ଥିଲେ। ସେ ମାତ୍ର ୧୩ ବର୍ଷର ହୋଇଥିବା ବେଳେ ପିତାଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ତାଙ୍କ ମାଆ ପିଲାମାନଙ୍କୁ ନେଇ କରାଚି ଚାଲିଯାଇଥିଲେ। ତାଙ୍କର ସବୁ ଭାଇଭଉଣୀ ଡାକ୍ତରୀ ପେସାରେ କାର୍ଯ୍ୟରତ। ମନୀଷା ମଧ୍ୟ ଏମ୍‌ବିବିଏସ୍‌ ପ୍ରବେଶିକା ପରୀକ୍ଷା ଦେଇଥିଲେ। ହେଲେ ସେଥିରେ ଅସଫଳ ହେବାରୁ ପ୍ରଶାସନିକ ସେବା ପରୀକ୍ଷା ଦେଇ ସେ ୨୦୨୨ରୁ ଡିସିପି ହେବାର ସାହସିକ ପଦକ୍ଷେପ ନେଇଥିଲେ।

ଣେ ମହିଳା ସାଙ୍ଗକୁ ସଂଖ୍ୟାଲଘୁ ସଂପ୍ରଦାୟର ହୋଇଥିବାରୁ ତାଙ୍କୁ ଆରମ୍ଭରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେବେ ଉପରିସ୍ଥ ଅଧିକାରୀଙ୍କ ପ୍ରୋତ୍ସାହନ ଓ ସହକର୍ମୀଙ୍କ ସମ୍ମାନ ତାଙ୍କ ମନୋବଳ ବଢ଼ାଇଥିଲା। ପାକିସ୍ତାନରେ ଉଚ୍ଚଶିକ୍ଷିତ ଝିଅମାନେ ସାଧାରଣତଃ ଡାକ୍ତରୀ ଓ ଶିକ୍ଷକତା ପେସା ପାଇଁ ଉପଯୁକ୍ତ ବୋଲି ବିଚାର କରାଯାଏ। ତେବେ ମନୀଷା ଏହି ଧାରା ଭାଙ୍ଗି ଅନ୍ୟ ଝିଅମାନଙ୍କୁ ସାହସିକ ପେସାରେ ଯୋଗ ଦେବାକୁ ପ୍ରୋତ୍ସାହିତ କରୁଛନ୍ତି।  ମନୀଷା ପୁଲିସ ବିଭାଗରେ ଲିଙ୍ଗ ସମାନତା ବୃଦ୍ଧି ପାଇଁ ଉଦ୍ୟମ କରିବେ ବୋଲି କହନ୍ତି ।

Leave a Reply

Your email address will not be published. Required fields are marked *