ପୁରୁଷୋତ୍ତମପୁର ଏନ୍‌ଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଗୃହୀତ

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କ ବିରୋଧରେ ଆଜି ଅନାସ୍ଥା ପ୍ରସ୍ତାବ ଗୃହୀତ ହୋଇଛି। ଛତ୍ରପୁର ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଦେବଦତ୍ତ ମହାନ୍ତଙ୍କ ଉପସ୍ଥିତରେ ଭୋଟ୍‌ ଗ୍ରହଣ କରାଯାଇଥିଲା। ୧୦ଜଣ କାଉନ୍‌ସିଲର୍‌ ଅନାସ୍ଥା ସପକ୍ଷରେ ଭୋଟ ଦେଇଥିଲେ। କିନ୍ତୁ ଅଧ୍ୟକ୍ଷାଙ୍କ ସପକ୍ଷରେ ଥିବା ଅନ୍ୟ ୩ଜଣ କାଉନ୍‌ସିଲର୍‌ ଅନୁପସ୍ଥିତ ଥିଲେ। ନିର୍ବାଚନ ଅଧିକାରୀ ଶ୍ରୀ ମହାନ୍ତ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଅଧ୍ୟକ୍ଷା ଓ ତାଙ୍କ ସମର୍ଥିତ କାଉନ୍‌ସିଲର୍‌ ଅରୁଣ କୁମାର ମହାକୁଡ଼ ହାଇକୋର୍ଟରେ ଦୁଇଟି ପୃଥକ୍ ରିଟ୍‌ ପିଟିସନ୍‌ ଦାଏର କରିଥିଲେ। ଅନାସ୍ଥା ଉପରେ ରହିତାଦେଶ ଜାରି କରିବାକୁ ଉଭୟେ ଅନୁରୋଧ କରିଥିଲେ। ଜଷ୍ଟିସ୍‌ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପିଟିସନ୍‌ର ଶୁଣାଣି କରିଥିଲେ। କୋର୍ଟଙ୍କ ବିନା ଅନୁମତିରେ ଅନାସ୍ଥା ପ୍ରସ୍ତାବର ଫଳାଫଳ ଘୋଷଣା କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ହୋଇଛି। ଏ ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ, ଛତ୍ରପୁର ଉପଜିଲ୍ଲାପାଳ, ପୁରୁଷୋତ୍ତମପୁର ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କୁ କୋର୍ଟ ଏ ସମ୍ପର୍କିତ ନୋଟିସ୍‌ ମଧ୍ୟ ଜାରି ହୋଇଛି। ଅଧ୍ୟକ୍ଷା ପ୍ରିୟଙ୍କାଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ ମକଦ୍ଦମା ପରିଚାଳନା କରିଥିଲେ।

ଆଜି ଅଧ୍ୟକ୍ଷାଙ୍କ ବିରୋଧରେ ଥିବା ୧୦ଜଣ କାଉନ୍‌ସିଲର୍‌ ଏକା ସମୟରେ ଏନ୍‌ଏସି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରୁ ବାହାରିବା ପରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ବହୁ ସମର୍ଥକ, ବିଜେପି କର୍ମୀ ସେମାନଙ୍କୁ ସ୍ବାଗତ କରିଥିଲେ ।

Leave a Reply

Your email address will not be published. Required fields are marked *