ବାଂଲାଦେଶ ପୁଣି ପାକିସ୍ତାନ ହେବ! ଜିନ୍ନାଙ୍କୁ ଜାତିର ପିତା ଘୋଷଣା କରିବାକୁ ଦାବି

ଢାକା: ଶେଖ ହସିନା ସରକାରଙ୍କୁ ୫ ଅଗଷ୍ଟ ୨୦୨୪ରେ ହଟାଇବା ପରେ ବାଂଲାଦେଶରେ ପରିସ୍ଥିତି ସମ୍ପୂର୍ଣ୍ଣ ରୂପେ ବଦଳୁଥିବା ଜଣାପଡ଼ିଛି। ବର୍ତ୍ତମାନ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର କାର୍ଯ୍ୟ କରୁଛନ୍ତି ଏବଂ ଦେଶର ପ୍ରତିଷ୍ଠାତା ନେତା ମୁଜିବୁର ରହମାନଙ୍କ ବିରୋଧରେ ମଧ୍ୟ ସମାଲୋଚନା ଖୋଲାଖୋଲି ଭାବେ ବାହାରକୁ ଆସୁଛି।

 ନିକଟରେ ମୁଜିବୁର ରହମାନଙ୍କ ପ୍ରତିମୂତ୍ତିକୁ ଅନେକ ସ୍ଥାନରେ ଭଙ୍ଗାରୁଜା କରାଯାଇଥିଲା। ସେ ‘ବଙ୍ଗବନ୍ଧୁ’ ନାମରେ ଜଣାଶୁଣା। କିନ୍ତୁ ବର୍ତ୍ତମାନ ତାଙ୍କ ସ୍ଥାନରେ ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲି ଜିନ୍ନାଙ୍କୁ ଜାତିର ପିତା ବୋଲି ଘୋଷଣା କରିବାର ଦାବି ଦେଶରେ ଉଠିବାରେ ଲାଗିଛି।

ବୁଧବାର, ଢାକା ପ୍ରେସ କ୍ଲବରେ ମହମ୍ମଦ ଅଲି ଜିନ୍ନାଙ୍କ ୭୬ ତମ ବାର୍ଷିକୀ ପାଳନ ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯେଉଁଠାରେ ଜିନ୍ନାଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ଦାବି କରାଯାଇଥିଲା ଯେ ତାଙ୍କୁ ବାଂଲାଦେଶର ଜାତିର ପିତା ଘୋଷିତ କରାଯାଉ। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ମୁଜିବୁର ରହମାନଙ୍କ ନାମରେ ସଂରକ୍ଷିତ ଥିଲା।

ଏହି ଦାବି ଏପରି ଏକ ସମୟରେ ଆସିଛି ଯେତେବେଳେ ଶେଖ ହସିନା ଦେଶ ଛାଡିବା ପରେ ଜମାତ-ଇ-ଇସଲାମି ପରି ପାକିସ୍ତାନ ସମର୍ଥକମାନେ ସେମାନଙ୍କର ସ୍ଥିତିକୁ ସୁଦୃଢ଼ କରିବାରେ ଲାଗିଛନ୍ତି।

 ଏହି କାର୍ଯ୍ୟକ୍ରମରେ ବକ୍ତାମାନେ କହିଥିଲେ ଯେ ବାଂଲାଦେଶ ଦୁଇଥର ସ୍ୱାଧୀନ ପାଇଛି। ପ୍ରଥମ ଥର ୧୪ ଅଗଷ୍ଟ ୧୯୪୭ରେ ଏବଂ ଦ୍ୱିତୀୟ ଥର ୫ ଅଗଷ୍ଟ ୨୦୨୪ ରେ, କିନ୍ତୁ ଏହି ଆଲୋଚନାରେ ୧୯୭୧ ମୁକ୍ତି ଯୁଦ୍ଧ ବିଷୟରେ ଜାଣିଶୁଣି ଉଲ୍ଲେଖ କରାଯାଇ ନାହିଁ ।

ଏହି କାର୍ଯ୍ୟକ୍ରମରେ ଉର୍ଦ୍ଦୁ କବିତା ପାଠ କରାଯାଇଥିଲା ଏବଂ ବାଂଲାଦେଶର ପତାକା ତଥା ଜାତୀୟ ସଙ୍ଗୀତ ପରିବର୍ତ୍ତନ କରିବାକୁ ମଧ୍ୟ ଦାବି କରାଯାଇଥିଲା। ଏହି ଘଟଣା ଉଦାରବାଦୀଙ୍କ ପାଇଁ ଚିନ୍ତାର କାରଣ, ବାଂଲାଦେଶର ପରିଚୟ ବଦଳାଇବାକୁ ଉଦ୍ୟମ କରାଯାଉଛି। ସୋସିଆଲ ମିଡିଆରେ ମଧ୍ୟ ଏହି ଧାରଣା ଦ୍ରୁତ ଗତିରେ ବ୍ୟାପୁଛି, ଯେଉଁ କାରଣରୁ ଦେଶର ଭବିଷ୍ୟତକୁ ନେଇ ଦ୍ୱନ୍ଦ ବଢ଼ୁଛି।

Leave a Reply

Your email address will not be published. Required fields are marked *