‘ଏକ ରାଷ୍ଟ୍ର, ଏକ ନିର୍ବାଚନ’କୁ କେନ୍ଦ୍ରର ମୋହର

ନୂଆଦିଲ୍ଲୀ: ଦେଶ‌ରେ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ନୀତି କାର୍ଯ୍ୟକାରୀ କରିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର କ୍ୟାବିନେଟ୍‌ ଆଜି ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରି ମିଳିଛି। ‌ଦେଶର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବାଧୀନ ଉଚ୍ଚସ୍ତରୀୟ କମିଟି ଦ୍ବାରା ଏ ସଂକ୍ରାନ୍ତରେ ଦାଖଲ କରାଯାଇଥିବା ରିପୋର୍ଟକୁ ଆଜି କ୍ୟାବିନେଟ୍‌ ମଂଜୁରି ପ୍ରଦାନ କରିଥିବାରୁ ଏ ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି ବିଚାର କରାଯାଉଛି। ଭାରତର ନିର୍ବାଚନ ବ୍ୟବସ୍ଥାକୁ ଅଧିକ ସୁସଂହତ ଓ ଏକକାଳୀନ କରିବା ପାଇଁ ସରକାର ନିଜ ପ୍ରତିବଦ୍ଧତା ଦୋହରାଇଛନ୍ତି। ନିର୍ବାଚନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାପାଇଁ ଏକ ଉଚ୍ଚସ୍ତରୀୟ କମିଟି ୨୦୨୩ ସେପ୍ଟେମ୍ବର ୨ରେ ଗଠନ ହୋଇଥିଲା। ଚଳିତ ବର୍ଷ ମାର୍ଚ୍ଚରେ ରାମନାଥ କୋବିନ୍ଦଙ୍କ ନେତୃତ୍ବାଧୀନ କମିଟି କେନ୍ଦ୍ର କ୍ୟାବିନେଟ୍‌ରେ ୧୮,୬୨୬ ପୃଷ୍ଠା ବିଶିଷ୍ଟ ରିପୋର୍ଟ ଦାଖଲ କରିଥିଲେ। ୨୦୨୩ ସେପ୍ଟେମ୍ବର ୨ରେ କମିଟି ଗଠନ ହେବା ପରଠାରୁ ୧୯୧ ଦିନର ଗବେଷଣା କାର୍ଯ୍ୟ ଏବଂ ବିଭିନ୍ନ ପକ୍ଷଙ୍କ ସହ ବିଚାରବିମର୍ଶ କରିବାପରେ କମିଟି ରିପୋର୍ଟ ଦାଖଲ କରିଥିଲା । 

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରେ ମୋଦୀ ସରକାରଙ୍କ ତୃତୀୟ ପାଳି କାର୍ଯ୍ୟକାଳ ମଧ୍ୟରେ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ଯୋଜନା କାର୍ଯ୍ୟକାରୀ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କ ସ୍ବାଧୀନତା ଦିବସ ଭାଷଣରେ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ଉପରେ ଗୁରୁତ୍ବାରୋପ କରି କହିଥିଲେ ଯେ ବାରମ୍ବାର ନିର୍ବାଚନ ହେବା ଦ୍ବାରା ଦେଶର ବିକାଶ ମନ୍ଥର ହୋଇଯାଉଛି। ତେଣୁ ଦେଶବାସୀ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ଦିଗରେ ଆଗକୁ ବଢ଼ିବାପାଇଁ ମୋଦୀ ଲାଲ୍‌କିଲ୍ଲାରୁ ‌ଅନୁରୋଧ କରିଥିଲେ। ଦେଶ ପାଇଁ ଏହି ଅଭିଯାନକୁ ସମର୍ଥନ କରିବାପାଇଁ ମୋଦୀ ସବୁ ରାଜନୈତିକ ଦଳକୁ ଅନୁରୋଧ କରିଥିଲେ। ବିଜେପିର ସହଯୋଗୀ ଦଳ ଜେଡିୟୁ ଏବଂ ଏଲ୍‌ଜେପି ଏହି ଯୋଜନାକୁ ସମର୍ଥନ କରି ସାରିଛନ୍ତି। କିନ୍ତୁ ବିରୋଧୀ ଦଳମାନେ ଏହାକୁ ବିରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *