ଶ୍ରମିକମାନଙ୍କୁ ନୂଆ ମୁଖ୍ୟମନ୍ତ୍ରୀଙ୍କ ପୂଜାଭେଟି: ସର୍ବନିମ୍ନ ମଜୁରୀ ବଢ଼ିଲା

ନୂଆଦିଲ୍ଲୀ: ଦିଲ୍ଲୀ ନୂଆ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଶ୍ରମିକମାନଙ୍କୁ ପୂଜାଭେଟି ଦେଇଛନ୍ତି। ଦିଲ୍ଲୀର ଅସଂଗଠିତ କ୍ଷେତ୍ରର କୁଶଳୀ, ଅର୍ଦ୍ଧ-କୁଶଳୀ ଏବଂ କୁଶଳୀ ଶ୍ରମିକମାନଙ୍କର ସର୍ବନିମ୍ନ ମଜୁରୀ ବୃଦ୍ଧି କରାଯାଇଛି |

ଦାୟିତ୍ବ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ଆତିଶୀ ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଦିଲ୍ଲୀ ସରକାର ସହରୀ ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ ମାପଦଣ୍ଡ ସ୍ଥିର କରିଛନ୍ତି।ନୂତନ ବେତନ ସ୍କେଲ ଅନୁଯାୟୀ, ବର୍ତ୍ତମାନ ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ମାସକୁ ୧୮,୦୬୬ ଟଙ୍କା ଧାର୍ଯ୍ୟ କରାଯାଇଛି। ଏଥି ସହିତ ଅର୍ଦ୍ଧ-କୁଶଳୀ ପାଇଁ ସର୍ବନିମ୍ନ ମଜୁରୀ ୧୯,୯୨୯ ଟଙ୍କା ଏବଂ କୁଶଳୀ ଶ୍ରମିକଙ୍କ ପାଇଁ ୨୧,୯୧୭ ଟଙ୍କା ଘୋଷଣା କରାଯାଇଛି।ଏହା ସହିତ ସେ ବିଜେପିକୁ ମଧ୍ୟ ଟାର୍ଗେଟ କରିଥିଲେ। ବିଜେପିକୁ ଗରିବ ବିରୋଧୀ ବୋଲି ଅଭିହିତ କରି ଆତିଶୀ କହିଛନ୍ତି ଯେ ଯେଉଁ ରାଜ୍ୟରେ ବିଜେପି ସରକାର ଅଛି ସେଠାରେ ଶ୍ରମିକମାନଙ୍କୁ ଦିଲ୍ଲୀର ଅଧା ମଜୁରୀ ଦିଆଯାଉଛି ।

କେଜ୍ରିୱାଲ ସରକାର ସର୍ବନିମ୍ନ ମଜୁରୀ ସ୍କେଲ କୋର୍ଟ ମାଧ୍ୟମରେ କାର୍ଯ୍ୟକାରୀ କରିଥିଲେ। ଏଥି ସହିତ, ଏହାକୁ ପ୍ରତିବର୍ଷ ଦୁଇଥର ସଂଶୋଧନ କରାଯାଇଥିଲା । ଯେଉଁଥିରେ ବିଜେପି ମଧ୍ୟ ଅନେକ ବାଧା ସୃଷ୍ଟି କରିଥିଲା, କିନ୍ତୁ ସଫଳ ହୋଇପାରି ନ ଥିଲା। ଆତିଶୀ କହିଛନ୍ତି ଦିଲ୍ଲୀ ସରକାର ଗରିବଙ୍କ ଶୋଷଣ ବନ୍ଦ କରିବାକୁ କାର୍ଯ୍ୟ କରୁଛନ୍ତି। ଯାହା ପରେ ସର୍ବନିମ୍ନ ମଜୁରୀ ଐତିହାସିକସ୍ତରକୁ ବୃଦ୍ଧି କରାଯାଇଛି। ବିଜେପି ସବୁବେଳେ ଗରିବଙ୍କ ବିରୋଧରେ କାମ କରିଆସୁଛି। ଏହାର ଦୁଇଟି ଉଦାହରଣ ଅଛି । ପ୍ରଥମ ଥର ପାଇଁ ଯେତେବେଳେ ଅରବିନ୍ଦ କେଜ୍ରିୱାଲଙ୍କ ସରକାର ୨୦୧୬-୧୭ରେ ସର୍ବନିମ୍ନ ମଜୁରୀ ବୃଦ୍ଧି କରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ବିଜେପି ଏହାକୁ ବିରୋଧ କରିଥିଲା ।

ଏହା ପରେ ଦିଲ୍ଲୀ ସରକାର କୋର୍ଟଙ୍କ ଦ୍ବାରସ୍ଥ ଯାଇଥିଲେ। ଏପରିକି ଯେତେବେଳେ ସରକାର କୋର୍ଟଙ୍କଠାରୁ ଆଦେଶ ଆଣିଥିଲେ, ସେତେବେଳେ ମଧ୍ୟ ବିଜେପି ପକ୍ଷରୁ ପୁଣି ବିରୋଧ କରାଯାଇଥିଲା। କିନ୍ତୁ ଅରବିନ୍ଦ କେଜ୍ରିୱାଲଙ୍କ ସରକାର ଲଢ଼େଇ କରି ସାଧାରଣ ଲୋକଙ୍କୁ ସେମାନଙ୍କର ଅଧିକାର ପ୍ରଦାନ କରିଥିଲେ।ଆତିଶୀ କହିଛନ୍ତି ଜନସାଧାରଣଙ୍କ କଲ୍ୟାଣ ପାଇଁ ନିରନ୍ତର କାର୍ଯ୍ୟ କରାଯାଉଛି। ଦଳ ସମାଜର ପ୍ରତ୍ୟେକ ବିଭାଗକୁ ନ୍ୟାୟ ପ୍ରଦାନ କରିବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ଶ୍ରମିକ ଶ୍ରେଣୀକୁ ସଶକ୍ତ କରିବା ପାଇଁ ଆପ୍‌ର ପ୍ରୟାସର ମୂଳଦୁଆ ପକାଯାଇଛି। କେଜ୍ରିୱାଲଙ୍କ ନେତୃତ୍ୱରେ ଦିଲ୍ଲୀର ଲୋକଙ୍କ ପାଇଁ ସରକାର କାମ ଜାରି ରଖିବେ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *