ସୁପ୍ରିମ୍‌କୋର୍ଟରେ ଗୁଜରାଟ ସରକାରଙ୍କୁ ଝଟ୍‌କା

ନୂଆଦିଲ୍ଲୀ: ବିଲକିସ ବାନୋ ମାମଲାରେ ଆଜି ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟରେ ଶକ୍ତ ଝଟ୍‌କା ଲାଗିଛି। ଏହି ମାମଲାରେ ଦୋଷୀଙ୍କୁ ଆଗୁଆ ମୁକ୍ତ କରିବା ସଂକ୍ରାନ୍ତରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେବା ସମୟରେ ସୁପ୍ରିମ୍‌କୋର୍ଟ ଗୁଜରାଟ ସରକାରଙ୍କ ବିରୋଧରେ କଡ଼ା ଟିପ୍ପଣୀ ଦେଇଥିଲେ। କୋର୍ଟଙ୍କର ଏହି ରାୟର ପୁନଃସମୀକ୍ଷା ସହ ଟିପ୍ପଣୀ ପ୍ରତ୍ୟାହାର କରିନେବାପାଇଁ ଗୁଜରାଟ ସରକାର ଆବେଦନ କରିଥିଲେ। କିନ୍ତୁ କୋର୍ଟ ଗୁଜରାଟ ସରକାରଙ୍କ ଏହି ଆବେଦନ ଖାରଜ କରିଦେଇଛନ୍ତି ଏବଂ କୌଣସି ଟିପ୍ପଣୀ ପ୍ରତ୍ୟାହାର ହେବନାହିଁ ବୋଲି କହିଛନ୍ତି। ସୁପ୍ରିମ୍‌କୋର୍ଟ ଏହି ମାମଲାରେ ରାୟ ଦେବା‌ ସମୟରେ କହିଥିଲେ, ଗୁଜରାଟ ସରକାର ଦୋଷୀଙ୍କ ସହ ତାଳମେଳ ରଖି କାମ କରିଛି। ତେବେ କୋର୍ଟଙ୍କର ଏହି ଟିପ୍ପଣୀକୁ ଗୁଜରାଟ ସରକାର ଆବେଦନରେ ଅନୁପଯୁକ୍ତ ଦର୍ଶାଇବା ସହ ଟିପ୍ପଣୀ ପ୍ରତ୍ୟାହାର କରିବାପାଇଁ କହିଥିଲେ ।

ବିଲ୍‌କିସ୍‌ ବାନୋ ମାମଲାରେ ଆବେଦନ ଖାରଜକଡ଼ା‌ ଟିପ୍ପଣୀ ପ୍ରତ୍ୟାହାର କରିବାକୁ ମନାକଲେ କୋର୍ଟ ଜଷ୍ଟିସ ବିଭି ନାଗରତ୍ନା ଏବଂ ଜଷ୍ଟିସ ଉଜ୍ଜ୍ବଳ ଭୂୟାଁଙ୍କ ଖଣ୍ଡପୀଠ ଗୁଜରାଟ ସରକାରଙ୍କ ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିବା ସହ ରାୟର ସମୀକ୍ଷା କରିବା ପାଇଁ ରାଜି ହୋଇନଥିଲେ। ଖଣ୍ଡପୀଠ କହିଛନ୍ତି ରିଭ୍ୟୁ ପିଟିସନ୍‌କୁ ଭଲଭାବେ ଯାଞ୍ଚ କରିବାପରେ ଏହା ଜଣାପଡ଼ିଛି ଯେ କୋର୍ଟ ଦେଇଥିବା ଟିପ୍ପଣୀରେ କୌଣସି ପ୍ରକାର ତ୍ରୁଟି ନାହିଁ।ଉଲ୍ଳେଖଯୋଗ୍ୟ, ଜାନୁଆରି ମାସରେ ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ କହିଥିଲେ ଯେ ବିଲକିସ ବାନୋ ମାମଲାରେ ଗୁଜରାଟ ସରକାରଙ୍କ ଦ୍ବାରା କ୍ଷମା ଯୋଜନାରେ ‌ଜେଲ୍‌ରୁ ମୁକ୍ତ ହୋଇଥିବା ୧୧ ଜଣ ଦୋଷୀ ପୁଣିଥରେ ଜେଲ୍‌କୁ ଫେରିବେ। ଦୋଷୀଙ୍କୁ ଜେଲ୍‌ରୁ ମୁକ୍ତ କରିବା କାମ ରାଜ୍ୟ ସରକାରଙ୍କର ନୁହେଁ ବୋଲି କୋର୍ଟ କହିଥିଲେ ଏବଂ ଏଥିସହ ସରକାରଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି କଡ଼ା ଟିପ୍ପଣୀ ଦେଇଥିଲେ ।

Leave a Reply

Your email address will not be published. Required fields are marked *