ଦୟାକରି କିଛିଦିନ ପାଇଁ ସଲମାନଙ୍କୁ ଭେଟିବାକୁ ଆସନ୍ତୁ ନାହିଁ

ମୁମ୍ବାଇ: ଏନସିପି ଅଜିତ ପାୱାର ଗୋଷ୍ଠୀର ବରିଷ୍ଠ ନେତା ବାବା ସିଦ୍ଦିକିଙ୍କୁ ମୁମ୍ବାଇରେ ତିନିଥର ଗୁଳିମାଡ଼ କରାଯାଇ ହତ୍ୟା କରାଯାଇଛି। ଏହି ହତ୍ୟା ଘଟଣା ପରେ ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ଏଥିସହିତ ସେ ରହୁଥିବା ବଙ୍ଗଳା ଭିତରକୁ ବାହାରଲୋକଙ୍କ ପ୍ରବେଶରେ ରୋକ ଲଗାଯାଇଛି।ପ୍ରକାଶିତ ରିପୋର୍ଟ ମୁତାବକ, ସଲମାନ ତାଙ୍କର ଅତି ଘନିଷ୍ଠ ବନ୍ଧୁ ବାବା ସିଦ୍ଦିକିଙ୍କୁ ହରାଇବା ପରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ବାବା ସିଦ୍ଦିକି ସଲମାନଙ୍କ ପାଇଁ ସାଙ୍ଗ ନୁହେଁ ପରିବାରର ଜଣେ ସଦସ୍ୟ ଭଳି ଥିଲେ। ସଲମାନ ଲିଲାବତୀ ହସ୍ପିଟାଲରେ ବାବା ସିଦ୍ଦିକିଙ୍କୁ ମୃତ ଅବସ୍ଥାରେ ଦେଖି ନିଜକୁ ସମ୍ଭାଳି ପାରୁ ନାହାନ୍ତି। ନା ସେ ଶୋଇ ପାରୁଛନ୍ତି ନା ଖାଇ ପାରୁଛନ୍ତି। ସେ କିଛିଦିନ ପାଇଁ ସମସ୍ତ ବ୍ୟକ୍ତିଗତ ସାକ୍ଷାତକାରକୁ ବାତିଲ କରି ଦେଇଛନ୍ତି ।

ଏଥିସହିତ ଲୋକଙ୍କୁ ଅନୁରୋଧ କରି କହିଛନ୍ତି, ‘କିଛିଦିନ ପାଇଁ ମୋତେ ଭେଟିବାକୁ ଆସନ୍ତୁ ନାହିଁ।’ ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକିଙ୍କୁ ତାଙ୍କ କାର୍ଯ୍ୟାଳୟ ନିକଟରେ ବାନ୍ଦ୍ରା ଖେରୱାଡି ସିଗନାଲ ନିକଟରେ ଗୁଳିମାଡ଼ କରାଯାଇଥିବା ବେଳେ ଏବେ ବାବା ସିଦ୍ଦିକିଙ୍କୁ ହତ୍ୟା କରାଯିବା ଘଟଣା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଅନୁଯାୟୀ ପଚରାଉଚରା ବେଳେ ଅଭିଯୁକ୍ତମାନେ ବିଶ୍ନୋଇ ଗ୍ୟାଙ୍ଗ ସହ ଜଡିତ ଥିବା କହିଛନ୍ତି। ଅଭିଯୁକ୍ତମାନେ ଗତ ୨୫-୩୦ ଦିନ ଧରି ସେହି ଅଞ୍ଚଳର ରେକି କରୁଥିଲେ । ନିକନିଖ ଦିଗ ପ୍ରତି ଧ୍ୟାନ ରଖୁଥିବା କଥା ମୁମ୍ବାଇ କ୍ରାଇମ ବ୍ରାଞ୍ଚ ନିକଟରେ ସ୍ବୀକାର କରିଛନ୍ତି ।

Leave a Reply

Your email address will not be published. Required fields are marked *