ନିଜର ଫାଇଦା ପାଇଁ ଐତିହ୍ୟସ୍ଥଳୀକୁ ବିପଦଆଡ଼କୁ ଠେଲିଦେଲେ ବିଗତ ସରକାର: ବିଜେପି

ପୁରୀ/ଭୁବନେଶ୍ବର: କିଛି ଭୁଲ ଅଛି, ଯାହାର କ୍ଷମା ନାହିଁ। ବିଗତ ସରକାର ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଭୈରବ କାର୍ତ୍ତିକ ପାଣ୍ଡିଆନ୍‌ ଏମିତି କିଛି ଭୁଲ କରିକି ଯାଇଛନ୍ତି, ଯାହାର ମୂଲ୍ୟ ଏବେ ଓଡିଶାବାସୀଙ୍କୁ ଦେବାକୁ ପଡୁଛି। ନିଜର ରାଜନୈତିକ ଫାଇଦା ପାଇଁ ସେମାନେ କିଭଳି ଏକ ପୁରାତନ ଐତିହ୍ୟକୁ ବିପଦକୁ ଠେଲିଦେଇଥିଲେ ତାହା ଅତ୍ୟନ୍ତ ଦୁଃଖଦାୟକ ବୋଲି ବିଜେପି ରାଜ୍ୟ ମୁଖପାତ୍ର ଅନିଲ କୁମାର ବିଶ୍ବାଳ କ୍ଷୋଭ ପ୍ରକାଶ କରିଛନ୍ତି। ଶ୍ରୀ ବିଶ୍ବାଳ ସାମାଜିକ ଗଣମାଧ୍ୟମ ଜରିଆରେ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ହେଉଛି ଆମର ଗର୍ବ ଏବଂ ଅସ୍ମିତାର ପରିଚୟ। ବିଶ୍ବ ପ୍ରସିଦ୍ଧି ଏହି ମନ୍ଦିରକୁ ସୁରକ୍ଷା ଦେଉଥିବା ଏହି ମେଘନାଦ ପାଚିରୀରେ ଯେଉଁ ଫାଟ ବାହାରିଛି ଏବଂ ଫାଟ ଗୁଡିକ ମଧ୍ୟ ମେଲିବା ଆରମ୍ଭ କରୁଛି, ତାହା କୋଟି କୋଟି ଜଗନ୍ନାଥପ୍ରେମୀ ଓ ଭକ୍ତଙ୍କ ପାଇଁ ଚିନ୍ତାଜନକ କଥା ।

କଥା ସାମ୍ନାକୁ ଆସିବା ପରେ ପ୍ରତ୍ନତତ୍ତ୍ୱ ବିଭାଗ ଏବଂ ରାଜ୍ୟ ସରକାର ଏହାର ମରାମତି କାମ ଆରମ୍ଭ କରିଦେଇଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି ଏହା ଘଟିଲା କାହିଁକି?ପରିକ୍ରମା ପ୍ରକଳ୍ପ ନିର୍ମାଣ ସମୟରେ ଯେଭଳି ବଡ଼ବଡ଼ ମେସିନ ଲଗାଇ ଶ୍ରୀମନ୍ଦିର ଚାରିପଟେ ଓ ଅତି ନିକଟରେ ବଡ଼ବଡ଼ ଗାତ କରାଗଲା ଏହା ମେଘନାଦ ପାଚେରୀ ଉପରେ ପ୍ରଭାବ ପକାଇଲା। ପ୍ରତ୍ନତତ୍ତ୍ୱ ବିଭାଗ ଏବଂ ନ୍ୟାଶନାଲ ମନୁମେଣ୍ଟ ଅଥରିଟିର ବିନା ଅନୁମତିରେ ପ୍ରଥମେ ମେସିନ ଲଗାଇ ଖୋଳାଗଲା। ଆମସାର ଆକ୍ଟ ୧୯୫୮କୁ ନମାନି ଏଭଳି ବେଆଇନ କାମ କରାଯାଇଥିଲା, ଯେଉଁଥିପାଇଁ ମାମଲା ଅଦାଲତକୁ ଯାଇଛି। ବିନା କୌଣସି ହେରିଟେଜେ ଇମ୍ପାକ୍ଟ ଷ୍ଟଡି ନକରାଯାଇ ଏହି ଖୋଳାଖୋଳି କାମ କେଉଁ ପରିସ୍ଥିତିରେ କରାଯାଇଥିଲା? ନ୍ୟାଶନାଲ ମନୁମେଣ୍ଟ ଅଥରିଟିର ନିୟମ ୧୦୦ ମିଟର ପରିସରରେ କୌଣସି ନିର୍ମାଣ କାମ, ଖୋଳାଖୋଳି ନକରିବା ନିୟମକୁ ନମାନିବା ଏବେ ମହଙ୍ଗା ପଡ଼ିଲାଣି। ୯୦୦ ବର୍ଷର ଏକ ପ୍ରାଚିନ ମନ୍ଦିର ଚାରିପଟେ ଯେଉଁଭଳି ଭାବରେ ବିଶାଳ ମେସିନ ଲଗେଇ ବୃହତ ଗର୍ତ୍ତ କରାଯାଇ ଏହାର ସ୍ଥାୟୀତ୍ୱକୁ ବିଗାଡି ଦିଆଗଲା ଏହାର ପ୍ରଭାବ ବର୍ତ୍ତମାନ ମେଘନାଦ ପାଚେରୀ ଉପରେ ପଡିଲାଣି। ଆଗାମୀ ଦିନରେ ମନ୍ଦିର ଉପରେ ଏହା ଯେ ନପଡିବ ତାହା କିଏ କହିବ ବୋଲି ଶ୍ରୀ ବିଶ୍ବାଳ କ୍ଷୋଭ ପ୍ରକାଶ କରିଛନ୍ତି ।

ପୂର୍ବ ସରକାର ଜାଣିଶୁଣି ମନ୍ଦିରକୁ ଭାଙ୍ଗିଦେଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବେଳେ ଜେସିବି ଲଗାଇ ଭାଙ୍ଗିଲେ। ଚାରିକଡ଼ ମଠ, ମନ୍ଦିର, ଘର ସବୁ ଜେସିବିରେ ଭାଙ୍ଗିଦେଲେ। ଏହାଦ୍ୱାରା ମନ୍ଦିର ଚାରିକଡୁ ସପୋର୍ଟ କମିଗଲା। ଯେଉଁଥିପାଇଁ ପାଚେରୀ ଚାରିଆଡ଼େ ଫାଟିଗଲା। ଏହାକୁ ସଂପୂର୍ଣ୍ଣ ମରାମତି ନକଲେ ଏହା ପୂରା ଭାଙ୍ଗିଯିବ। ବର୍ତ୍ତମାନ ସ୍ଥିତି ଯାହା ଏଏସ୍‌ଆଇ ଏହାକୁ ସ୍ୱତନ୍ତ୍ର ଭାବେ କାମ କରୁ। ପ୍ରଧାନମନ୍ତ୍ରୀ ନିଜେ ହସ୍ତକ୍ଷେପ କଲେ ପୂରା କାମ ହେବ।-ଜଗନ୍ନାଥ ସ୍ୱାଇଁ ମହାପାତ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ତେବେ ବିଜେପିର ଆକ୍ଷେପ ନେଇ ପ୍ରତିକ୍ରିୟା କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ପ୍ରତିକ୍ରିୟା ଦେଇଛନ୍ତି। ବିଜେପି ନେତା କହିଛନ୍ତି, ବିଜେପି ନେତା କ’ଣ ବୈଷୟିକ ବିଶେଷଜ୍ଞ? ବିଜେପି ନେତାଙ୍କୁ ମୋର ପରାମର୍ଶ ଯାହା କହୁଛନ୍ତି ଭାବିଚିନ୍ତି କୁହନ୍ତୁ। ଯିଏ ଏତେ ବଡ଼ ପରିକ୍ରମା ପ୍ରକଳ୍ପର ନିର୍ମାଣ କରିଛନ୍ତି, ସେ କଣ ମନ୍ଦିରର କ୍ଷତି କରିବା ପାଇଁ କରିଛନ୍ତି? ବିଜେପି ନେତାମାନେ ସୁସ୍ଥ ମାନସିକତାରେ ନିଜ ବିବୃତ୍ତି ରଖନ୍ତୁ ।

Leave a Reply

Your email address will not be published. Required fields are marked *