ଚାଷୀଙ୍କ ସ୍ୱାର୍ଥରେ ବାଧା ଦେଲେ ଜେଲ୍ ପଠାଯିବ: ସମବାୟ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ

ଭୁବନେଶ୍ୱର: ବିଜେପି ପକ୍ଷରୁ ଆୟୋଜିତ ସମବାୟ ସପ୍ତାହ ପାଳନ ଉତ୍ସବରେ ଦୁର୍ନୀତିଖୋରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚେତାବନୀ ଦେଇଛନ୍ତି। ଚାଷୀଙ୍କ ସ୍ୱାର୍ଥରେ ବାଧା ଆସିଲେ କ୍ଷମା ଦିଆଯିବ ନାହିଁ, ସିଧା ଜେଲ୍ ପଠାଯିବ। ସମବାୟ ଆନ୍ଦୋଳନକୁ ତୃଣମୂଳସ୍ତରରେ ପହଞ୍ଚାଇବା ପାଇଁ ସରକାର ଚେଷ୍ଟିତ ଅଛନ୍ତି। ଯିଏ ସେଥିରେ ବିଭ୍ରାଟ ସୃଷ୍ଟି କରିବେ ସେମାନଙ୍କ ଉପରେ ସରକାରଙ୍କ କଡ଼ା ନଜର ରହିଛି । ଆବଶ୍ୟକ ପଡିଲେ ଝାରପଡ଼ା ଜେଲ୍‌ରେ ବ୍ୟବସ୍ଥା ତାଙ୍କ ପାଇଁ ଅଛି ବୋଲି ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି ।

ସମବାୟ ସପ୍ତାହ ପାଳନ ଅବସରରେ ମୋହନ ମାଝୀ ପୂର୍ବ ବିଜେଡ଼ି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଗତ ସରକାରରେ ଚାଷୀଙ୍କ ପ୍ରତି ଅନ୍ୟାୟ କରାଯାଇଛି। ସେମାନଙ୍କୁ ଶୋଷଣ କରାଯାଇଛି।କୋପରେଟିଭ ସଂସ୍ଥାକୁ ପୂର୍ବ ବିଜେଡ଼ି ସରକାର କରପସନ୍ ସଂସ୍ଥାରେ ପରିଣତ କରିଥିଲେ । ଯେଉଁ ଦୁର୍ନୀତି ଓ ଭ୍ରଷ୍ଟାଚାର ହୋଇଥିଲା, କେମିତି ଦୁର୍ନୀତି ଯୁକ୍ତ ବିଭାଗରୁ ଦୁର୍ନୀତି ବନ୍ଦ କରି ସେବା ଦିଆଯିବ, ତା ଉପରେ ବିଜେପି ସରକାର ଏବେ ଗୁରୁତ୍ଵ ଦେଉଛନ୍ତି । ଢୋଲ ଭିତରେ ମୂଷା ଭଳି କିଛି ଲୋକ ବିଶୃଙ୍ଖଳା କରିବା ପାଇଁ ଅଛନ୍ତି। ଯେଉଁମାନେ ଦୁର୍ନୀତି କରିବେ ସେମାନଙ୍କୁ ସରକାର ଚିହ୍ନଟ କରିବେ। କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ସବୁବେଳେ କାମକୁ ବିଗାଡ଼ିବା ପାଇଁ ଚେଷ୍ଟା କରୁଛନ୍ତି । ଧାନ କିଣା କିଭଳି ସଠିକ୍ ଭାବେ ହେବ ଓ ଚାଷୀମାନେ ତାଙ୍କ ଧାର୍ଯ୍ୟ ମୂଲ୍ୟ ପାଇବେ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯିବ। ପୂର୍ବ ସରକାର କଥା ଦେଇ କଥା ରଖି ନ ଥିଲେ ସେଥିପାଇଁ ଅନେକ ସମୟରେ ଚାଷୀ ନିଜ ଜୀବନ ନେଉଥିଲେ । ଏବେ ନୂଆ ସରକାର ଚାଷୀଙ୍କ ପାଇଁ ଚିନ୍ତା କରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ଭୋଟ ବ୍ୟାଙ୍କ୍ ପାଇଁ ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୧୦୦ ଟଙ୍କା ବୋନସ ଘୋଷଣା କରିଥିଲେ। କିନ୍ତୁ ଚାଷୀଙ୍କୁ ଗୋଟିଏ ଟଙ୍କା ବୋନସ ଦେଲେ ନାହିଁ। ବିଜେପି ସରକାର ଚାଷୀଙ୍କୁ ୮୦୦ ଟଙ୍କା ବୋନସ ଦେବେ। ୨୩୦୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ ପାଇବେ ।

ଏହା ସହ ୮୦୦ ଟଙ୍କା ଇନପୁଟ ସବସିଡି ବିଜେପି ସରକାର ଦେବେ। ଡିସେମ୍ବର ୮ ତାରିଖରେ ସୋହେଲାରେ ୫୦ ହଜାର ଚାଷୀ ଏକାଠି ହେବେ। ଏଥର କଟନୀ ଛଟନୀ ହେବ ନାହିଁ। ସେସବୁ ବନ୍ଦ ହେବ। ସେଥିପାଇଁ ଚାଷୀମାନେ ଏଫଏକ୍ୟୁ ମାନର ଧାନ ଦେବେ । ଧାନ କିଣାରେ ଯେମିତି କିଛି ବ୍ୟତିକ୍ରମ ନ ହେବ, ସେଥିପାଇଁ ଜିଲ୍ଲାପାଳମାନଙ୍କୁ ତାଗିଦ ଏବଂ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *