ରାଜାଧିରାଜ ବେଶରେ ମହାବାହୁ: ବିନା ପହୁଡ଼ରେ ନୀତିକାନ୍ତି

ପୁରୀ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ରାଜାଧିରାଜ ବେଶ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। ମହୋଦଧିରେ ବୁଡ଼ ପକାଇ ବୋଇତ ବନ୍ଦାଣ ପରେ ମହାପ୍ରଭୁଙ୍କ ଦର୍ଶନ କରି ପଞ୍ଚକ ବ୍ରତ ଶେଷ କରିଛନ୍ତି। ସେପଟେ ପଞ୍ଚକରେ ମହାପ୍ରଭୁଙ୍କ ନୀତିକାନ୍ତିରେ ଅହେତୁକ ବିଭ୍ରାଟ ଦେଖିବାକୁ ମିଳିଛି। ଯେଉଁଥିପାଇଁ ପଞ୍ଚକର ୩ ଦିନ ମହାପ୍ରଭୁ ରାତି ଅନିଦ୍ରା ରହିଛନ୍ତି। ବିନା ରାତ୍ରପହୁଡ଼ ଓ ଦ୍ବାରଫିଟାରେ ତିନିଦିନ ହେଲାଣି ନୀତିକାନ୍ତି ଚାଲିଛି। ଗତକାଲିର ନୀତିକାନ୍ତି ବିଳମ୍ବ କାରଣରୁ ରାତ୍ର ପହୁଡ଼ ହୋଇ ପାରିନଥିଲା। ଆଜି ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମାରେ ବିନା ପହୁଡ଼ ଓ ଦ୍ବାରଫିଟାରେ ନୀତିକାନ୍ତି ହୋଇଛି ।

ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ହେଉଛନ୍ତି ରାଜାଧିରାଜ। ସ୍ବତ୍ବଲିପି ମୁତାବକ ରତ୍ନ ସିଂହାସନରେ ବର୍ଷକରେ ୨୦ରୁ ଅଧିକ ବେଶରେ ମହାପ୍ରଭୁ ଦର୍ଶନ ଦେଇଥାନ୍ତି। ସେଥିରେ ରାଜାଧିରାଜ ବେଶ ଅନ୍ୟତମ। ମହାପ୍ରଭୁଙ୍କର ଏହି ରାଜାବେଶ ବା ସୁନାବେଶ ବର୍ଷକୁ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ। ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ମେକାପ, ପୁଷ୍ପାଳକ, ଖୁଣ୍ଟିଆ ସେବକଙ୍କ ଦ୍ବାରା ସୁନାବେଶ ସଂପାଦିତ ହୋଇଥିଲା। ଶ୍ରୀଜିଉ ବିଭିନ୍ନ ପାଟବସ୍ତ୍ରରେ ସଜ୍ଜିତ ହୋଇଥିଲେ। ଭିତରଚ୍ଛ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ, ତଳିଛ ମହାପାତ୍ର ବଡ଼ଠାକୁର ଶ୍ରୀବଳଭଦ୍ରଙ୍କୁ ଏବଂ ପୁଷ୍ପାଳକ ମା’ ସୁଭଦ୍ରାଙ୍କୁ ସୁବର୍ଣ୍ଣ ଅଳଙ୍କାର ଓ ପୁଷ୍ପ ଆଦି ଲାଗି କରିଥିଲେ। ବଡ଼ଠାକୁର ଶ୍ରୀବଳଭଦ୍ର ସୁବର୍ଣ୍ଣର ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣି, କୁଣ୍ଡଳ, ଚନ୍ଦ୍ର, ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଝୋବାକଣ୍ଠି, ହଳ, ବାହାଡ଼ାମାଳି, ବାଘନଖି ମାଳି, ସେବତୀ ମାଳି, କମର ପଟି ଆଦି ପରିଧାନ କରିଥିଲେ।ସୁବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେଲେ ଶ୍ରୀବିଗ୍ରହପଞ୍ଚକର ୩ ଦିନ ଯାଏ ଅନିଦ୍ରା ରହିଲେ ବଡ଼ଠାକୁର ବିନା ପହୁଡ଼ରେ ନୀତିକାନ୍ତି ମା’ ସୁଭଦ୍ରା ସୁବର୍ଣ୍ଣର କିରୀଟ, ଓଡ଼ିଆଣି, କାନ, ଚନ୍ଦ୍ର, ସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ତଡ଼ଗି, ସେବତୀ ମାଳି ପରିଧାନ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥ ସୁବର୍ଣ୍ଣର କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଓଡ଼ିଆଣି, ଚନ୍ଦ୍ର, ସୂର୍ଯ୍ୟ, କୁଣ୍ଡଳ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ସ୍ୱର୍ଣ୍ଣଚକ୍ର, ରୌପ୍ୟଶଙ୍ଖ (ଆୟୁଧ), ସେବତୀ ମାଳି, ହରିଡ଼ା ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ତାବିଜ ମାଳି, କମରପଟି ଆଦି ପରିଧାନ କରିଥିଲେ ।

ଆଜି ସକାଳ ୭ଟା୨୦ରେ ରୋଷହୋମ ନୀତି ପରେ ୭ଟା ୨୫ରେ ରାଜାଧିରାଜ ବେଶ ଆରମ୍ଭ ହୋଇଥିଲା। ୮ଟା ୩୫ରେ ଭକ୍ତମାନେ ଏହି ବେଶ ଦର୍ଶନର ସୌଭାଗ୍ୟ ଅର୍ଜିଥିଲେ। ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳବଲ୍ଲବ ଆଦି ନୀତି ବଢ଼ିବା ପରେ ସକାଳଧୂପ ପ୍ରସାଦ ବାହାରି ପାଣି ପଡ଼ିଥିଲା। ବାଳଧୂପ ସହ ଅନ୍ୟାନ୍ୟ ନୀତି ପରେ ଅପରାହ୍ଣ ୩ଟା ୨୦ରେ ଭୋଗମଣ୍ଡପ ଶେଷ ହୋଇଥିଲା। ଏହାପରେ ମହାପ୍ରଭୁଙ୍କ ବେଶ ଓଲାଗି କରାଯାଇଥିଲା ।

Leave a Reply

Your email address will not be published. Required fields are marked *