ଗାଙ୍ଗପୁର ଠାରେ ଏମବିଏସ ମସଲା କମ୍ପାନୀ ଶୁଭ ଉଦଘାଟନ ଓ ମହିଳା ସମାବେଶ ରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବେଲଗୁଣ୍ଠା (ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ଠାରେ ଏମବିଏସ କମ୍ପାନୀର ଖାଦ୍ୟ ଓ ମସଲା ପ୍ରୋସେସିଙ୍ଗ ୟୁନିଟର ଶୁଭ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅପରାହ୍ନ ସାଢ଼େ ୩ଟା ବେଳେ କେନ୍ଦ୍ର ମନ୍ତ୍ରୀ ପହଞ୍ଚିବା ପରେ ଏମବିଏସ କମ୍ପାନୀ ତରଫରୁ ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପରେ କେନ୍ଦ୍ରମନ୍ତ୍ରୀ ମା ବରାଳ ଦେବୀ ଏଗ୍ରୋ ଫୁଡ୍ସ ପ୍ରାଇଭେଟ ଲିମିଟେଡ଼ର ଶୁଭ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ପଶୁ ସମ୍ପଦ ଓ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ , ଆସିକା ସାଂସଦ ଅନିତା ସୁଭଦର୍ଶିନୀ ପଟ୍ଟନାୟକ, ସ୍ଥାନୀୟ ବିଧାୟକ ନୀଳମଣି ବିଷୋୟୀ ଓ ଏମବିଏସ କମ୍ପାନୀର ଏମଡ଼ି ବସନ୍ତ କୁମାର ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ କମ୍ପାନୀ ନିକଟରେ ଆୟୋଜିତ ଏକ ମହିଳା ସମାବେଶରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହିଳା ସମାବେଶରେ ନିଜ ଅଭିଭାଷଣରେ କେନ୍ଦ୍ରମନ୍ତ୍ରୀ ଗଞ୍ଜାମ ଜିଲ୍ଲାକୁ ଏକ ନମ୍ବର କରିବା ପାଇଁ ଜିଲ୍ଲାର ସମସ୍ତ ବିଧାୟକ ଓ ଦୁଇ ସାଂସଦଙ୍କ ସହିତ ସେ ମଧ୍ୟ ଗୁଣ୍ଡୁଚି ମୂଷା ଭଳି ସହଯୋଗ କରିବେ ବୋଲି କହିଥିଲେ । ଗଞ୍ଜାମ ଜିଲ୍ଲାକୁ ଦାଦନ ମୁକ୍ତ କରିବା ପାଇଁ ଏବଂ ଜିଲ୍ଲାର ଆର୍ଥିକ ଅଭିବୃଦ୍ଧି ସହିତ ସାମୁହିକ ବିକାଶ ପାଇଁ ବିଜେପି ସରକାରଙ୍କ ଡବଲ ଇଞ୍ଜିନ ସରକାର ସଂକଳ୍ପ ବଦ୍ଧ ବୋଲି କହିଥିଲେ । ଜିଲ୍ଲାର ଦୁଇ ମନ୍ତ୍ରୀ ଗୋକୁଳାନନ୍ଦ  ମଲ୍ଲିକ ଏବଂ ବିଭୁତି ଭୂଷଣ ଜେନାଙ୍କ ସହଯୋଗରେ ଜିଲ୍ଲା ଶିଳ୍ପ ସମୃଦ୍ଧ ହୋଇ ପାରିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ଏହି ମହିଳା ସମାବେଶରେ ରାଜ୍ୟ ପଶୁସମ୍ପଦ ଓ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଆସିକା ସାଂସଦ ଅନିତା ଶୁଭ ଦର୍ଶିନୀ ପଟ୍ଟନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ,ଚିକିଟି ବିଧାୟକ ମନୋରଞ୍ଜନ ଡ୍ୟାନସମନ୍ତରା, ଆସିକା ବିଧାୟକ ସରୋଜ ପାଢ଼ୀ, ଖଲ୍ଲିକୋଟ ବିଧାୟକ ପୁର୍ଣ୍ଣଚନ୍ଦ୍ର ସେଠୀ ,ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ , ବିଜେପି ମହିଳା ମୋର୍ଚ୍ଚାର ବବିତା ପାତ୍ର ଓ ବହୁ ଜିଲ୍ଲା ସ୍ତରୀୟ ନେତା ଉପସ୍ଥିତ ଥିଲେ । ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାର ଚାଷୀଙ୍କ ପ୍ରଭୁତ କ୍ଷତି ହେବା ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନ ଉତ୍ତର ଦେବାକୁ ଯାଇ ରାଜ୍ୟ ସରକାର ନିଶ୍ଚିତ ଭାବେ ଏ ଦିଗରେ ପଦକ୍ଷେପ ନେବେ ବୋଲି କହିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସୋରଡ଼ା ବିଧାୟକ ଏକ ବିରାଟ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ମଞ୍ଚରେ ସ୍ୱାଗତ କରାଯାଇଥିବା ବେଳେ ଉପହାର ସ୍ୱରୂପ କେନ୍ଦ୍ରମନ୍ତ୍ରୀଙ୍କୁ କାଷ୍ଠ ନିର୍ମିତ ହାତୀଙ୍କ କଳାକୃତି ପ୍ରଦାନ କରାଯାଇଥିଲା । ଜିଲ୍ଲା ବିଜେପି ସମ୍ପାଦକ ରଞ୍ଜନ ରାଉତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ପରିଚୟ ପ୍ରଦାନ କରିଥିଲେ । ମହିଳା ସମାବେଶରେ ଦୁଇ ହଜାରରୁ ଉର୍ଦ୍ଧ ମହିଳା ଯୋଗ ଦେଇଥିବା ବେଳେ ବହୁ ବିଜେପି କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *