ଭାରତର ସୃଜନଶୀଳ ସମ୍ଭାବନାକୁ ପ୍ରଦର୍ଶିତ କରିବା ପାଇଁ ୱେଭ୍ସରେ ଅଂଶଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ : ୱେଭ୍ସ୍ ଶିଖର ସମ୍ମିଳନୀକୁ ଡାଭୋସ୍ ଭଳି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ସହିତ ତୁଳନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ସୃଜନଶୀଳ ପ୍ରତିଭାକୁ ବିଶ୍ୱ ଆଗରେ ପ୍ରଦର୍ଶିତ କରିବା ପାଇଁ ଏକ ବଡ଼ ସୁଯୋଗ ଆସୁଛି । ଗଣମାଧ୍ୟମ ଓ ମନୋରଞ୍ଜନ ଜଗତର ବଡ଼ ବଡ଼ ବ୍ୟକ୍ତିଙ୍କ ସମେତ ବିଶ୍ୱର ସୃଜନଶୀଳ ବ୍ୟକ୍ତିତ୍ୱ ମାନେ ଭାରତରେ ଏକାଠି ହେବେ। ଏହି ସମ୍ମିଳନୀ ଭାରତକୁ ଏକ ବିଶ୍ୱସ୍ତରୀୟ କଣ୍ଟେଣ୍ଟ କ୍ରିଏସନ ବା ବିଷୟବସ୍ତୁ ସୃଷ୍ଟି କେନ୍ଦ୍ରରେ ପରିଣତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । “ଭାରତର ସୃଜନଶୀଳ ସମୁଦାୟର ଚମତ୍କାର ଭାବନାକୁ ପ୍ରତିଫଳିତ କରୁଥିବା ୱେଭ୍ସ୍ ସମ୍ମିଳନୀ ଆୟୋଜନରେ ଯୁବ ନିର୍ମାତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସେ ଦେଶର ଯୁବପିଢ଼ି ଏବଂ ଅଭିବୃଦ୍ଧିଶୀଳ ସୃଜନାତ୍ମକ ଅର୍ଥନୀତିରେ ସେମାନଙ୍କ ଅବଦାନ ପାଇଁ ଗର୍ବ ପ୍ରକାଶ କରିଥିଲେ ଯାହାକି ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାରେ ଏକ ପ୍ରମୁଖ ଯୋଗଦାନ ଦେଉଛି ।ୱେଭ୍ସ୍ ସମ୍ମିଳନୀରେ ମନୋରଞ୍ଜନ ଏବଂ କଳା ଜଗତର ସମସ୍ତ ଅଂଶୀଦାରମାନଙ୍କୁ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରି ପ୍ରଧାନମନ୍ତ୍ରୀ କହିଥିଲେ “ଆପଣ ଜଣେ ଯୁବ କ୍ରିଏଟର ହୁଅନ୍ତୁ କିମ୍ବା ପ୍ରତିଷ୍ଠିତ କଳାକାର ହୁଅନ୍ତୁ, ବଲିଉଡ୍ କିମ୍ବା ଆଞ୍ଚଳିକ ସିନେମା ସହିତ ଜଡ଼ିତ ହୁଅନ୍ତୁ, ଟିଭି ଶିଳ୍ପର ପେସାଦାର ହୁଅନ୍ତୁ ଅଥବା ଆନିମେସନ୍, ଗେମିଂ କିମ୍ବା ମନୋରଞ୍ଜନ ପ୍ରଯୁକ୍ତିର ଉଦ୍ଭାବକ ହୁଅନ୍ତୁ, ମୁଁ ଆପଣଙ୍କୁ ଓ୍ବେଭସ୍ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଆହ୍ୱାନ ଜଣାଉଛି”।

ୱେଭ୍ସ୍ ସମ୍ମିଳନୀ ଭାରତର ସୃଜନଶୀଳ ପ୍ରତିଭା ପାଇଁ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ, ସହଯୋଗକୁ ପ୍ରୋତ୍ସାହିତ କରିବ ଏବଂ ବିଶ୍ୱସ୍ତରୀୟ କଣ୍ଟେଣ୍ଟ ସୃଷ୍ଟିର କେନ୍ଦ୍ର ଭାବରେ ଦେଶର ସାମର୍ଥ୍ୟକୁ ପ୍ରଦର୍ଶିତ କରିବ । ଏଥିରେ ଆନିମେସନ୍, ଗେମିଂ, ମନୋରଞ୍ଜନ ପ୍ରଯୁକ୍ତି ବିଦ୍ୟା ଏବଂ ଆଞ୍ଚଳିକ ଓ ମୁଖ୍ୟସ୍ରୋତ ସିନେମାରେ ଭାରତର ଅଗ୍ରଗତିକୁ ଦର୍ଶାଯିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନ ଭାରତର ସୃଜନଶୀଳ ଅର୍ଥନୀତିର ବିକାଶ ଏବଂ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ଭାରତକୁ ବିଶ୍ବରେ ଅଗ୍ରଣୀ କରିବାକୁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ।ସିନେମାର ମହାନ କଳାକାରମାନଙ୍କୁ ସେମାନଙ୍କ ଜନ୍ମଶତବାର୍ଷିକୀ ଅବସରରେ ସମ୍ମାନ୨୦୨୪ରେ ଜନ୍ମ ଶତବାର୍ଷିକୀ ପାଳନ କରାଯାଇଥିବା ଭାରତୀୟ ସିନେମାର ଅନେକ ମହାନ ବ୍ୟକ୍ତିତ୍ୱଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ନିଜର କାଳଜୟୀ ଚଳଚ୍ଚିତ୍ର ମାଧ୍ୟମରେ ଭାରତର ସାଂସ୍କୃତିକ ଶକ୍ତି ପ୍ରଦର୍ଶିତ କରିବାରେ ରାଜ କପୁରଙ୍କ ଭୂମିକା, ମହମ୍ମଦ ରଫିଙ୍କ ଆକର୍ଷଣୀୟ ସ୍ୱର ଯାହା ସମସ୍ତ ପିଢ଼ିକୁ ଆକର୍ଷିତ କରିଥାଏ ଏବଂ ଭାରତୀୟ ପରମ୍ପରାକୁ ପ୍ରତିଫଳିତ କରି ତେଲୁଗୁ ସିନେମାକୁ ଉନ୍ନତ କରିବାରେ ଅକ୍କିନେନି ନାଗେଶ୍ୱର ରାଓଙ୍କ ଅବଦାନକୁ ସେ ସ୍ମରଣ କରିଥିଲେ । ଏକତା ଏବଂ ସଚେତନତାକୁ ପ୍ରେରଣା ଦେଉଥିବା ତପନ ସିହ୍ନାଙ୍କ ସାମାଜିକ ଉଦ୍ଦେଶ୍ୟପୂର୍ଣ୍ଣ ଚଳଚ୍ଚିତ୍ରକୁ ମଧ୍ୟ ସେ ସମ୍ମାନ ଜଣାଇଥିଲେ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ କିପରି ଏହି ମହାନ ବ୍ୟକ୍ତିମାନେ କେବଳ ଭାରତୀୟ ସିନେମାର ସୁବର୍ଣ୍ଣ ଯୁଗକୁ ରୂପ ଦେଇନଥିଲେ ବରଂ ଭାରତର ସାଂସ୍କୃତିକ ଐତିହ୍ୟକୁ ମଧ୍ୟ ସୁଦୃଢ଼ କରିଥିଲେ ଏବଂ ତାସହିତ ଆଗାମୀ ପିଢିର ପ୍ରସଂଶା ଓ ସେମାନଙ୍କୁ ଅନୁପ୍ରାଣିତ କରିବାକୁ ଏକ ଚିରସ୍ଥାୟୀ ପରମ୍ପରା ଛାଡ଼ିଯାଇଛନ୍ତି ।ସୂଚନାଯୋଗ୍ୟ, ୫୫ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଅଫ୍ ଇଣ୍ଡିଆ (ଆଇଏଫ୍ଏଫ୍ଆଇ) ପକ୍ଷରୁ ରାଜ କପୁର, ତପନ ସିହ୍ନା, ଅକ୍କିନେନି ନାଗେଶ୍ୱର ରାଓ (ଏଏନ୍ଆର୍) ଏବଂ ମହମ୍ମଦ ରଫିଙ୍କ ଅସାଧାରଣ ପରମ୍ପରାକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ, ପ୍ରଦର୍ଶନ ଓ ଆଲୋଚନାଚକ୍ର ମାଧ୍ୟମରେ ବିଶ୍ବ ସିନେମା ଜଗତକୁ ଏହି ମହାନ ଚଳଚ୍ଚିତ୍ର ବ୍ୟକ୍ତିତ୍ୱଙ୍କ ଅବଦାନକୁ ସ୍ମରଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *