
ଭଞ୍ଜନଗର (ଓଡ଼ିଶା ଟୁଡେ): ନିଖିଳ ଉତ୍କଳ ଆଇନଜୀବୀ ସଂଘର ଦୁଇଦିନିଆ ରାଜ୍ୟସ୍ତରୀୟ ସମ୍ମିଳନୀ ରବିବାର ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଉଦ୍ଘାଟିତ ହୋଇଛି । ଏଥିରେ ସଂଘର ରାଜ୍ୟ ସଭାପତି ମାନସ ରଞ୍ଜନ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ଓଡ଼ିଶା ହାଇକୋର୍ଟର ବିଚାରପତି ଭି. ନରସିଂହ ମୁଖ୍ୟଅତିଥି ଭାବେ ଯୋଗଦେଇ ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ସେ ମଧୁବାବୁଙ୍କ ସ୍ମୃତିଚାରଣ କରି କହିଥିଲେ, ଆଇନଜୀବୀ ଭାବେ ଆମର ଦାୟିତ୍ଵ ବଢ଼ିଯାଇଛି । ନୂଆ ନୂଆ ଆଇନ ସବୁ ଲାଗୁ ହୋଇଛି । ବାର, ବେଞ୍ଚ ଉଭୟ ପରସ୍ପରକୁ ସମ୍ମାନ ଦେବା ଜରୁରୀ । ଉଭୟେ ନିଜ ନିଜ ଲକ୍ଷ୍ମଣରେଖା ଭିତରେ ରହି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ବାର୍ ଓ ବେଞ୍ଚ ମଧ୍ୟରେ ସମନ୍ୱୟ ରହିଲେ ଆମେ ଲୋକଙ୍କୁ ଉଚିତ ଏବଂ ତ୍ବରିତ ନ୍ୟାୟ ପ୍ରଦାନ କରିପାରିବା । ଯୁବ ଆଇନଜୀବୀମାନେ ଆଇନ ଉପରେ ଅଧିକ ପଢ଼ନ୍ତୁ । ବର୍ତ୍ତମାନ ଏ.ଆଇ. ଯୁଗ । ଚାଟ ଜିପିଟି ମାଧ୍ୟମରେ ଆଇନ ସମ୍ବନ୍ଧୀୟ ବହୁତ ତଥ୍ୟ ହାସଲ କରି ହେଉଛି । ବିଭିନ୍ନ ଆଇନ ଗୁଡିକୁ ଦେଶର ଭିନ୍ନ ଭିନ୍ନ ଭାଷାରେ ଅନୁବାଦ କରି ହେଉଛି ଏବଂ ପୂର୍ବରୁ ବିଭିନ୍ନ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ଦେଇଥିବା ରାୟ ସମ୍ପର୍କରେ ସବିଶେଷ ଜାଣି ହେଉଛି । ତେଣୁ ନୂଆଁ ଓକିଲ ମାନେ ବୈଷୟିକ ଜ୍ଞାନ ଆହରଣ କରିବାକୁ ପରାମର୍ଶ ଦେଇଥିଲେ ।
ଭଞ୍ଜନଗର ବିଧାୟକ ତଥା ଅଭ୍ୟର୍ଥନା କମିଟିର ସଭାପତି ପ୍ରଦ୍ୟୁମ୍ନ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଇନଜୀବୀମାନଙ୍କ ଉନ୍ନତି ପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି କହିଥିଲେ । ସଭାପତି ମାନସ ରଞ୍ଜନ ମହାପାତ୍ର କହିଥିଲେ, ସଂଘର ନିଜସ୍ବ କାର୍ଯ୍ୟାଳୟ ଏପର୍ଯ୍ୟନ୍ତ ଭୁବନେଶ୍ବରରେ ନାହିଁ । ଏନେଇ ବହୁବାର ବିଗତ ଦିନରେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି, ମାତ୍ର ସୁଫଳ ମିଳିନାହିଁ ବୋଲି କହିଥିଲେ । ଆୟକର ସ୍ଲାବ ରେ ଆସୁ ନ ଥିବା ଆଇନଜୀବୀଙ୍କୁ ସ୍ବାସ୍ଥ୍ୟବୀମା ପ୍ରଦାନ କରିବା, ପେନ୍ସନ ଯୋଜନାରେ ରାଜ୍ୟ ସରକାରଙ୍କ ଅଂଶଧନ ରହିବା ଏବଂ ଯୁବ ଆଇନଜୀବୀଙ୍କୁ ରାଜ୍ୟ ସରକାର ମାଗଣା ତାଲିମ ସହ ଷ୍ଟାଇପେଣ୍ଡ ଦେବାକୁ ମହାପାତ୍ର ଦାବି କରିଥିଲେ ।
ଏହି ଅବସରରେ ବରିଷ୍ଠ ଆଇନଜୀବି ସୋମନାଥ ନାୟକ, ବିଜୟ ପାତ୍ର, ଗୋପାଳକୃଷ୍ଣ ପ୍ରଧାନ ଙ୍କୁ ସେମାନଙ୍କ ଦୀର୍ଘ ବର୍ଷ ଧରି ଓକିଲାତି ସେବା ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା ।
ରାଜ୍ୟ ସାଧାରଣ ସମ୍ପାଦକ ଅନିଲ ପରିଡ଼ା, ଭଞ୍ଜନଗର ସଭାପତି ଶୈଳେନ୍ଦ୍ର ନାରାୟଣ ସାହୁ, ସମ୍ପାଦକ ରାଜେନ୍ଦ୍ର ପ୍ରଧାନ ରାଜ୍ୟ କାର୍ଯ୍ୟକାରୀ ସଭାପତି ଜ୍ୟୋତି ପ୍ରକାଶ ରଥ, ରାଜ୍ୟ ସମ୍ପାଦକ ପ୍ରକାଶ ଦାସ, ସ୍ମରଣିକା ସମ୍ପାଦକ ନିରଞ୍ଜନ ପ୍ରସାଦ ନାୟକ, ଓଡ଼ିଶା ବାର୍ କାଉନସିଲ ସଭ୍ୟ ପୀତବାସ ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ। ଆଇନଜୀବୀ ସନ୍ତୋଷ ନାୟକ, ରବି ଦାସ ସଂଯୋଜନା କରିଥିଲେ । ଏହି ଅବସରରେ ଅତିଥିମାନେ ସଂଘର ସ୍ମରଣିକାକୁ ଉନ୍ମୋଚନ କରିଥିଲେ। ଦ୍ଵିତୀୟ ଅଧିବେଶନରେ ସାମ୍ବିଧାନିକ ଆନୁଗତ୍ୟ ଏବଂ ବିଚାର ବ୍ୟବସ୍ଥାର ତ୍ରୁଟି ଉପରେ ଆଲୋଚନା ହୋଇଥିଲା । ଏହାକୁ ବିଧି ଆୟୋଗ କମିଶନର ଅଧ୍ୟକ୍ଷ ତଥା ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ବିଶ୍ଵନାଥ ରଥ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସୋମବାର ଦ୍ଵିତୀୟ ଦିବସରେ ବହୁ ବିଶିଷ୍ଟ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।