
ଭଞ୍ଜନଗର (ଓଡ଼ିଶା ଟୁଡେ): ଭଞ୍ଜନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଦୁଇ ଦିନ ଧରି ଚାଲିଥିବା ୫୩ତମ ରାଜ୍ୟ ସ୍ତରୀୟ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ବାର୍ଷିକ ସମ୍ମିଳନୀରେ ଆଜି ଦ୍ବିତୀୟ ଦିବସ ରହିଥିବା ବେଳେ ଅଧିବେଶନ ସମାପ୍ତ ହେବା ପରେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଭଞ୍ଜନଗର ଆଇନଜୀବୀ ସଂଘ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ଆଜି ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ମନୋଜ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇନଜୀବୀ ସଂଘର କାର୍ଯ୍ୟକାରୀତା ଉପରେ ବକ୍ତବ୍ୟ ରଖିଥିଲେ । ବିଶେଷ କରି ରାଜ୍ୟର ସମସ୍ତ ଆଇନଜୀବୀ ଏକଜୁଟ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ନିଜ ନିଜ ମହକିଲ ମାନଙ୍କୁ ଯେଉଁ ସ୍ତରରେ ଆଇନସେବା ଆବଶ୍ୟକ ଯୋଗାଇବା ସମସ୍ତଙ୍କ ନୈତିକ ଦାୟିତ୍ବ । ମାମଲା ପରିଚାଳନାକୁ ନେଇ କୋର୍ଟ ପରିସରରେ ଯେଉଁଭଳି ପରିସ୍ଥିତି ରହିଥିଲେ ମଧ୍ୟ ବାହାରରେ ସମସ୍ତ ଆଇନଜୀବୀ ଏକ ହୋଇ ସୌହାଦ୍ଦ୍ୟପୂର୍ଣ୍ଣ ଭାବ ରଖିବା ଜରୁରୀ । ଓକିଲଙ୍କ ଏକତା ଅକ୍ଷୁର୍ଣ୍ଣ ରଖିବା ପାଇଁ ସମସ୍ତେ ଉଦ୍ୟମ କରିବାର ଆବଶ୍ୟକତା ରହିଛି । ତାହାହେଲେ ଯାଇ ଆଇନଜୀବୀ ସଂଘ ନିଜର ହକ ଓ ସମସ୍ୟା ସମାଧାନ କରି ପାରିବ ବୋଲି ସେ କହିଥିଲେ ।
ଆଜିର କାର୍ଯ୍ୟକ୍ରମ ଭଞ୍ଜ ସଙ୍ଗୀତରୁ ଆରମ୍ଭ ହୋଇଥିଲା । ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଘୁମୁସର କାବ୍ୟର କିଛି ପଂକ୍ତି ଓ କବିସମ୍ରାଟଙ୍କ ‘ ବୈଦେହୀଶ ବିଳାସ ‘ କାବ୍ୟର କିଛି ପଂକ୍ତି ପରିବେଷଣ କରାଯାଇଥିଲା । ଏଥିରେ ଉଦବୁଦ୍ଧ ହୋଇ ରାଜ୍ୟ ଆଇନଜୀବୀ ସଂଘ ସଭାପତି ମାନସ ରଞ୍ଜନ ମହାପାତ୍ର ଉକ୍ତ ସଙ୍ଗୀତ ଅନୁଷ୍ଠାନକୁ ପୁରସ୍କୃତ କରିଥିଲେ ।
ରାଜ୍ୟ ଆଇନଜୀବୀ ସଂଘ ସଭାପତି ମାନସ ରଞ୍ଜନ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଭ୍ୟର୍ଥନା କମିଟି ସଭାପତି ତଥା ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଭଞ୍ଜନଗର ବାର୍ ର ବହୁ ଦିବଙ୍ଗତ ଆଇନଜୀବୀଙ୍କ ଦକ୍ଷତା ସଂପର୍କରେ କହିବା ସହ ଓଡ଼ିଶାର ଅନ୍ୟ ବାର୍ କୁ ମାର୍ଗଦର୍ଶନ ଦେବାର କ୍ଷମତା ରଖିଛି ଭଞ୍ଜନଗର ବାର୍ । ସମସ୍ତଙ୍କୁ ସାଙ୍ଗରେ ନେଇ ରାଜ୍ୟ ଆଇନଜୀବୀ ସଂଘକୁ ମଜବୁତ କରିବାକୁ ଆହ୍ବାନ ଦେଇଥିଲେ । ଏହି ଅବସରରେ ଓଡ଼ିଶା ହାଇକୋର୍ଟର ବାର୍ କାଉନସିଲ ସଦସ୍ୟ ପିତବାସ ପଣ୍ଡା ଓ ଆତ୍ମାରାମ ମହାନ୍ତି, ରାଜ୍ୟ ଆଇନଜୀବୀ ସଂଘର ସଙ୍ଗଠନ ସମ୍ପାଦକ ନିରଞ୍ଜନ ନାୟକ ଯୋଗଦେଇ ସଙ୍ଗଠନ ସଂର୍ପକରେ କହିବା ସହ ସମାଜ ଗଠନରେ ଆଇନଜୀବୀଙ୍କ ଭୂମିକା, ଲୋକଙ୍କୁ ନ୍ୟାୟିକ କ୍ଷେତ୍ରରେ ସର୍ବଦା ଜଣେ ବନ୍ଧୁ ପରି ସେମାନଙ୍କ ସମସ୍ୟା ସମାଧାନ କରିବା ଦିଗରେ ଆଇନଜୀବୀଙ୍କ ଚିନ୍ତା, ଚେତନା ଓ କର୍ତ୍ତବ୍ୟ ସର୍ବଦା ନିଷ୍ଠାପରତା ଉପରେ ଆଧାରିତ ବୋଲି କହିଥିଲେ । ଭଞ୍ଜନଗର ଓକିଲ ସଂଘ ସଭାପତି ଶୈଳେନ୍ଦ୍ର ନାରାୟଣ ସାହୁ, ରାଜ୍ୟ ଆଇନଜୀବୀ ସଂଘର ଉପସଭାପତି ସଞ୍ଜୟ କୁମାର ଦାଶ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ପ୍ରସନ୍ନ କୁମାର ନନ୍ଦ ସଂଯୋଜନା କରିଥିଲେ । ଅପରାହ୍ନରେ ସାଧରଣ ବୈଠକ ହେବା ସହ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି । ଶେଷରେ ଭଞ୍ଜନଗର ଆଇନଜୀବୀ ସଂଘ ସମ୍ପାଦକ ରାଜେନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।