ଜାନୁୟାରି ୩ରୁ ଭୁବନେଶ୍ୱରରୁ ୫ ସହରକୁ ବିମାନ ସେବା

ଭୁବନେଶ୍ବର: ନୂଆବର୍ଷରୁ ଓଡ଼ିଶାର ଦୁଇ ପ୍ରମୁଖ ବିମାନ ବନ୍ଦର ଭୁବନେଶ୍ୱର ଓ ଝାରସୁଗୁଡ଼ାରୁ ଅଧିକ ସହରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ଜାନୁୟାରି ୧ରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଅଧିକ ୪ଟି ସହରକୁ ଏବଂ ଜାନୁୟାରି ୩ରୁ ଭୁବନେଶ୍ୱର ବିମାନ ବନ୍ଦରରୁ ୫ଟି ସହରକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବ। ଏହି ସବୁ ନୂଆ ସହରକୁ ସିଧାସଳଖ ବିମାନ ସେବା ପାଇଁ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲା ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଏସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ଦେଢ଼ମାସ ପୂର୍ବରୁ ସିଧାସଳଖ ବିମାନ ସେବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମଧ୍ୟ ସୋସିଆଲ ମିଡ଼ିଆ ଏକ୍ସରେ ସୂଚନା ଦେଇଥିଲେ ।ମୁଖ୍ୟମନ୍ତ୍ରୀ ସୋମବାର ଏକ୍ସରେ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶା ବିକାଶର ନୂଆ ଉଡ଼ାଣ କରୁଛି । ଏବେ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଏହା ରାଜ୍ୟର ଅର୍ଥନୀତିକ ବିକାଶ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ଓଡ଼ିଶାର ଯୋଗାଯୋଗ ବ୍ୟବସ୍ଥାରେ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଜାନୁୟାରି ୧ରୁ ଝାରସୁଗୁଡ଼ାର ବୀରସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ହାଇଦ୍ରାବାଦ,ରାୟପୁର, ଲକ୍ଷ୍ନୌ ଓ ମୁମ୍ବାଇକୁ ସିଧାସଳଖ ବିମାନ ସେବା ମିଳିବ । ସେହିପରି ଜାନୁୟାରି ୩ରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦରରୁ ଇନ୍ଦୋର, ଡେରାଡୁନ, କୋଚି, ଜୟପୁର ଓ ଲକ୍ଷ୍ନୌକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *