ରୁପାରେ ଝଲସିବ ପତିତପାବନ ମନ୍ଦିର, ଶ୍ରୀବିଗ୍ରହଙ୍କ ସିଂହାସନ

ପୁରୀ: ଶ୍ରୀମନ୍ଦିରସ୍ଥିତ ପତିତପାବନଙ୍କ ମନ୍ଦିର ଓ ଗୁମୁଟ ପରିସର ଯମଶିଳା କାନ୍ଥପାର୍ଶ୍ବ ରୁପାରେ ଝଲସିବ। ପତିତପାବନଙ୍କ ସମ୍ପୂର୍ଣ୍ଣ ମନ୍ଦିର ରୁପା ଛାଉଣିରେ ଆଚ୍ଛାଦିତ ହେବା ସହିତ ଶ୍ରୀବିଗ୍ରହଙ୍କ ସିଂହାସନ ମଧ୍ୟ ରୁପାରେ ନିର୍ମିତ ହେବ। ଏଥିପାଇଁ କଟକର ଏକ ଜୁଏଲାରି ସଂସ୍ଥା ପକ୍ଷରୁ ଆଜିଠୁ ମନ୍ଦିର ପରିସରରେ ରୁପା ଛାଉଣି କାର୍ଯ୍ୟ ଆରମ୍ଭ ହୋଇଛି। ଭକ୍ତମାନଙ୍କ ଦାନ ସୂତ୍ରରେ ମିଳିଥିବା ରୁପା ଏବଂ ରୁପା ଦ୍ବାର କାମ ବେଳେ ବଳକା ରହିଥିବା ରୁପାରେ ଏହାକୁ ପ୍ରସ୍ତୁତ କରାଯାଉଛି। ଦାନସୂତ୍ରରେ ଶ୍ରୀମନ୍ଦିରକୁ ପ୍ରାୟ ୩ଶହ କେଜି ରୁପା ମିଳିଛି। ତିନି ମାସ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଯଦିଓ ସମସ୍ତ କାର୍ଯ୍ୟ ପାଇଁ ୩ ମାସ ଲକ୍ଷ୍ୟ ରଖାଯାଇଛି, ତେବେ ପତିତପାବନଙ୍କ ମନ୍ଦିର ରୁପା ଛାଉଣି କାର୍ଯ୍ୟ ସମ୍ଭବତଃ ନୂଆ ବର୍ଷରେ ଭକ୍ତମାନେ ଦେଖିବାର ସୁଯୋଗ ପାଇପାରିବେ ବୋଲି ଆଶା କରାଯାଉଛି। ଅଣସର ସମୟରେ ଦଶ ଅବତାର ଖଟ ମଧ୍ୟ ରୁପା ଆଚ୍ଛାଦିତ ହେବ। ୭ଟି ଚଳନ୍ତି ପ୍ରତିମାମାନଙ୍କ ପ୍ରଭା ମଧ୍ୟ ରୁପାରେ ଝଲସିବ। ଆସନ୍ତା ଅକ୍ଷୟ ତୃତୀୟା ପୂର୍ବରୁ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାବ୍ୟତୀତ ଆଗକୁ ଭଣ୍ଡାର ଲୋକନାଥଙ୍କ ଦ୍ବାର ସମେତ ପ୍ରଭା ଖିଲଣକୁ ରୁପା ଛାଉଣି କରାଯିବାର ଲକ୍ଷ୍ୟ ରଖାଯାଇଛି। ୬ ଫୁଟ ଉଚ୍ଚ ଓ ସାଢ଼େ ୩ ଫୁଟ ଓସାର ବିଶିଷ୍ଟ ଭଣ୍ଡାର ଲୋକନାଥଙ୍କ ଦ୍ବାର ରୁପା ଆଚ୍ଛାଦିତ ହେବ। ଏ ନେଇ ଟେଣ୍ଡର ଡକାସରିଛି। ଏଥିସହ ଆଗକୁ ଅନ୍ୟ ତିନି ଦ୍ୱାରରେ ଏଲ୍‌ଇଡି ମାଧ୍ୟମରେ ଭକ୍ତଙ୍କୁ ନୀତିକାନ୍ତି ସମ୍ପର୍କିତ ସୂଚନା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ସଂପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ମାଧବ ପୂଜାପଣ୍ଡା କହିଛନ୍ତି, ପତିତପାବନଙ୍କ ସମ୍ପୂର୍ଣ୍ଣ ମନ୍ଦିର, ସିଂହାସନ ସମେତ ଯମଶିଳା ପାର୍ଶ୍ବ କାନ୍ଥ ଓ ଘଣ୍ଟା ଲାଗିଥିବା ସ୍ଥାନକୁ ରୁପାରେ ଆଚ୍ଛାଦିତ କରାଯିବା ଲାଗି ଏକ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏ ନେଇ ଆଜିଠାରୁ ବିଧିବଦ୍ଧ କାମ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *