ଉଜୁଡ଼ା କ୍ଷେତରେ ଯୋଗାଣ ମନ୍ତ୍ରୀ, ଗଜାଧାନ ଦେଖାଇ କାନ୍ଦିକାନ୍ଦି ଗୁହାରି କଲେ ଚାଷୀ

ଆଳି: ଗତ ସପ୍ତାହର ଅଦିନିଆ ଲଗାଣ ବର୍ଷାରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ୩୪ ପଞ୍ଚାୟତର ଧାନଚାଷୀଙ୍କ ପାଚିଲା ଧାନ ଫସଲକୁ ସମୂଳେ ଉଜାଡ଼ି ଦେଇଛି।ଖଳାରେ,କ୍ଷେତରେ କଟାଧାନ ଗଜା ହେଉଥିବା ବେଳେ ବିଲରେ ଥିବା ଅକଟାଧାନ ପାଣିରେ ଭାସୁଛି। ନିରୁପାୟ ଚାଷୀ ଉଜୁଡ଼ା କ୍ଷେତକୁ ଚାହିଁ ମୁଣ୍ଡ କୋଡୁଛନ୍ତି। ଏମିତି ସମୟରେ ଗତକାଲି ଅପରାହ୍ନରେ ଫସଲ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆଳିରେ ପହଞ୍ଚିଥିଲେ ରାଜ୍ୟ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ସ୍ଥିତି ଅନୁଧ୍ୟାନ ସମୟରେ ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡା, ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡା, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀଧର ପ୍ରଧାନ, ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ବରାହ ଚରଣ ପଣ୍ଡା,ଆଳି ମଣ୍ଡଳ ସଭାପତି ଅକ୍ଷୟ ବେହେରା ଓ ବରିଷ୍ଠ ସଦସ୍ୟ ବୈଦ୍ୟନାଥ ମହାନ୍ତି ପ୍ରମୁଖ ମନ୍ତ୍ରୀଙ୍କ ସହିତ ରହି କ୍ଷୟକ୍ଷତି ବିବରଣୀ ସଂଗ୍ରହରେ ସହଯୋଗ କରିଥିଲେ।ସ୍ଥିତି ଅନୁଧ୍ୟାନ ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର ଆଳିର ଶାଳିଅଞ୍ଚ ନିକଟସ୍ଥ ଦିଗଛିଆ ଭେଡା,ମଧୁବନ, ଗୋବିନ୍ଦପୁର ଅଞ୍ଚଳର ଧାନକ୍ଷେତରେ ପହଞ୍ଚିଥିଲେ ।

ମନ୍ତ୍ରୀଙ୍କୁ ଦେଖି ଫସଲ ହରାଇଥିବା କଳସପୁର, ଭୂଇଁ ପୁର,ସାନମଙ୍ଗ,ବଡମଙ୍ଗ,ଚଣ୍ଡିଆଗଡି,ବଡିହ,ରାଉତା ଗ୍ରାମର ଚାଷୀମାନେ ବେଢି ଯାଇଥିଲେ।ଉଜୁଡା କ୍ଷେତ,ପାଣିରେ ଭାସୁଥିବା ପାଚିଲା ଧାନ ଓ କଟାହୋଇ ବିଲରେ ପଡ଼ିଥିବା ଧାନଗଜା ଦେଖାଇ ଭୋଭୋ କାନ୍ଦିଥିଲେ। ଅଦିନିଆ ଲଗାଣ ବର୍ଷା ଅମଳ ହେବାକୁ ଥିବା ପାଚିଲା ଧାନକୁ ଉଜାଡି ନେଇ ଆମ ଆହାର ମୁହଁରେ ପାହାର ଦେଇଛି ବୋଲି ଚାଷୀମାନେ କହିବା ସହିତ ମନ୍ତ୍ରୀଙ୍କ ନିକଟରେ କାନ୍ଦିକାନ୍ଦି ଗୁହାରି କରିଥିଲେ। ମନ୍ତ୍ରୀ ଉଜୁଡ଼ା ଫସଲ ଓ ଚାଷୀଙ୍କ ଦୁରବସ୍ଥା ଦେଖିବା ପରେ ଖୁବ୍ ଶୀଘ୍ର ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ କ୍ଷତିପୂରଣ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସ୍ଥିତି ଅନୁଧ୍ୟାନ ସମୟରେ ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡା, ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡା, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀଧର ପ୍ରଧାନ, ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ବରାହ ଚରଣ ପଣ୍ଡା,ଆଳି ମଣ୍ଡଳ ସଭାପତି ଅକ୍ଷୟ ବେହେରା ଓ ବରିଷ୍ଠ ସଦସ୍ୟ ବୈଦ୍ୟନାଥ ମହାନ୍ତି ପ୍ରମୁଖ ମନ୍ତ୍ରୀଙ୍କ ସହିତ ରହି କ୍ଷୟକ୍ଷତି ବିବରଣୀ ସଂଗ୍ରହରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *