ଭଞ୍ଜନଗର: କୃଷି ଋଣ ଛାଡ ସହ କ୍ଷତିପୂରଣ ଦାବି

ଭଞ୍ଜନଗର (ଓଡ଼ିଶା ଟୁଡେ): ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଧାନର ଏଫ୍ଏକ୍ୟୁ ମାନ କୋହଳ କରି ଚାଷୀମାନଙ୍କ ଠାରୁ କିଣିବା, ପ୍ରତ୍ୟେକ ଚାଷୀକୁ ଏକର ପିଛା ୩୦ ହଜାର ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟର ନିଶ୍ଚିତ ଆଇନ ପ୍ରଣୟନ, ବୀମାଭୁକ୍ତ ଚାଷୀଙ୍କୁ ଯଥାଶୀଘ୍ର ସେମାନଙ୍କ ପ୍ରାପ୍ୟ ପ୍ରଦାନ, ଜଳସେଚନ ଓ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା ପାଇଁ ଭିତ୍ତିଭୂମି ସୃଷ୍ଟି କରିବା, ଚାଷୀ ଓ ଭାଗଚାଷୀ ଉଭୟଙ୍କୁ ସଠିକ ନିର୍ଣ୍ଣୟ କରି ଯଥାଶୀଘ୍ର ସାହାଯ୍ୟ ରାଶି ପ୍ରଦାନ କରିବା, ସ୍ଥାୟୀ ମଣ୍ଡି ବ୍ୟବସ୍ଥା ଓ ଟୋକନ ପ୍ରଣାଳୀକୁ ସରଳୀକରଣ କରିବା ସହ କୃଷି ଋଣ ସମ୍ପୂର୍ଣ୍ଣ ରୂପେ ଛାଡ କରିବା ଭଳି ବିଭିନ୍ନ ଦାବି କରିଛି ବେଲଗୁଣ୍ଠା ଶ୍ରୀ ନୃସିଂହନାଥ କୃଷକ ସଂଗଠନ । ଏନେଇ ମଙ୍ଗଳବାର ସଂଗଠନର ସଭାପତି ପ୍ରସନ୍ନ କୁମାର ବିଶ୍ବାଳ ଓ ସଂପାଦକ କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ୱରେ ଚାଷୀ ମାନେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ରଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।

ଡିସେମ୍ବର ମାସର ତିନୋଟି ଲଘୁଚାପଜନିତ ଲଗାଣ ବର୍ଷାରେ ଚାଷୀର ଗୋଟିଏ ବର୍ଷର ଆହାର, ପୁଞ୍ଜି ଏବଂ ସ୍ବପ୍ନ ଧୋଇ ହୋଇଯାଇଥିବା ବେଳେ ଚାଷୀ ତାର ସର୍ବସ୍ବ ହରାଇ ବସିଛି । ବର୍ତ୍ତମାନ ଚାଷୀର ଜୀବନ ଜୀବିକା ଦୋଛକିରେ । ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତି ପାଇଁ ସର୍ଭିଏ ମର୍ମାହତ ହୋଇଥିବା ସଂଗଠନ ପକ୍ଷରୁ କୁହାଯାଇଛି । ଏହା ସହ ଏଫ୍ଏକ୍ୟୁ ମାନ କୋହଳ ସମେତ କୃଷି ଋଣ ଛାଡ ଭଳି ବିଭିନ୍ନ ଦାବି ନେଇ ସଂଗଠନ ପକ୍ଷରୁ ପ୍ରଶାସନ କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ପ୍ରଶାସନ ଦାବି ଗୁଡିକୁ ସାତ ଦିନ ମଧ୍ୟରେ ପୂରଣ କରି ଚାଷୀ କୂଳକୁ ବଞ୍ଚାଇବାକୁ ସଂଗଠନ କହିଛି । ନଚେତ ଏକ ବିରାଟ ପଦଯାତ୍ରାରେ ଚାଷୀ ମାନେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସତ୍ୟାଗ୍ରହ ଓ ଆନ୍ଦୋଳନ କରିବେ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *