ଆଜିଠୁ ଯୁକ୍ତ୨ ପ୍ରାକ୍ଟିକାଲ୍‌ ପରୀକ୍ଷା: ୧୭୫୧ କେନ୍ଦ୍ର‌ରେ ୨ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ

ଭୁବନେଶ୍ବର: ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଗୁରୁବାର(ଜାନୁଆରି ୨)ଠାରୁ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଦୂରନିରନ୍ତର ବିଭାଗରେ ଦୁଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରାକ୍ଟିକାଲ୍‌ ଓ ପ୍ରୋଜେକ୍ଟ ପରୀକ୍ଷା ଦେବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ବିଜ୍ଞାନ ବିଭାଗରେ ସର୍ବାଧିକ ୧ଲକ୍ଷ ୨୫ ହଜାର ଏବଂ କଳା ବିଭାଗରେ ପ୍ରାୟ ୧ ଲକ୍ଷ ପରୀକ୍ଷାର୍ଥୀ ରହିଛନ୍ତି। ଜାନୁଆରି ୧୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ପରୀକ୍ଷାର ୬୦ ମାର୍କ, ୫୦ ମାର୍କ ଓ ୩୦ ମାର୍କ ବିଶିଷ୍ଟ ପ୍ରାକ୍ଟିକାଲ ବିଷୟ ଲାଗି ୩ଘଣ୍ଟା ଏବଂ ୧୫ ମାର୍କର ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଦୁଇ ଘଣ୍ଟା ଅବଧି ରହିଛି। ବିଜ୍ଞାନ ବିଭାଗର ୧୨ଟି, କଳା ବିଭାଗର ୮, ବାଣିଜ୍ୟ ବିଭାଗର ଦୁଇ, ଧନ୍ଦାମୂଳକ ବିଭାଗର ୧୦ରୁ ଅଧିକ ବିଷୟରେ ପ୍ରାକ୍ଟିକାଲ/ପ୍ରୋଜେକ୍ଟ ପରୀକ୍ଷା ହେବ। ପରୀକ୍ଷାର ୩୦ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ରରେ ପହଞ୍ଚିବା ଆବଶ୍ୟକ। ପରୀକ୍ଷାରେ କୌଣସି ପ୍ରକାର ସମସ୍ୟା ଉପୁଜିଲେ, ତୁରନ୍ତ ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କ ଦୃଷ୍ଟିକୁ ଆଣିବାକୁ କୁହାଯାଇଛି।୧୭୫୧ କେନ୍ଦ୍ର‌ରେ ୨ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀମାର୍କ ଫଏଲ୍‌ରେ ଏକ୍ସଟରନାଲ୍‌ଙ୍କ ଦସ୍ତଖତ ବାଧ୍ୟତାମୂଳକସିସିଟିଭି ଫୁଟେଜ୍‌ର ସିଡି ଦେବେ ସେଲ୍ଫ ଫାଇନାନ୍ସିଂ କଲେଜପ୍ରାକ୍ଟିକାଲ୍‌ ପରୀକ୍ଷାରେ ସ୍ବଚ୍ଛତା ଆଣିବା‌ ଦିଗରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପଦକ୍ଷେପ ନେଇଛି। ପରୀକ୍ଷା ସରିବା କ୍ଷଣି ଉଚ୍ଚମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) କର୍ତ୍ତୃପକ୍ଷ ଜାନୁଆରି ୧୦ରୁ ୨୫ ତାରିଖ ମଧ୍ୟରେ ଇଣ୍ଟରନାଲ ଆସେସ୍‌ମେଣ୍ଟ ଓ ପ୍ରାକ୍ଟିକାଲ ପରୀକ୍ଷାର ମାର୍କ ସାମ୍‌ସ ପୋର୍ଟାଲରେ ଦାଖଲ କରିବେ। ପ୍ରାକ୍ଟିକାଲ୍‌ ପରୀକ୍ଷାର ଉତ୍ତରଖାତା ଓ ମାର୍କ ଫଏଲ୍‌ରେ ଏକ୍ସଟରନାଲ୍‌ ପରୀକ୍ଷକଙ୍କ ଦସ୍ତଖତ ରହିବା ବାଧ୍ୟତାମୂଳକ। ନ ହେଲେ ପରୀକ୍ଷାର୍ଥୀଙ୍କ ପରୀକ୍ଷାଫଳ ସ୍ଥଗିତ ରଖାଯିବ ଏବଂ ଏଥିପାଇଁ କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ଦାୟୀ ରହିବେ। ଜାନୁଆରି ୨୭ରୁ ଫେବ୍ରୁଆରି ୪ ମଧ୍ୟରେ ଜିଲ୍ଲା ଅନୁଯାୟୀ କଲେଜଗୁଡ଼ିକ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ମାର୍କର ହାର୍ଡକପି ପରିଷଦ ନିକଟରେ ଦାଖଲ କରିବେ। ଧାର୍ଯ୍ୟ ସମୟ ପରେ ଆସିଥିବା ପ୍ରାକ୍ଟିକାଲ ରେକର୍ଡଗୁଡ଼ିକୁ ଗ୍ରହଣ କରାଯିବ ନାହିଁ ବୋଲି ସିଏଚ୍‌ଏସ୍‌ଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଇତିମଧ୍ୟରେ ସମସ୍ତ କେନ୍ଦ୍ରରେ ପରୀକ୍ଷା ପାଇଁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ପହଞ୍ଚିସାରିଛି। ୧୨୭୬ଟି ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ସମେତ ୪୭୫ଟି ସେଲ୍ଫ ଫାଇନାନ୍ସିଂ କଲେଜରେ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପୂର୍ବରୁ ସମସ୍ତ କେନ୍ଦ୍ରରେ ସିସିଟିଭିକୁ ସୁନିଶ୍ଚିତ କରାଯାଇଛି। ପରୀକ୍ଷା ସମେତ ମୂଲ୍ୟାୟନ, ମାର୍କ ଫଏଲ୍‌ରେ ମାର୍କ ଚଢ଼ାଇବା, ଉତ୍ତରଖାତା ସଂଗ୍ରହ, ପରୀକ୍ଷକଙ୍କ ରିପୋର୍ଟ, ଉତ୍ତରଖାତା ପ୍ୟାକେଟ୍‌ ସିଲ୍‌ ପରି ବିଭିନ୍ନ କାର୍ଯ୍ୟକ୍ରମ ସିସିଟିଭି ନଜରରେ ହେବ। ସେଲ୍ଫ ଫାଇନାନ୍ସିଂ ବିଦ୍ୟାଳୟଗୁଡ଼ିକ ସିସିଟିଭି ଫୁଟେଜ୍‌ର ସିଡି/ଡିଭିଡି ପରୀକ୍ଷା ନିୟନ୍ତ୍ରକଙ୍କ କାର୍ଯ୍ୟାଳୟରେ ଦାଖଲ କରିବେ। ପ୍ରାକ୍ଟିକାଲ ପରୀକ୍ଷା ହେବାକୁ ଥିବା ଗୋଟିଏ ଗ୍ରୁପ୍‌ରେ ସର୍ବାଧିକ ୨୪ ଜଣ ପରୀକ୍ଷାର୍ଥୀ ରହିପାରିବେ। ପରୀକ୍ଷା କେନ୍ଦ୍ରରେ ପର୍ଯ୍ୟାପ୍ତ ପାନୀୟ ଜଳ ସୁବିଧା ଓ ଫାଷ୍ଟ୍‌ ଏଡ୍‌ ଉପଲବ୍ଧ ହେବାର ଆବଶ୍ୟକ। ପ୍ରାକ୍ଟିକାଲ ହେବାକୁ ଥିବା ଲାବରେଟୋରିରେ ଭେଣ୍ଟିଲେଟେଡ୍‌ ସୁବିଧା, ପର୍ଯ୍ୟାପ୍ତ ଆଲୋକୀକରଣ, ସେଲ୍ଫ ଫାଇନାନ୍ସିଂ ବିଦ୍ୟାଳୟରେ ସିସିଟିଭି କାର୍ଯ୍ୟକାରୀ ହେବା ବାଧ୍ୟତାମୂଳକ ଓ ଅଗ୍ନିକାଣ୍ଡ ଭଳି ସମସ୍ୟାର ମୁକାବିଲା ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି। କୌଣସି କେନ୍ଦ୍ରରୁ ଅନିୟମିତତା ଅଭିଯୋଗ ଆସିଲେ ପରିଷଦର ଅଧିକାରୀମାନେ ଗସ୍ତ କରିବେ ବୋଲି ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *