ନୂଆବର୍ଷରେ ମହାପ୍ରଭୁଙ୍କ ଆଶିଷ ନେଲେ ୪ ଲକ୍ଷ ଶ୍ରଦ୍ଧାଳୁ: ରାତି ୧ଟାରେ ଦ୍ବାରଫିଟା, ସାରା ରାତି ଲାଗିଲା ଭିଡ଼

ପୁରୀ: ନୂଆବର୍ଷରେ ଆଜି ମହାପ୍ରଭୁଙ୍କ ଆଶିଷ ଲାଭ କରିଛନ୍ତି ୪ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ। ମହାପ୍ରଭୁଙ୍କ ଦର୍ଶନ ଲାଗି ରାତି ସାରା ଶ୍ରୀମନ୍ଦିର ଓ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ନୂଆବର୍ଷକୁ ଆଖି ଆଗରେ ରଖି ଗତକାଲି ସଅଳ ନୀତିକାନ୍ତି ସଂପନ୍ନ ପରେ ସଅଳ ପହୁଡ଼ ହୋଇଥିଲା। ଗତକାଲି ରାତି ପ୍ରାୟ ୧୦ଟା ୨୫ରେ ରାତ୍ରପହୁଡ଼ ପରେ ରାତି ୧ଟା ୫ରେ ଦ୍ବାରଫିଟା ନୀତି ସଂପନ୍ନ ହୋଇଥିଲା। ରାତି ୧ଟା ୪୫ରେ ମଙ୍ଗଳଆଳତି ପରେ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଥିଲା। ଏଥିପାଇଁ ସାରା ରାତି ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ଲାଗି ଭିଡ଼ ଲଗାଇଥିଲେ। ଭୋର୍‌ରୁ ଭକ୍ତଙ୍କ ଧାଡ଼ି ମାର୍କେଟ୍‌ ଛକ ଛାୟାପ୍ରଦ ସେଡ୍‌ ଅତିକ୍ରମ କରି ଶ୍ରୀଜଗନ୍ନାଥ ବଲ୍ଲଭ ପର୍ଯ୍ୟନ୍ତ ଲମ୍ବିଥିଲା। ରାତି ସୁଦ୍ଧା ପ୍ରାୟ ୪ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଆଶିଷ ନେଇ ଫେରିଥିଲେ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ତତ୍କାଳ ଜରୁରୀକାଳୀନ ସେବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ସେଡ୍‌ର ମଝିରେ ମଝିରେ ଭକ୍ତମାନେ ଅସୁବିଧା ବେଳେ ବାହାରିଯିବାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ କିଛି ଭକ୍ତ ବ୍ୟାରିକେଡ୍‌ ଡେଇଁ ଧାଡ଼ି ଭିତରକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା ।

ବଡ଼ଦାଣ୍ଡରେ ଧାଡ଼ିରେ ଥିବା ଭକ୍ତଙ୍କୁ ପର୍ଯ୍ୟାୟକ୍ରମେ ଶ୍ରୀମନ୍ଦିରକୁ ଛଡ଼ାଯାଇଥିଲା। ଭକ୍ତମାନେ ସିଂହଦ୍ବାର ଦେଇ ପ୍ରବେଶ ପରେ ସାତପାହାଚଠାରେ ଧାଡ଼ିରେ ଯାଇ ନାଟମଣ୍ଡପରୁ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ଉତ୍ତର, ପଶ୍ଚିମ ଓ ଦକ୍ଷିଣଦ୍ବାର ଦେଇ ବାହାରି ଶ୍ରୀଦାଣ୍ଡ ଓ ବଡ଼ଦାଣ୍ଡ ଦେଇ ଫେରିଥିଲେ।ବୃଦ୍ଧବୃଦ୍ଧା ଭକ୍ତଙ୍କ ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ଗାଡ଼ିମୋଟର ଚଳାଚଳରେ ବି କଟକଣା ଲଗାଯାଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି, ଇଂରାଜୀ ନୂଆ ବର୍ଷର ପ୍ରଥମ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଓ ଆଶୀର୍ବାଦ ଲାଭ ସକାଶେ ଭକ୍ତଙ୍କ ଭିଡ଼ ହୋଇଥିଲା। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କେବଳ ସିଂହଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ସହ ଧାଡ଼ି ତଥା ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଥିଲା ।

Leave a Reply

Your email address will not be published. Required fields are marked *