
ଭୁବନେଶ୍ବର: ଫେବ୍ରୁଆରି ୧୮ରୁ ଆରମ୍ଭ ହେବାକୁ ଥିବା ଯୁକ୍ତ୨ ଥିଓରି ପରୀକ୍ଷା ପାଇଁ ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ପ୍ରଶ୍ନପତ୍ର ଓ ଉତ୍ତରଖାତାଗୁଡ଼ିକ ପରୀକ୍ଷା ପରିଚାଳନା ହବ୍(ଇଏମ୍ଏଚ୍)କୁ ପଠାଯିବ। ପରୀକ୍ଷାକୁ ଆଉ ୪୦ ଦିନ ବାକି ଥିବା ବେଳେ ହବ୍ଗୁଡ଼ିକର ସୁରକ୍ଷା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ହବ୍ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥରକ ହବ୍ ସଂଖ୍ୟା ୨୦୫କୁ ବୃଦ୍ଧି ହୋଇଛି ।
ସେଥିମଧ୍ୟରୁ ୨୦୪ଟି ଯୁକ୍ତ୨ କଲେଜ ତଥାଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସ୍ବୟଂଶାସିତ କଲେଜ, ବିଶ୍ବବିଦ୍ୟାଳୟରେ ହୋଇଥିବା ବେଳେ ଗୋଟିଏ ସବ୍-ଟ୍ରେଜେରିକୁ ହବ୍ ଭାବେ ଚିହ୍ନଟ କରାଯାଇଛି। ଏବର୍ଷ ୧୨୬୮ଟି ପରୀକ୍ଷା କେନ୍ଦ୍ର ଓ ୮ଟି ଉପକେନ୍ଦ୍ର କରାଯାଇଛି, ଯାହାକି ୨୦୫ଟି ହବ୍ ଅଧୀନରେ ରହିବ। ପ୍ରଶ୍ନପତ୍ର ଓ ଉତ୍ତର ଖାତା ପ୍ୟାକେଟ୍ ଗ୍ରହଣ ଓ ତାହାକୁ ପରୀକ୍ଷା କେନ୍ଦ୍ରକୁ ପଠାଇବା ଏବଂ ପରୀକ୍ଷା କେନ୍ଦ୍ରର ତଦାରଖ ଦିଗରେ ଇଏମ୍ଏଚ୍ଗୁଡ଼ିକ କାର୍ଯ୍ୟ କରିବ। ପରୀକ୍ଷା କେନ୍ଦ୍ରକୁ ନଜରରେ ରଖି ହବ୍ ଅଧୀନରେ ୧ରୁ ୧୦ଟି ପର୍ଯ୍ୟନ୍ତ ପରୀକ୍ଷା କେନ୍ଦ୍ରକୁ ଟ୍ୟାଗ୍ କରାଯାଇଛି ।
ରାଜ୍ୟସ୍ତରୀୟ ବଦଳରେ ଗଠନ ହେବ ଜିଲ୍ଲାସ୍ତରୀୟ ସ୍କ୍ବାଡ୍୧୦ରୁ ୨୫ ତାରିଖ ମଧ୍ୟରେ ମାର୍କ ଦାଖଲ କରିବାକୁ ନିର୍ଦ୍ଦେଶ
ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଏଥର କପି ରୋକିବାକୁ ଚାରିସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା କରାଯିବ। ପୂର୍ବରୁ ଥିବା ରାଜ୍ୟସ୍ତରୀୟ ସ୍କ୍ବାଡ୍କୁ ଭାଙ୍ଗି ଜିଲ୍ଲାସ୍ତରୀୟ ସ୍କ୍ବାଡ୍ କରିବାକୁ ନିଷ୍ପତ୍ତି ହୋଇଛି। ପ୍ରତି ଜିଲ୍ଲାରେ ସ୍କ୍ବାଡ୍ ଗଠନ ହେବ ଏବଂ ଏହାର ସଦସ୍ୟମାନେ ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ଯାଞ୍ଚ କରିବେ। ଏହି ସ୍କ୍ବାଡ୍ରେ ଜିଲ୍ଲା ବାହାର ଅଧ୍ୟାପକମାନେ ସଦସ୍ୟ ରହିବେ। ଉଦାହରଣ ସ୍ବରୂପ ମାଲକାନଗିରି ଜିଲ୍ଲା ସ୍କ୍ବାଡ୍ରେ କଟକ ଜିଲ୍ଲାର ଅଧ୍ୟାପକ ଅଧ୍ୟାପିକା ସାମିଲ ହେବେ।
ସଦସ୍ୟମାନଙ୍କ ରହିବା, ଖାଇବା, ଯିବା ଆସିବା ପାଇଁ ସମ୍ପୃକ୍ତ ଜିଲ୍ଲାରେ ବ୍ୟବସ୍ଥା କରାଯିବ। ଜିଲ୍ଲାସ୍ତରୀୟ ସ୍କ୍ବାଡ୍ ବ୍ୟତୀତ ପରିଷଦର ଜୋନ୍ସ୍ତରୀୟ, ହବ୍ ଅବଜରଭର ଓ ଜିଲ୍ଲାପାଳଙ୍କ ପ୍ରତିନିଧିଙ୍କୁ ନେଇ ମଧ୍ୟ ସ୍କ୍ବାଡ୍ ଗଠନ ହେବ।ଯେଉଁମାନେ ହବ୍ ସୁପରଭାଇଜର ଦାୟିତ୍ବରେ ରହିବେ ସେମାନଙ୍କ ପୁଅ, ଝିଅ, ପତ୍ନୀ, ଭାଇ, ଭଉଣୀ, ପିତା, ମାତା ପ୍ରଭୃତି ସମ୍ପର୍କିୟ ପରୀକ୍ଷାର୍ଥୀ ହୋଇ ନ ଥିବା ଆବଶ୍ୟକ। ଯେଉଁଠାରେ ଯୁକ୍ତ୨ କଲେଜ ଅଧ୍ୟକ୍ଷ ପରୀକ୍ଷାର ଅନ୍ୟ କୌଣସି କାର୍ଯ୍ୟରେ ନିୟୋଜିତ ଥିବେ, ସେଭଳି ସ୍ଥଳେ ଶିକ୍ଷାନୁଷ୍ଠାନର ବରିଷ୍ଠ ଅଧ୍ୟାପକଙ୍କୁ ସୁପରଭାଇଜର ଦାୟିତ୍ବରେ ରଖାଯିବ ।
ସୁପରଭାଇଜରଙ୍କ ବ୍ୟତୀତ ହବ୍ରେ ଡେପୁଟି ସୁପରଭାଇଜର, ଇଏମ୍ଏଚ୍ ସହାୟକ, ଜଣେ ଲେଖାଏ ଅଧିକାରୀ ଓ ନାଇଟ୍ ୱାଚ୍ମ୍ୟାନ୍ ହବ୍ ପରିଚାଳନା ଦାୟିତ୍ବରେ ରହିବେ। ହବ୍ର ଷ୍ଟ୍ରଙ୍ଗ୍ ରୁମ୍ରେ ୨୪ ଘଣ୍ଟିଆ ସିସିଟିଭି ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପୁଲିସ ପହରା ବ୍ୟବସ୍ଥା ହେବ। ହବ୍ ସୁପରଭାଇଜର, ଡେପୁଟି ସୁପରଭାଇଜର, ସେଣ୍ଟର ସୁପରିଟେଣ୍ଡେଣ୍ଟ, ଡେପୁଟି ସୁପରିଟେଣ୍ଡେଣ୍ଟଙ୍କ ହ୍ବାଟସପ୍ ଓ ମୋବାଇଲ୍ ନମ୍ବର ୧୫ ତାରିଖ ସୁଦ୍ଧା ପଠାଇବାକୁ ପରିଷଦ ପକ୍ଷରୁ କୁହାଯାଇଛି। ଏଥିସହଇଏମ୍ଏଚ୍ ପରିଚାଳନା ପାଇଁ ଆଗୁଆ ଆଡଭାନ୍ସ ପଠାଇବାକୁ ବ୍ୟାଙ୍କ ପାସ୍ବୁକ୍, ଅଧ୍ୟକ୍ଷମାନଙ୍କ ଯୋଗାଯୋଗ ନମ୍ବର ଓ ଇମେଲ୍ ଆଇଡି ଅପଡେଟ୍ କରିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ଡିସେମ୍ବର ୩୦ ସୁଦ୍ଧା ଇଣ୍ଟରନାଲ ଆସେସ୍ମେଣ୍ଟ ଶେଷ ହୋଇଛି ।
ଏବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଚାଲିଥିବା ପ୍ରୋଜେକ୍ଟ ଓ ପ୍ରାକ୍ଟିକାଲ ପରୀକ୍ଷା ଆସନ୍ତା ୧୨ ତାରିଖରେ ଶେଷ ହେବ। ତାହାକୁ ଦୃଷ୍ଟିରେ ରଖି ଜାନୁଆରି ୧୦ରୁ ୨୫ ତାରିଖ ମଧ୍ୟରେ ଯୁକ୍ତ୨ କଲେଜଗୁଡ଼ିକ ସାମ୍ସ ପୋର୍ଟାଲରେ ମାର୍କ ଅପ୍ଲୋଡ୍ କରିବାକୁ ସମସ୍ତ କଲେଜ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି ।