ବିଶ୍ବ ମାନଚିତ୍ରରେ ଓଡ଼ିଶାର ପରିଚୟ ଆହୁରି ବଢ଼ିବ: ଧର୍ମେନ୍ଦ୍ର

ଭୁବନେଶ୍ବର: ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ପ୍ରବାସୀ ଭାରତୀୟ ସମାରୋହ କେବଳ ପ୍ରବାସୀ ଭାରତୀୟଙ୍କୁ ସେମାନଙ୍କ ମୂଳ ପରିଚୟକୁ ପରିଚିତ କରାଇବାର ଅବସର ନୁହେଁ। ବରଂ ବିଶ୍ୱ ମାନଚିତ୍ରରେ ଓଡ଼ିଶାକୁ ଏକ ନୂଆ ପରିଚୟ ଦେବାର ଏକ ଐତିହାସିକ କାର୍ଯ୍ୟକ୍ରମ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି, ପ୍ରବାସୀ ଭାରତୀୟ ଆୟୋଜନ ଦ୍ୱାରା ଓଡ଼ିଶା ଆଜି ବିଶ୍ୱବିଦିତ ହୋଇଛି। ଓଡ଼ିଶାର ପରିବେଶ ଓ ଆତିଥେୟତାକୁ ବୈଶ୍ୱିକ ସ୍ତରର ଲୋକମାନେ ପସନ୍ଦ କରୁଛନ୍ତି। ଓଡ଼ିଶା ହେଉଛି ଶାନ୍ତିର ମାଟି। କଳିଙ୍ଗ ଯୁଦ୍ଧର ପରିଚୟ ଶାନ୍ତି ପାଇଁ ଖ୍ୟାତି ଅର୍ଜନ କରିଛି ।

ପ୍ରଧାନମନ୍ତ୍ରୀ ଯୁଦ୍ଧ ନୁହେଁ ବରଂ ବୁଦ୍ଧର ଆହ୍ୱାନ ଦେଇ ଓଡ଼ିଶା ବହୁତ ପୁରୁଣା ଐତିହାସିକ ତଥ୍ୟ ଓ ସମାଜରେ ତା’ର ମୂଳ ଚରିତ୍ର କ’ଣ ଥିଲା ତା’କୁ ଦର୍ଶାଇଛନ୍ତି। ଭାରତ ହେଉଛି ଐତିହ୍ୟ ଓ ପରମ୍ପରାର ଏକ ଅପାର ଗନ୍ତାଘର। ପ୍ରବାସୀ ଭାରତୀୟମାନେ କିପରି ଭାରତର ଆମ୍ବାସଡର ଭାବେ କାର୍ଯ୍ୟ କରିବେ, ସେ ଦିଗରେ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି ।

ପ୍ରବାସୀ ଭାରତୀୟ ଦିବସ’ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଯୋଗ ଦେବା ପରେ ୟୁଏସ୍‌, ଓମାନ ଓ କାତାରରୁ ଆସିଥିବା ପ୍ରତିନିଧି ଦଳଙ୍କ ସହ ଆଲୋଚନା କରିଥିଲେ। ଶିକ୍ଷା, ସାଂସ୍କୃତିକ ସଂଗଠନ ତଥା ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ସହ ମତ ବିନିମୟ କରିବା ବେଳେ ଶିକ୍ଷା ମନ୍ତ୍ରୀ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ଐତିହ୍ୟ, ଖାଦ୍ୟପେୟ ଓ ପର୍ଯ୍ୟଟନ ଉପରେ ଅବଗତ କରାଇଥିଲେ। ଦେଶରେ ଗୁଣାତ୍ମକ ଶିକ୍ଷାର ପରିଚାଳନା, ଜାତୀୟ ଶିକ୍ଷା ନୀତିରେ ଶିଶୁଙ୍କୁ ପ୍ରାରମ୍ଭିକ ଅବସ୍ଥାରେ ଭାରତ ସରକାର ନେଉଥିବା ପଦକ୍ଷେପ, ଶିଶୁଙ୍କ କ୍ରିଟିକାଲ ଥିଙ୍କିଂର ବିକାଶଉପରେ ଆଲୋକପାତ କରିଥିଲେ ।

ପ୍ରବାସୀ ଭାରତୀୟ ସଦସ୍ୟମାନେ କିପରି ଭାରତରେ ଶିକ୍ଷା ବ୍ୟବସ୍ଥା ମଜଭୂତ କରିବାରେ ସହଯୋଗ କରିପାରିବେ, ସେ ଦିଗରେ ଶ୍ରୀ ପ୍ରଧାନ ବିଭିନ୍ନ ପରାମର୍ଶ ଦେଇଥିଲେ। ବିକଶିତ ଭାରତରେ ଯୋଗଦାନ ଦେବା ଦିଗରେ ଓଡ଼ିଶାର ବିପୁଳ ସମ୍ଭାବନା ଉପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଥିଲେ, ବିକଶିତ ଭାରତରେ ଯୋଗଦାନ ରଖିବା ପାଇଁ ଓଡ଼ିଶାରେ ଅପାର ସମ୍ଭାବନା ଅଛି। ଓଡ଼ିଶା ସରକାର ବିକଶିତ ଓଡ଼ିଶା ଓ ବିକଶିତ ଭାରତ ପାଇଁ କାମ କରୁଛନ୍ତି।

ପ୍ରବାସୀ ଭାରତୀୟ ଦିବସ ପରେ ମଧ୍ୟ ଭାରତକୁ ଆସୁଥିବା ପ୍ରବାସୀ ଓ ପ୍ରତିନିଧିମାନେ ଓଡ଼ିଶାର ପର୍ଯ୍ୟଟନକୁ ଉପଭୋଗ କରିବା ସହ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରିତ କରିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ ନ୍ୟୁଜ ୱିକ୍‌ ସିଇଓ ଦେବ ପ୍ରଗାଡ଼ଙ୍କୁ ସାକ୍ଷାତ କରି ଗଣମାଧ୍ୟମ ଜଗତରେ ଡିଜିଟାଲ ପରିବର୍ତ୍ତନ ଉପରେ ଆଲୋଚନା କରିଥିଲେ। ଭାରତୀୟ ବଂଶୋଦ୍ଭବ ଯୁବ ବ୍ୟବସାୟୀ ନେତାମାନେ ବିଶ୍ୱସ୍ତରରେ ନିଜର ପରିଚୟ ସୃଷ୍ଟି କରିବା ସବୁବେଳେ ଆନନ୍ଦଦାୟକ ବୋଲି ସେ କହିଥିଲେ ।

Leave a Reply

Your email address will not be published. Required fields are marked *