
କଟକ : ନ୍ୟାୟିକ ଅଭିଲେଖାଗାର ଆମ ଆଇନଗତ ବ୍ୟବସ୍ଥାର ଏକ ସମୃଦ୍ଧ ଐତିହ୍ୟର ଭଣ୍ଡାର ଭାବେ କାର୍ଯ୍ୟ କରିବ। ଏହା ଆଇନଗତ ଇତିହାସ, ଐତିହାସିକ ମାମଲା ଓ ଅମୂଲ୍ୟ ଉଦାହରଣର ଭଣ୍ଡାର ହେବ। ଏହା ଓଡ଼ିଶା ଓ ଆମ ଦେଶର ଆଇନଗତ ଦୃଶ୍ୟପଟ୍ଟକୁ ଚିରସ୍ଥାୟୀ କରିପାରିବ ବୋଲି କଟକ ଠାରେ ଓଡ଼ିଶା ହାଇକୋର୍ଟ ନ୍ୟାୟିକ ଅଭିଲେଖାଗାକୁ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନ୍ୟାୟିକ ଅଭିଲେଖାଗାର ନ୍ୟାୟପାଳିକାର ପ୍ରଗତିଶୀଳ ଦୃଷ୍ଟିକୋଣର ପ୍ରତିଫଳନ। ଏହା ନ୍ୟାୟ ପ୍ରଶାସନଠାରୁ ଆଗକୁ ଯାଇ ଇତିହାସ, ସଂସ୍କୃତି ଓ ଶିକ୍ଷାର ପରିସରକୁ ବ୍ୟାପକ କରିବ। ନ୍ୟାୟିକ ଦସ୍ତାବିଜ, ରେକର୍ଡ ଓ କଳାକୃତିର ସଂରକ୍ଷଣ ଦିଗରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଯୁଗ ଯୁଗ ଧରି ଆଇନ ଗବେଷକ, ଛାତ୍ର ଓ ଐତିହାସିକମାନଙ୍କ ପାଇଁ ଏକ ଅମୂଲ୍ୟ ସମ୍ପଦ ହୋଇରହିବ। ଏହା ଆମ ନ୍ୟାୟପାଳିକାର ସମୃଦ୍ଧ ପରମ୍ପରାକୁ ଆଗାମୀ ପିଢ଼ି ନିମନ୍ତେ ସଂରକ୍ଷିତ କରି ରଖିବାର ସାମୂହିକ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜିନ୍ୟାୟ ଦେବୀଙ୍କ ଚକ୍ଷୁରୁ ଅନ୍ଧପୁଟୁଳି ହଟିଯାଇଛି। ଆଜି ନ୍ୟାୟଦେବୀ ଉନ୍ମୁକ୍ତ ନୟନରେ ଗୋଟିଏ ହାତରେ ସମ୍ବିଧାନ ଏବଂ ଅନ୍ୟ ହାତରେ ନ୍ୟାୟର ତରାଜୁ ଧରି ଉଭୟ ପକ୍ଷଙ୍କୁ ଶୁଣି ସମ୍ବିଧାନର ବିଧି ବ୍ୟବସ୍ଥା ଅନୁଯାୟୀ ନ୍ୟାୟ ପ୍ରଦାନ କରୁଛନ୍ତି l
ଭାରତୀୟ ନ୍ୟାୟ ବ୍ୟବସ୍ଥା ସାରା ବିଶ୍ୱରେ ଅନନ୍ୟ। ଏହି ପରିକଳ୍ପନାକୁ ବାସ୍ତବ ରୂପ ଦେବାରେ ଓଡ଼ିଶା ହାଇକୋର୍ଟ ମୁଖ୍ୟବିଚାରପତି ଓ ଅନ୍ୟ ବିଚାରପତିମାନେ ପ୍ରୟାସ କରିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ। ରାଜ୍ୟ ସରକାର ନ୍ୟାୟପାଳିକାର ସଂସ୍କାର ଓ ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧ। ନ୍ୟାୟିକ ଭିତ୍ତିଭୂମିକୁ ସୁଦୃଢ଼ କରିବା, ଆଇନ ବ୍ୟବସ୍ଥାରେ ବୈଷୟିକ ଜ୍ଞାନକୌଶଳ କାର୍ଯ୍ୟକାରୀ କରିବା ଓ ସମସ୍ତଙ୍କ ନିକଟରେ ନ୍ୟାୟ ପହଞ୍ଚାଇବା ଦିଗରେ ସରକାର କାର୍ଯ୍ୟ ଜାରି ରଖିବେ। ଓଡ଼ିଶାରେ ଦଣ୍ଡହାର ବୃଦ୍ଧି କରିବା ପାଇଁ ସରକାର ପଦେକ୍ଷେପ ନେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ମହିଳା ହିଂସା ବିରୋଧରେ ଦଣ୍ଡ ବିଧାନ କରିବା ପାଇଁ ଚାରିଗୋଟି ଜିଲ୍ଲାରେ ମହିଳା କୋର୍ଟ ପ୍ରତିଷ୍ଠା ପାଇଁ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ ଏପରି ଅଧିକ ସ୍ୱତନ୍ତ୍ର ଅଦାଲତ ହାଇକୋର୍ଟଙ୍କ ଦିଶା ନିର୍ଦ୍ଦେଶରେ ପ୍ରତିଷ୍ଠା କରାଯିବ। ନ୍ୟାୟିକ ଅଭିଲେଖାଗାର କେନ୍ଦ୍ର ସମଗ୍ର ଦେଶରେ ଜ୍ଞାନର ଆଲୋକ ଓ ନ୍ୟାୟିକ ଶିକ୍ଷା ପାଇଁ ଏକ ପ୍ରେରଣା ହେବ ।