୩୦୦ ୟୁନିଟ୍ ମାଗଣା ବିଜୁଳି ଦେବାର ପ୍ରତିଶୃତି ପୂରଣ କରିବା ପରିବର୍ତ୍ତେ ସ୍ମାର୍ଟ ମିଟର ଆଳରେ ନିରୀହ ଓଡିଶାବାସୀଙ୍କୁ ସରକାରଙ୍କ ଚଞ୍ଚକତା

ଭୁବନେଶ୍ବର : ଆପଣମାନେ ଜାଣିଥିବେ ଯେ ଓଡ଼ିଶାରେ ନିର୍ବାଚନୀ ପ୍ରଚାର ସମୟରେ ଭାଜପା ଅତି ଦାମ୍ଭିକତାର ସହ ୩୦୦ ୟୁନିଟ୍ ବିଜୁଳି ଜନତାଙ୍କୁ ମାଗଣାରେ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲା।କିନ୍ତୁ ନିର୍ବାଚନ ସରି ସରକାର ଗଠନ କରିବାର ୭ମାସ ହୋଇଗଲାଣି ମାଗଣା ବିଜୁଳି ଦେବା ତ ଦୂରର କଥା ସ୍ମାର୍ଟ୍ ମିଟର ଲଗାଇ ଅଭିନବ ଢ଼ଙ୍ଗରେ ଆର୍ଥିକ ଶୋଷଣ କରିବାର ହୀନ ଉଦ୍ୟମ ଜାରି ରଖିଛି। ଓଡ଼ିଶାବାସୀଙ୍କ ପ୍ରତି ଭାଜପା ସରକାରଙ୍କ ଏହି ଚଞ୍ଚକତା ବିରୁଦ୍ଧରେ ଆମ୍ ଆଦ୍‌ମୀ ପାର୍ଟି ଓଡିଶା ତରଫରୁ ପ୍ରବଳ ପ୍ରତିବାଦ କରାଯାଇଥିଲା । ଜେନସ୍, ଏଲ୍ ଆଣ୍ଡ ଟି, ସିକିଓର୍ଡ୍ ଓ ପାୱାରଟେକ୍ ପରି ନାମିଦାମୀ କମ୍ପାନୀ ଦ୍ଵାରା ନିର୍ମିତ ଗୋଟିଏ ମିଟରର ପ୍ରକୃତ ମୂଲ୍ୟ ୧୨୦୦ ଟଙ୍କା ହୋଇଥିଲାବେଳେ ପ୍ରତ୍ୟେକ ଖାଉଟିଙ୍କଠାରୁ ଜୋର୍ ଜବରଦସ୍ତି ୨୪୦୦ ଟଙ୍କା ଆଦାୟ କରିବାର ଘୃଣ୍ୟ ପ୍ରୟାସ ଏ ସରକାର ଜାରି ରଖିଛନ୍ତି। ଦୁର୍ଭାଗ୍ୟର କଥା ସଂପ୍ରତି ଅନିୟନ୍ତ୍ରିତ ଦରଦାମର କଷଣରେ ପୀଡ଼ିତ ଓଡ଼ିଶାର ନିରୀହ ଜନସାଧାରଣ ନୂଆ ନିୟମ ଅନୁଯାୟୀ ଜଣକ ପିଛା ୫୭୬୦ ଟଙ୍କା ଦେଇ ସ୍ମାର୍ଟ୍ ମିଟର ଲଗାଇବାକୁ ବାଧ୍ୟ ହେଉଛନ୍ତି। ବିତରଣ କମ୍ପାନୀ ଓ ରାଜ୍ୟ ସରକାରଙ୍କର ଏଭଳି ଦୌରାତ୍ମ୍ୟ ବିରୁଦ୍ଧରେ ଆମ୍ ଆଦ୍‌ମୀ ପାର୍ଟି ତୀବ୍ର ପ୍ରତିବାଦ ଜଣାଇବାରୁ ସରକାର ବର୍ତ୍ତମାନ ସ୍ମାର୍ଟ୍ ମିଟର ଲଗାଇବା ପାଇଁ ଏକ ଭିନ୍ନ କୌଶଳ ଅବଲମ୍ବନ କରିଛନ୍ତି। ସରକାର ଓ ବିଜୁଳୀ ବିତରଣକାରୀ ଟାଟା ସଂସ୍ଥାର ଗୁପ୍ତ ବୁଝାମଣା ଅନୁକ୍ରମରେ ବର୍ତ୍ତମାନର ମିଟରକୁ ତ୍ରୁଟିପୂର୍ଣ୍ଣ ଘୋଷଣା କରି ହାରାହାରି ବିଲ୍ ନେବାର ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି ।

ପ୍ରଥମ କଥା ହେଉଛି ଏପରି ଅନେକ ଖାଉଟି ଅଛନ୍ତି ଯେଉଁମାନଙ୍କ ଘରେ ମିଟର ଲାଗିବାର ଦୁଇବର୍ଷ ମଧ୍ୟ ହୋଇନଥିଲା ବେଳେ ଏକାସମୟରେ ଏତେ ସଂଖ୍ୟାରେ ମିଟର ତ୍ରୁଟିଯୁକ୍ତ ହେଲା କିପରି ? ଉପଯୁକ୍ତ ତର୍ଜମା ପରେ ଯଦି ସରକାର ପୁରୁଣା ମିଟର ଗୁଡ଼ିକୁ ତ୍ରୁଟିଯୁକ୍ତ ବିବେଚନା କରନ୍ତି ତେବେ ମିଟର ନିର୍ମାଣକାରୀ ସଂସ୍ଥା ଗୁଡିକର ସ୍ବୀକୃତି ବାତିଲ କରିବାର ପ୍ରକ୍ରିୟା ରାଜ୍ୟ ସରକାର ଆରମ୍ଭ କରିଛନ୍ତି କି ? ପ୍ରଶ୍ନ ଉଠୁଛି ଯେ ଯଦି ମିଟର ତ୍ରୁଟିଯୁକ୍ତ ଥିଲା ତେବେ ବିଦ୍ୟୁତ୍ ଉପଭୋକ୍ତାଙ୍କ ଠାରୁ ଆଦାୟ ହୋଇଥିବା ଅର୍ଥର ହିସାବ ତ୍ରୁଟିଶୁନ୍ୟ ଥିଲା କି? ଯଦି ମିଟର ତ୍ରୁଟିପୂର୍ଣ୍ଣ ଥିଲା ନିଶ୍ଚୟ ଭୁଲ ହିସାବ ଦେଖେଇ ବିଲ୍ ବାବଦରେ ଅସୁଲ କରାଯାଇଥିବା ମୋଟା ଅଙ୍କ ଖାଉଟିଙ୍କୁ ଫେରେଇ ଦିଆଯିବ ତ? ସ୍ମାର୍ଟ୍ ମିଟର ପାଇଁ ଖାଉଟି କାହିଁକି ଅଧିକ ଖର୍ଚ୍ଚ ବହନ କରିବ? ଯଦି ବା କରିବ ତେବେ ପୂର୍ବୋକ୍ତ ୨୪୦୦ ଟଙ୍କା ତାକୁ ଫେରାଇ ଦିଆ ଯିବକି? ଏପରି ମାନସିକ ଚାପ ଦେବା ପଛରେ ସରକାରଙ୍କର କି ଅଭିସନ୍ଧି ରହିଛି ଅବା କେଉଁ ଓଡ଼ିଆ ଅସ୍ମିତା କାମ କରୁଛି ତାହା ସାଧାରଣରେ ଏକ ଉଦବେଗ ଜନକ ପରିସ୍ଥିତି ସୃଷ୍ଟି କରୁଛି ।

ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ହେଉଛି ଯେ ସିମ୍ ଯୁକ୍ତ ସ୍ମାର୍ଟ୍ ମିଟର ଲାଗିଲେ ମୋବାଇଲ୍ ଫୋନ୍ ରିଚାର୍ଜ୍ ପରି ଖାଉଟିକୁ ପ୍ରଥମେ ଟଙ୍କା ଦେବାକୁ ପଡ଼ିବ। ଯେତେବଳେ ଆବଶ୍ୟକୀୟ ବାଲାନ୍ସ ସରିଯିବ ଉପଭୋକ୍ତା ଅନ୍ଧାରରେ ରହିବାକୁ ବାଧ୍ୟ ହେବ। ଏପରି କ୍ଷେତ୍ରରେ ଆମ ରାଜ୍ୟରେ ଦୈନିକ ସର୍ବନିମ୍ନ ପାରିଶ୍ରମିକ ପାଇବାରୁ ବଞ୍ଚିତ ୮୦ ଭାଗ ଜନସାଧାରଣ ବିଦ୍ୟୁତ୍ ବିଭାଗର ନାଲି ଆଖି ଭୟରେ ଅନ୍ଧାରରେ ରହିବାର ପରିସ୍ଥିତି ସୃଷ୍ଟି ହେବ । ଏଣୁ ଓଡ଼ିଶାବାସୀଙ୍କ ସ୍ଵାର୍ଥ ରକ୍ଷା ନିମନ୍ତେ ଆମ୍ ଆଦ୍‌ମୀ ପାର୍ଟି ତରଫରୁ ରାଜ୍ୟ ସରକାରଙ୍କ ନିକଟରେ ନିମ୍ନ ଲିଖିତ ଦାବି ଉପସ୍ଥାପନ କରାଯାଉଛି ।

୧- ନିର୍ବାଚନ ସମୟରେ ନିରୀହ ରାଜ୍ୟବାସୀଙ୍କୁ ୩୦୦ ୟୁନିଟ୍ ଦେୟମୁକ୍ତ ବିଜୁଳି ଯୋଗାଣର ଦେଇଥିବା ପ୍ରତିଶ୍ରୁତିକୁ ଅବିଳମ୍ବେ ପୂରଣ କରନ୍ତୁ ।

୨- ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ସ୍ମାର୍ଟ ମିଟରର ସଂଯୋଗୀକରଣର ଆର୍ଥିକ ବୋଝ ନ ଲଦି ସରକାର ନିଜ ଖର୍ଚ୍ଚରେ ଏହାକୁ ଲଗାନ୍ତୁ ।

୩- ସ୍ମାର୍ଟ ମିଟର ସଂଯୋଗ କରିବା ପୂର୍ବରୁ ଜନସାଧାରଣଙ୍କୁ ଯଥେଷ୍ଟ ସମୟ ଓ ଏହି ସଂକ୍ରାନ୍ତୀୟ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶ ଦିଅନ୍ତୁ ।

୪- ବିତରଣ କମ୍ପାନୀ ଦ୍ଵାରା ତ୍ରୁଟିପୂର୍ଣ୍ଣ ବିଲ୍ ମାଧ୍ୟମରେ ଖାଉଟିଙ୍କ ଠାରୁ ଜୋର୍ ଜୁଲମ କରି ଆଦାୟ କରାଯାଉଥିବା ଅର୍ଥ ଫେରସ୍ତ କରିବାର ସରକାର ତୁରନ୍ତ ବ୍ୟବସ୍ଥା କରନ୍ତୁ ।

୫- ପୂରୁଣା ମିଟର ବାବଦରେ ଉପଭୋକ୍ତା ପ୍ରଦାନ କରିଥିବା ସମସ୍ତ ଅର୍ଥ ରାଶି ଫେରସ୍ତ କରିବାର ସୁବନ୍ଦୋବସ୍ତ କରନ୍ତୁ ।

୬- ଅଦିନିଆ ବର୍ଷାରେ କ୍ଷୟ କ୍ଷତି ସହିଥିବା ଚାଷୀଙ୍କର ଘରୋଇ ଓ କୃଷି ସମ୍ପର୍କିତ ସମସ୍ତ ବିଲ୍ ସରକାର ଅବିଳମ୍ବେ ଛାଡ କରନ୍ତୁ ।

୭-ଭିଜିଲାନ୍ସ ନାମରେ ଲୋକ ମାନଙ୍କୁ ଲକ୍ଷାଧିକ ଟଙ୍କା ଶୋଷଣ ବନ୍ଦ କରାଯାଉ ।

୮-ଲୋକ ମାନଙ୍କ ସନ୍ଦେହ ଦୁର କରିବା ପାଇଁ ବିନା ମୂଲ୍ୟ ରେ ମିଟର ଟେଷ୍ଟ କରାଯାଉ ।

୯-ତାର ବଦଳାଇବା, ମିଟର ଭିତରୁ ଲାଇନ କଟିଗଲେ, ମିଟର ଘୁଞ୍ଚିଲା ବେଳେ ଅଯଥା ଟଙ୍କା ଗ୍ରହଣ କରା ନଯାଉ ।

ଆଜିର ପ୍ରେସମିଟରେ ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ଜୟସୂର୍ଯ୍ୟ କାନୁନଗୋ, ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ସନ୍ଦୀପ୍ତ ଦାସ, ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ଶ୍ରୀକାନ୍ତ ପାଣି ଏବଂ ରାଜ୍ୟ ମୁଖ୍ୟ ପ୍ରବକ୍ତା ଶ୍ରୀ ଲଲିତ ମୋହନ ଦାସଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *