
ଭୁବନେଶ୍ୱର: ଆପଣମାନେ ଯେପରି ଖୁସି ମନରେ ତୀର୍ଥଯାତ୍ରା କରିବାକୁ ଯାଉଛନ୍ତି, ସେହିଭଳି ସୁସ୍ଥ ଓ ନିରାପଦ ଭାବେ ତୀର୍ଥଯାତ୍ରା ସମ୍ପନ୍ନ କରି ଅଶେଷ ପୁଣ୍ୟ ଅର୍ଜନ କରି ଘରକୁ ଫେରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରଠାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ ଅବସରରେ ବରିଷ୍ଠ ନାଗରିକମାନଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି । ଭୁବନେଶ୍ୱରରେଳ ଷ୍ଟେସନଠାରୁ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ଢେଙ୍କାନାଳ ଜିଲ୍ଲାର ୮୦୦ ଜଣ ବରିଷ୍ଠ ନାଗରିକ ମହାରାଷ୍ଟ୍ରର ପ୍ରସିଦ୍ଧ ତୀର୍ଥସ୍ଥଳୀ ସିରିଡି ଓ ନାସିକ ଦର୍ଶନ ପାଇଁ ଆଜି ଯାତ୍ରା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ପାରମ୍ପରିକ ପୂଜା ସହିତ ପତକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ । ଏଥି ସହିତ ଟ୍ରେନ ଭିତରେ ବୁଲି ବୁଲି ତୀର୍ଥଯାତ୍ରୀମାନଙ୍କୁ ସଫଳ ଯାତ୍ରା ପାଇଁ ଶୁଭକାମନା ଜଣାଇଥିଲେ ।
ସୂଚନାଯୋଗ୍ୟ ଯେ, ରାଜ୍ୟର ଆର୍ଥିକ ଅନଗ୍ରସର ଓ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକମାନଙ୍କ ଆଧ୍ୟାତ୍ମିକ ଓ ଧାର୍ମିକ ଆକାଂକ୍ଷା ପୂରଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରଣୟନ କରାଯାଇଛି । ଚଳିତ ବର୍ଷ ରାଜ୍ୟର ୮୦୦୦ ବରିଷ୍ଠ ନାଗରିକଙ୍କ ପାଇଁ ୧୦ଟି ପର୍ଯ୍ୟାୟରେ ସିରିଡି, ନାସିକ, କୋଲକତା ଦକ୍ଷିଣକାଳୀ, କାମାକ୍ଷା, ଅଯୋଧ୍ୟା, ବାରଣାସୀ ଆଦି ତୀର୍ଥସ୍ଥାନ ଭ୍ରମଣର ବ୍ୟବସ୍ଥା କରାଯାଇଛି ।
ଚଳିତ ବର୍ଷ ରାଜ୍ୟର ୮୦୦୦ ବରିଷ୍ଠ ନାଗରିକଙ୍କ ପାଇଁ ୧୦ଟି ପର୍ଯ୍ୟାୟରେ ସିରିଡି, ନାସିକ, କୋଲକତା ଦକ୍ଷିଣକାଳୀ, କାମାକ୍ଷା, ଅଯୋଧ୍ୟା, ବାରଣାସୀ ଆଦି ତୀର୍ଥସ୍ଥାନ ଭ୍ରମଣର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାୟଗଡା ଓ ବାଲେଶ୍ୱର ଷ୍ଟେସନରୁ ଦୁଇଟି ପର୍ଯ୍ୟାୟରେ ଏହି ତୀର୍ଥଯାତ୍ରା ଟ୍ରେନ ଚଳାଚଳ କରିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ସନାତନ ପରମ୍ପରା ଅନୁଯାୟୀ, ଜୀବନକାଳ ମଧ୍ୟରେ କିଛି କିଛି ଧର୍ମସ୍ଥଳୀ ଦର୍ଶନ କରି ଈଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ସମସ୍ତଙ୍କ ଇଚ୍ଛା ଥାଏ ।
କୌଣସି କାରଣ ବଶତଃ ଏହା ସମ୍ଭବ ହୋଇନଥାଏ ।ଖୁସିର କଥା ଆପଣମାନଙ୍କ ପାଇଁ ବାବା ଭୋଲେନାଥ ଓ ସିରିଡି ସାଇଙ୍କ ଦରବାରକୁ ଡୋର ଲାଗିଛି ଏବଂ ଆପଣମାନେ ତାଙ୍କ ଦର୍ଶନ ପାଇଁ ଯାଉଛନ୍ତି । ନିଜର ଓ ନିଜ ପରିବାରର ମଙ୍ଗଳ କାମନା କରିବା ସହିତ ରାଜ୍ୟର ସମୃଦ୍ଧି ଓ ଉନ୍ନତି ପାଇଁ ମଧ୍ୟ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବେ ।ସେ ଆହୁରି କହିଥିଲେ ଯେ, ଭାରତୀୟ ସଂସ୍କୃତିକୁ ଏକ ସୂତ୍ରରେ ବାନ୍ଧି ରଖିଛି ଆମ ମନ୍ଦିର ପରମ୍ପରା । ଅତୀତରେ ମନ୍ଦିର ପରମ୍ପରା ଆମ ସାଂସ୍କୃତିକ ଭାବ ବିନିମୟର କେନ୍ଦ୍ର ଥିଲା । ଆମ ଐତିହ୍ୟ, କଳା, ସଂସ୍କୃତି, ଭାସ୍କର୍ଯ୍ୟ ଓ ଅର୍ଥନୀତିର ସମନ୍ୱୟ ପୀଠ ଥିଲା ମନ୍ଦିର । ସେଥିପାଇଁ ପ୍ରତ୍ୟେକ ଭାରତୀୟମାନେ ତୀର୍ଥସ୍ଥଳୀ ଓ ମନ୍ଦିରପରିଦର୍ଶନ କରିବା ପାଇଁ ମନ ଭିତରେ ସବୁ ବେଳେ ଆଶା ରଖିଥାନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ତୀର୍ଥଯାତ୍ରୀମାନେ ଯେପରି ସୁରୁଖୁରୁରେ, ସୁବିଧାରେ ଭ୍ରମଣ ଓ ଦର୍ଶନ କରିପାରିବେ ସେଥିପାଇଁ ସେମାନଙ୍କ ସହିତ ପୁରା ଯାତ୍ରା ସମୟ ପାଇଁ ସ୍ୱତନ୍ତ୍ର ଅଧିକାରୀ, ଗାଇଡ୍ ଓ ଡାକ୍ତରୀ ଦଳର ବ୍ୟବସ୍ଥା କରାଯାଇଛି । ସମସ୍ତ ତୀର୍ଥଯାତ୍ରୀଙ୍କୁ ନିଜ ଗ୍ରାମଠାରୁ ସେମାନେ ଯାତ୍ରା ଆରମ୍ଭ କରୁଥିବା ରେଳ ଷ୍ଟେସନ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଯିବା ଆସିବା ସୁବିଧା କରାଯାଇଛି । ଯାତ୍ରା ସମୟରେ ସେମାନଙ୍କର ରହିବା, ଖାଇବା ପିଇବା ସହିତ ରେଳ ଷ୍ଟେସନରୁ ତୀର୍ଥସ୍ଥାନ ପର୍ଯ୍ୟନ୍ତ ଯିବା ଆସିବା ସୁବିଧା ମଧ୍ୟ କରାଯାଇଛି । ଯାତ୍ରା ସମୟରେ ସମସ୍ତେ ସତର୍କ ରହିବା ସହିତ ନିୟୋଜିତ ଅଧିକାରୀ ଓ ଗାଇଡ୍ଙ୍କ ତତ୍ତ୍ୱାବଧାନରେ ତୀର୍ଥସ୍ଥଳୀ ବୁଲିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ ।