୭ ମାସର ଭାଜପା ସରକାର ଓଡ଼ିଶାରେ ଗୋଟିଏ ମଧ୍ୟ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ

ଭୁବନେଶ୍ବର : ଆପଣମାନେ ଜାଣିଥିବେ ଯେ ଆସନ୍ତା ଫେବୃୟାରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।ଏହି ନିର୍ବାଚନ ମଇଦାନରେ ପ୍ରମୁଖ ଦଳ ଭାବେ ଆମ୍ ଆଦମୀ ପାର୍ଟି, କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ବିଭିନ୍ନ ପ୍ରତିଶ୍ରୁତି ପ୍ରଦାନ କରୁଛନ୍ତି। ଏହି ଅନୁକରଣରେ ଭାଜପା ମଧ୍ୟ ଦୁଇଟି ସଂକଳ୍ପ ପତ୍ର ଜାରି କରି ସାରିଲାଣି। ଅରବିନ୍ଦ କେଜ୍ରିୱାଲଙ୍କ ସଫଳ ଓ ଲୋକହିତକର ଯୋଜନା ସବୁକୁ ରେବିଡି ଯୋଜନା କହି ଗାଳି ଦେଉଥିବା ଭାଜପା ତାର ସଂକଳ୍ପ ପତ୍ରରେ ସେ ସମସ୍ତ ଯୋଜନାକୁ ଚାଲୁ ରଖିବ କହି ନକଲ କରିବା ଦିଲ୍ଲୀ ବାସୀଙ୍କୁ ସମ୍ପୂର୍ଣ୍ଣ ଧୋକା ଦେବା ଭଳି ମନେ ହେଉଛି। ଆପଣମାନଙ୍କ ମନରେ ପ୍ରଶ୍ନ ଉଙ୍କିମାରେ ଓଡ଼ିଶାରେ ବସି ଦିଲ୍ଲୀ ନିର୍ବାଚନ ପରିପ୍ରେକ୍ଷୀରେ କାହିଁକି ଆମେ ଆଜି କେବଳ ଭାଜପାର ସଂକଳ୍ପ ପତ୍ର ବିଷୟରେ ଚର୍ଚ୍ଚା କରୁଛୁ ?ତାହାର ପ୍ରମୁଖ କାରଣ ହେଉଛି ଯେ ଓଡ଼ିଶାରେ ମଧ୍ୟ ନିର୍ବାଚନ ପୂର୍ବରୁ ଭାଜପା ଏକ ମନଲୋଭା ସଂକଳ୍ପ ପତ୍ର ଜାରି କରିଥିଲା ।

ଦୁଃଖ ଓ ପରିତାପର ବିଷୟ ଯେ ନିରୀହ ଓଡ଼ିଶାବାସୀଙ୍କ ଭୋଟ ହାତେଇ ସରକାରକୁ ଆସିବାର ପ୍ରାୟ ୭ ମାସ ସରିବାକୁ ବସିଲାଣି ସେମାନଙ୍କର ସଂକଳ୍ପ ପତ୍ରର ଗୋଟିଏ ମଧ୍ୟ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି। ଓଡ଼ିଶା ହେଉ କି ଦିଲ୍ଲୀ ସେମାନଙ୍କର ସଂକଳ୍ପ ପତ୍ର ଜନତାଙ୍କ ପ୍ରତି ଏକ ଧୋକା ଓ ଚଞ୍ଚକତା ଯାହାକୁ ଆମେ ସଂକଳ୍ପ ପତ୍ର ନୁହେଁ “ଜୁମଲା ପତ୍ର ” ବୋଲି କହିବାକୁ ବାଧ୍ୟ ହେଉଛୁ ।

୧- ଓଡ଼ିଶାରେ ୩୦୦ ୟୁନିଟ୍ ମାଗଣା ବିଜୁଳୀ ଦେବା କଥା କହି ଭୁଆଁ ବୁଲାଇଥିବା ବେଳେ ପୁଣି ଦିଲ୍ଲୀରେ ସେହି ଭଣ୍ଡାମିକୁ ସେମାନେ ଦୋହରାଇଛନ୍ତି ।

୨- ସୁଭଦ୍ରା ଯୋଜନାରେ ଦୁଇଟି କିସ୍ତିରେ ୫୦ହଜାର ଟଙ୍କା ମା ମାନଙ୍କୁ ଦେବା କଥା କହି ଆଜି ଯାଏ କେବଳ ୫ ହଜାର ଟଙ୍କା ସମସ୍ତଙ୍କୁ ଦେବାରେ ଅକ୍ଷମ ଭାଜପା ଦିଲ୍ଲୀରେ ମହିଳାଙ୍କୁ ମାସିକ ଅଢେଇ ହଜାର ଟଙ୍କା ଦେବା କଥା କହିବା ତାଙ୍କ ଠକ ମନୋବୃତ୍ତିକୁ ସ୍ପଷ୍ଟ କରୁଛି ।

୩- ଓଡ଼ିଶାରେ ଏ ଯାଏଁ ଆୟୁଷ୍ମାନ ଯୋଜନା ଲାଗୁ କରିବାରେ ବିଫଳ ଭାଜପା ପ୍ରଥମ କ୍ୟାବିନେଟରେ ଦିଲ୍ଲୀରେ ଆୟୁଷ୍ମାନ ଯୋଜନା ଲାଗୁ କରିବା ନେଇ ଦେଇଥିବା ପ୍ରତିଶ୍ରୁତି ଏକ ପ୍ରହେଳିକା ଭଳି ମନେ ହୁଏ ।

୪- ବରିଷ୍ଠ ନାଗରିକଙ୍କୁ ୩ହଜାର ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଦେବାକୁ କହି ଆଜି ଯାଏଁ ଠକୁଥିବା ବେଳେ ଦିଲ୍ଲୀରେ ବାର୍ଦ୍ଧକ୍ୟ ଭତ୍ତା ଅଢେଇ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଦେଇଥିବା ପ୍ରତିଶ୍ରୁତି ଏକ ପାଣିର ଗାର ସଦୃଶ ।

୫- ସରକାରକୁ ଆସିବାର ଛଅ ମାସ ଭିତରେ ଓଡ଼ିଶାର ପୂର୍ବ ସରକାରଙ୍କ ସମୟରେ ବନ୍ଦ କରାଯାଇଥିବା ୮ହାଜର ବିଦ୍ୟାଳୟକୁ ଖୋଲିବାର ଦୃଢୋକ୍ତି ରଖିଥିବା ମୋହନ ସରକାର ଘୁଙ୍ଗୁଡ଼ି ନିଦ୍ରାରେ ଶୋଇଥିବା ବେଳେ ଦିଲ୍ଲୀରେ ଶିକ୍ଷା କ୍ରାନ୍ତି କଥା କହିବା ଦିନରେ ଆଲୁଅ ଦେଖେଇବା ସଦୃଶ ମନେ ହୁଏ ।

୬- ଯୋଜନା ନୁହେଁ ଜୁମଲାରେ ଅଧିକ ବିଶ୍ୱାସ ରଖୁଥିବା ଭାରତୀୟ ଜନତା ପାର୍ଟି ଓଡ଼ିଶାରେ କୃଷକ ମାନଙ୍କୁ ଧାନର କଟନି ଛଟନିରୁ ମୁକ୍ତ କରି ୩୧୦୦ ଟଙ୍କାରେ ଧାନ କ୍ରୟ କରିବାକୁ ଦେଇଥିବା ପ୍ରତିଶ୍ରୁତି ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସଂପ୍ରତି ଧାନ ମଣ୍ଡିରେ ହନ୍ତସନ୍ତ ହେଉଥିବା କୃଷକ ଭାଇ ମାନଙ୍କର ଦୁର୍ଦ୍ଦଶା ପ୍ରମାଣିତ କରୁଛି ।

୭- ପ୍ରଥମ କ୍ୟାବିନେଟ ବୈଠକରେ ଚିଟ୍ ଫଣ୍ଡ ଠକେଇର ଶିକାର ହୋଇଥିବା ନିରୀହ ଜନତାଙ୍କୁ ସେମାନଙ୍କର ପ୍ରାପ୍ୟ ଫେରସ୍ତ କରିବାର ପ୍ରକ୍ରିୟା ଆରମ୍ଭ କରିବାର ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ଭାଜପା ଏହି ବିଷୟରେ ପଦୁଟିଏ ଉଚ୍ଚାରଣ ନ କରିବା ଦୁର୍ଭାଗ୍ୟଜନକ ।

୮- ରତ୍ନ ଭଣ୍ଡାରରେ ସାଇତା ଅଳଙ୍କାରର ହିସାବ ସର୍ଵ ସମ୍ମୁଖରେ ରଖିବା ଓ ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିବା ପ୍ରସଙ୍ଗରେ ପ୍ରତିଶ୍ରୁତି ଆଳରେ ଯେଉଁ ନାଟକ ଭାଜପା ରଚିଥିଲା ତାହା କୋଟି ଓଡ଼ିଆଙ୍କର ଶ୍ରୀଜଗନ୍ନାଥଙ୍କ ପ୍ରତି ରହିଥିବା ଭାବାବେଗ ପ୍ରତି କ୍ରୁର ପ୍ରତାରଣା ଓ ଅକ୍ଷମଣୀୟ ଅପରାଧ।ବିଭିନ୍ନ ପ୍ରକାର ମିଛ ଓ ଲୋଭନୀୟ ପ୍ରତିଶ୍ରୁତି ଦେଇ କଳେ ବଳେ କୌଶଳେ କ୍ଷମତାକୁ ଆସିବା ଏବଂ ପରବର୍ତ୍ତୀ ସମୟରେ କାଣିଚାଏ ପ୍ରତିଶ୍ରୁତି ପାଳନ ନ କରିବା ଭାଜପାର ଆଚରଣ ଓ ଉଚ୍ଚାରଣରେ ସ୍ପଷ୍ଟ ପରିଲକ୍ଷିତ ହେଉଛି। ଏଣୁ ଆମେ ଓଡ଼ିଶାର ଜନତା ଏଭଳି ଠକ ଦଳକୁ ସରକାରରେ ବସେଇବାର ଭୟଙ୍କର ତ୍ରୁଟି କରିସାରିଥିଲା ବେଳେ ଦିଲ୍ଲୀବାସୀ ବିଶେଷକରି ସେଠାରେ ବାସ କରୁଥିବା ଓଡ଼ିଆ ଭାଇ ଓ ଭଉଣୀମାନେ ଭାଜପାକୁ ଭୋଟ ଦେଇ ଠକାମୀର ଶିକାର ନ ହେବାକୁ ଅନୁରୋଧ କରୁଛୁ। ଦିଲ୍ଲୀ ନିର୍ବାଚନ ପରିପ୍ରେକ୍ଷୀରେ ସଂକଳ୍ପ ପତ୍ରରେ ପ୍ରଦତ୍ତ ପ୍ରତିଶୃତି ସବୁକୁ ଭାଜପା ଯଦି ଗୁରୁତ୍ଵର ସହ ବିଚାର କରୁଥାଏ ତେବେ ଓଡ଼ିଶାର ଭାଜପା ସରକାର ମଧ୍ୟ ସେ ସମସ୍ତ ପ୍ରତିଶ୍ରୁତିକୁ ଓଡ଼ିଶାବାସୀଙ୍କ କଲ୍ୟାଣ ନିମନ୍ତେ ଅବିଳମ୍ବେ ଲାଗୁ କରନ୍ତୁ ନଚେତ୍ ଅଣ ଭାଜପା ଶାସିତ ରାଜ୍ୟ ନିମନ୍ତେ ଭାଜପାର ଦୋହରା ଚରିତ୍ରକୁ ଜନତା କଦାପି ବରଦାସ୍ତ କରିବେ ନାହିଁ।ଆଜିର ପ୍ରେସମିଟରେ ରାଜ୍ୟ ମୁଖ୍ୟ ମୁଖପାତ୍ର ଶ୍ରୀ ଲଲିତ ମୋହନ ଦାସଅଧିକାରୀ, ରାଜ୍ୟ ସଙ୍ଗଠନ ସମ୍ପାଦକ ଶ୍ରୀ ସଂଦୀପ୍ତ ଦାସ, ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀ ଶୁଭାଶିଷ ସ୍ଵାଇଁ ଏବଂ ଭୁବନେଶ୍ବର ସଭାପତି ଶ୍ରୀ ଜୟସୂର୍ଯ୍ୟ କାନୁନଗୋ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *