ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍‌: ୨୫ ମିନିଟ୍‌ ଧରି ଉଡ଼ିଲା, ପୁଲିସ ଦେଖିଲା, କିଛି କରି ପାରିଲାନି

ପୁରୀ: ଶ୍ରୀମନ୍ଦିର ଉପରେ ଓ ନିଷିଦ୍ଧାଞ୍ଚଳରେ ଆଜି ପୁଣିଥରେ ଉଡ଼ିଛି ଡ୍ରୋନ୍। ପ୍ରାୟ ୨୫ ମିନିଟ୍ ଧରି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଓ ପରିକ୍ରମା ମାର୍ଗ ଉପରଭାଗରେ ପଇଁତରା ମାରିଛି ଏହି ଡ୍ରୋନ୍। ପୁଲିସ ଏହା ଦେଖିଥିଲେ ବି ଅସହାୟତା ପ୍ରକାଶ କରିଛି। ଏହାକୁ ଧରିବା ଓ ଠାବ କରିବା ପାଇଁ କୌଣସି ଅତ୍ୟାଧୁନିକ ଜ୍ଞାନକୌଶଳ ପୁରୀ ପୁଲିସ ପାଖରେ ନ ଥିବାରୁ କେବଳ ଉଡ଼ୁଥିବା ଦେଖିଛି, କିନ୍ତୁ ଏହାକୁ ଧରିପାରିନି। ଆଜି ବିଳମ୍ବିତ ରାତି ସୁଦ୍ଧା ଏହି ଡ୍ରୋନ୍‌ କିଏ ଉଡ଼ାଉଥିଲା, କେଉଁଠୁ ଏହାକୁ ନିୟନ୍ତ୍ରଣ କରାଯାଉଥିଲା, କିଛି ସୂଚନା ପୁଲିସ ପାଖରେ ନାହିଁ।ଗତ ଜାନୁଆରି ୫ ତାରିରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଇବା ଘଟଣା ଉପରୁ ଅଦ୍ୟାବଧି ପରଦା ହଟାଇ ପାରିନି ପୁଲିସ। ଶ୍ରୀମନ୍ଦିର ଗର୍ଭଗୃହ, ରତ୍ନ ସିଂହାସନ, ରତ୍ନଭଣ୍ଡାର ଓ ଭିତର ବେଢ଼ାର ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଛାଡ଼ିଥିବା ବ୍ୟକ୍ତିଙ୍କୁ ଆଜି ପର୍ଯ୍ୟନ୍ତ ପୁଲିସ ଧରିପାରିନି। ସଂପୃକ୍ତ ସେବାୟତଙ୍କୁ ବି ଥାନାକୁ ଆଣି ଥରଟିଏ ପଚରାଉଚରା କରିନି। ଏଭଳି ସ୍ଥିତିରେ ଆଜି ପୁଣି ଏକ ଡ୍ରୋନ୍‌ ଶ୍ରୀମନ୍ଦିର ଉପରେ ଉଡ଼ିବା ସହ ଶ୍ରୀମନ୍ଦିର ଉପର ଓ ଭିତର ବେଢ଼ାର ଭିଡିଓ ଓ ଫଟୋ ଉତ୍ତୋଳନ କରିବା ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଆଜି ସନ୍ଧ୍ୟାରେ ଏହି ଡ୍ରୋନ୍‌ ହଠାତ୍‌ ପଶ୍ଚିମଦ୍ବାର ପାର୍ଶ୍ବରୁ ଆସି ଶ୍ରୀମନ୍ଦିର ଉପରେ ଉଡ଼ିଥିଲା। ଏକାଧିକ ଥର ଶ୍ରୀମନ୍ଦିର ଉପରେ ଚକ୍କର କାଟିଥିଲା। କେତେବେଳେ ନୀଳଚକ୍ର ତ କେତେବେଳେ ଭିତର ବେଢ଼ାରେ ଥିବା ମନ୍ଦିର ସବୁର ଫଟୋ ଓ ଭିଡିଓ ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଥିଲା। ମଝିରେ ମଝିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବି ଭିଡିଓ ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ଜାଣି ସେଠାରେ ଉପସ୍ଥିତ ସେବକ ଓ ଭକ୍ତମାନେ ପୁଲିସକୁ ଖବର ଦେଇଥିଲେ। କିନ୍ତୁ ପୁଲିସ କେବଳ ଦେଖଣାହାରୀ ସାଜିଥିଲା ।

Leave a Reply

Your email address will not be published. Required fields are marked *