ବେଲଗୁଣ୍ଠା: ବ୍ରେକ ଫେଲ ଯୋଗୁଁ ବିଲକୁ ପଶି କାର ଦୁର୍ଘଟଣାଗ୍ରସ୍ତ ; ଦୁଇ ଗୁରୁତରଙ୍କ ସହ ପାଞ୍ଚ ଆହତ

ବେଲଗୁଣ୍ଠା (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଗୁରୁବାର ଦିନ ଭୋର ୬ଟା ବେଳେ ଭଞ୍ଜନଗରରୁ ଓଡ଼ଗାଁ ଅଭିମୁଖେ ଯାଉଥିବା ଏକ କାରର ବ୍ରେକ ଫେଲ ହେବା ଯୋଗୁଁ କାରଟି ଭାରସାମ୍ୟ ହରାଇ ବେଲଗୁଣ୍ଠା ନିକଟସ୍ଥ ହରିଜନ ଉଢୁରାର ମୁଖ୍ୟ ରାସ୍ତା କଡ଼ରେ ଥିବା ଏକ ବିଲ ମଧ୍ୟକୁ ଖସି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ କାରରେ ଥିବା ୩ଜଣ ଯାତ୍ରୀ ସାମାନ୍ୟ ଓ ଦୁଇଜଣ ଗୁରୁତର ଆହତ ହୋଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗୁରୁବାର ଦିନ ଏକ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ଭଞ୍ଜନଗରରୁ ଏକ କଳା ରଙ୍ଗର ଓଡ଼ି ୦୨ ସିଏକ୍ସ ୫୫୪୩ ନମ୍ବର ବିଶିଷ୍ଟ କାରରେ ଗୋଟିଏ ପରିବାରର ୩ଜଣ ପୁରୁଷ ଓ ୨ଜଣ ମହିଳା ଓଡ଼ଗାଁ ଅଭିମୁଖେ ଫେରୁଥିବା ବେଳେ କାରର ବ୍ରେକ ଫେଲ ହେବା ଯୋଗୁଁ କାରଟି ବେଲଗୁଣ୍ଠା ନିକଟସ୍ଥ ହରିଜନ ଉଢୁରା ମୁଖ୍ୟ ରାସ୍ତାର ଡ଼ାହାଣ ପାର୍ଶ୍ଵରେ ଥିବା ବିଲ ମଧ୍ୟକୁ ପଶିଯିବା ସହ ଯୁଗଳ ନାଇକଙ୍କ ଘର ନିକଟରେ ଥିବା ଏକ ବଡ଼ ପଥର ସହ ଧକ୍କା ହୋଇଥିଲା । ଫଳରେ କାରର ବାମ ପାର୍ଶ୍ଵ ଆଗ ଚକା ଫାଟି ଯିବା ସହ କାରଟିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି । ତେବେ ଦାମିକା କାରରେ ବେଳୁନ ବ୍ୟବସ୍ଥା ଥିବା ଯୋଗୁଁ କାରର ଡ୍ରାଇଭର ଓ ଅନ୍ୟମାନେ ନିଶ୍ଚିତ ଏକ ବଡ଼ ବିପଦରୁ ରକ୍ଷା ପାଇଯାଇଥିବା ଦୁର୍ଘଟଣା ସ୍ଥଳରେ ଥିବା କିଛି ପ୍ରତ୍ୟକ୍ଷ ଦର୍ଶୀ ପ୍ରକାଶ କରିଛନ୍ତି । କାରରେ ଥିବା ୩ଜଣ ପୁରୁଷ ଓ ଦୁଇ ମହିଳାଙ୍କ ମଧ୍ୟରୁ ଦୁଇ ଜଣ ପୁରୁଷ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ସ୍ଥାନୀୟ ଗ୍ରାମବାସୀ ଓ କିଛି ଯୁବକ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା କୁହାଯାଉଛି । ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରି ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ କଳା ରଙ୍ଗର କାରକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛନ୍ତି । ୫ଆହତଙ୍କ ସବିଶେଷ ବିବରଣୀ ହସ୍ତଗତ ହୋଇପାରି ନାହିଁ । ଅନ୍ୟପଟେ ଦୁର୍ଘଟଣା ଗ୍ରସ୍ତ ବିଲ ନିକଟରେ ଥିବା ଘର ପାଖରେ ସକାଳୁ ଗୁଡ଼ି ବାଡ଼ାଉଥିବା ଦୁଇଜଣ ହରିଜନ ମହିଳା ଜନନୀ ନାଇକ( ୪୫) ଓ ପୁଷ୍ପା ନାଇକ (୬୫) ଅଳ୍ପକେ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଥିବା ପ୍ରକାଶ କରିଛନ୍ତି । ପ୍ରକୃତରେ କାରର ବ୍ରେକ ଫେଲ ହୋଇଛି ନା ଡ୍ରାଇଭରଙ୍କ ଆଖି ଲାଗିଯିବା ଯୋଗୁଁ ଦୁର୍ଘଟଣା ହୋଇଛି ଏହାକୁ ନେଇ ଘଟଣା ସ୍ଥଳରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *