ବେଲଗୁଣ୍ଠା ତହସିଲର ୩୫୦ ହିତାଧିକାରୀଙ୍କୁ ଗ୍ରାମକଣ୍ଠ ଘରବାରି ପଟ୍ଟା ବଣ୍ଟନ କଲେ ବିଧାୟକ ନୀଳମଣି ବିଷୋୟୀ

ବେଲଗୁଣ୍ଠା (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ତହସିଲ କାର୍ଯ୍ୟାଳୟ ତରଫରୁ ବେଲଗୁଣ୍ଠା ତହସିଲ ଅନ୍ତର୍ଗତ ବିଭିନ୍ନ ଗ୍ରାମର ୩୫୦ଜଣ ହିତାଧିକାରୀଙ୍କୁ ଗ୍ରାମ କଣ୍ଠ ଘରବାରି ପଟ୍ଟା ବଣ୍ଟନ କରାଯାଇଛି । ବେଲଗୁଣ୍ଠା ଟାଉନ ହଲ ଠାରେ ଅନୁଷ୍ଠିତ ପଟ୍ଟା ବଣ୍ଟନ ମେଳା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ ହିତାଧିକାରୀଙ୍କୁ ଗ୍ରାମ କଣ୍ଠ ଘରବାରି ପଟ୍ଟା ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମର ଆବାହକ ଭାବେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବେଲଗୁଣ୍ଠା ତହସିଲ କାର୍ଯ୍ୟାଳୟର ଅତିରିକ୍ତ ତହସିଲଦାର ଜୀବନଜ୍ୟୋତି ନାୟକ ଓ ବେଲଗୁଣ୍ଠା ଏନଏସିର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥି ପ୍ରମୁଖ ଅତିଥି ଭାବେ ମଞ୍ଚାସିନ ଥିଲେ । ଏଥିପୂର୍ବରୁ ଗତ ନଭେମ୍ବର ମାସରେ ବୁଢ଼ାକେନ୍ଧୁ ଠାରେ ମଧ୍ୟ ତହସିଲ କାର୍ଯ୍ୟାଳୟ ତରଫରୁ ଗ୍ରାମ କଣ୍ଠ ଘରବାରି ପଟ୍ଟା ବଣ୍ଟନ କରାଯାଇଥିଲା । ରାଜସ୍ୱ ବିଭାଗ ତରଫରୁ ଲୋକଙ୍କୁ ଘର ନିକଟରେ ସେବା ଯୋଗାଇବାର ଅଭିନବ ପ୍ରୟାସକୁ ବିଧାୟକ ପ୍ରଶଂସା କରିଥିଲେ । ଏବେ ମଧ୍ୟ ଅନେକ ତହସିଲ ଅନ୍ତର୍ଗତ କିଛି ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଗ୍ରାମ କଣ୍ଠ ପଟ୍ଟା କିଛି କାରଣ ଯୋଗୁଁ ବଣ୍ଟନ ହୋଇ ପାରି ନ ଥିବା ବେଳେ ସେହି ଅଞ୍ଚଳର ହିତାଧିକାରୀଙ୍କୁ ମଧ୍ୟ ଅତିଶୀଘ୍ର ପଟ୍ଟା ବଣ୍ଟନ ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ତହସିଲ ତହସିଲ କାର୍ଯ୍ୟାଳୟ ଓ ବିଧାୟକଙ୍କ ତରଫରୁ କୁହାଯାଇଛି । ପଟ୍ଟା ବଣ୍ଟନ ମେଳା କାର୍ଯ୍ୟକ୍ରମରେ ବେଲଗୁଣ୍ଠା ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଘର ନିକଟରେ ହିତାଧିକାରୀଙ୍କୁ ପଟ୍ଟା ମିଳିପାରିଥିବା ଯୋଗୁଁ ହିତାଧିକାରୀ ମାନେ ଖୁସି ଜାହିର କରିଛନ୍ତି ।

Leave a Reply

Your email address will not be published. Required fields are marked *